କନକ ବ୍ୟୁରୋ: ବଡ଼ ବଡ଼ ଅତଡ଼ା ଖସିବା ସହିତ ଜନବସତି ଅଂଚଳକୁ ମାଡ଼ି ଆସୁଛି ନଦୀ । ନଦୀର ପ୍ରଖର ସ୍ରୋତ ଓ ଜୁଆର ମାଡ଼ରେ କୂଳରୁ ଅତଡ଼ା ଖସି ନଦୀର ଗର୍ଭରେ ଲୀନ ହେଉଛି ଭିଟାମାଟି । ବାରମ୍ବାର ଅଭିଯୋଗ ସତ୍ୱେ ଆଜି ପର୍ଯ୍ୟନ୍ତ ହୋଇନି ସମସ୍ୟାର ସମାଧାନ । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକର ସିଂହପୁର ଗାଁ ନିକଟରେ ପ୍ରବାହିତ ହେଉଥିବା ଚିତ୍ରୋପଳା ନଦୀ ଉତ୍ତର ପାଶ୍ୱର୍ ମଠା ସାହି ତ୍ରିନାଥ ମନ୍ଦିର ନିକଟରେ ନଦୀକୂଳ ଖାଇ ଜନବସତି ଅଞ୍ଚଳକୁ ମାଡ଼ି ଆସୁଥିବା ଦେଖିବାକୁ ମିଳିଛି । ନଦୀର ଏପରି ପ୍ରକୋପ ଦେଖି ଗ୍ରାମବାସୀମାନେ ଭୟଭୀତ ହୋଇପଡ଼ିଛନ୍ତି । ଏହି ସ୍ଥାନରେ ଥିବା ତ୍ରିନାଥ ମନ୍ଦିର ଗର୍ଭରେ ଲୀନ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି । ନଦୀର ପ୍ରଖର ସ୍ରୋତ କୂଳରେ ମାଡ଼ ହୋଇ ନଦୀ ଗର୍ଭକୁ ବଡ଼ ବଡ଼ ଅତଡ଼ା ଖସିବା ସହିତ ସ୍ଥାନୀୟ ଲୋକଙ୍କ ମୂଲ୍ୟବାନ ଚାଷ ଜମି ସବୁ ନଦୀ ଗର୍ଭରେ ଚାଲି ଯାଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

Advertisment

ଖାଲିି ସେତିକି ନୁହେଁ ନଦୀକୂଳରେ ଥିବା ବଡ଼ବଡ଼ ଗଛ ମୂଳରୁ ମାଟି ନଦୀରେ ଧୋଇ ହୋଇଯିବାରୁ ଚେର ସବୁ ଉପରେ ପଡିଥିବାର ଦେଖିବାକୁ ମିଳିଛି । ସମସ୍ୟା ନେଇ ଜଳ ସମ୍ପଦ ବିଭାଗର ଅଧିକାରୀମାନଙ୍କୁ ଗ୍ରାମବାସୀମାନେ ଅବଗତ କଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ସମାଧାନ ହୋଇପାରିନାହିଁ । ଶେଷରେ ଗ୍ରାମବାସୀମାନେ ମହାକାଳପଡ଼ା ବିଧାୟକ ତଥା ଖାଦ୍ୟଯୋଗାଣ ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚି ନାୟକଙ୍କୁ ଏ ବିଷୟରେ ଜଣାଇବା ପରେ ନିଜେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ଏହା ସହିତ ଅତଡ଼ା ଖାଉଥିବା ସ୍ଥାନକୁ ଯଥା ଶୀଘ୍ର ମରାମତି କରାଯିବ ବୋଲି କହିଛନ୍ତି ।