କନକ ବ୍ୟୁରୋ : ପଂଚମ ଦିନରେ ପହଂଚିଲା ନୋଟ୍ ଅଚଳ ଘୋଷଣା । ହେଲେ ଏବେ ବି ସାରା ଦେଶରେ ଅଚଳାବସ୍ଥା ଲାଗି ରହିଛି । ନୋଟ୍ ବଦଳ ପାଇଁ ବ୍ୟାଙ୍କରେ ଲମ୍ବା ଲାଇନ୍ । ଅଧାରୁ ଅଧିକ ଏଟିଏମରେ ଟଙ୍କା ନାହିଁ । ତେଣୁ ଜନ ଅସନ୍ତୋଷ ଧୀରେ ଧୀରେ ବଢିବାରେ ଲାଗିଛି । ଏସବୁ ଭିତରେ ଅନେକ ସ୍ଥାନରେ ଦଲାଲ୍ ଆରମ୍ଭ କରି ଦେଇଛନ୍ତି ନୋଟ୍ ବଦଳରେ ନୋଟ୍ ବେପାର ।

Advertisment

ଲମ୍ବା ଲାଇନ୍ । ଅସମ୍ଭାଳ ଭିଡ । ଅସମ୍ଭବ ବ୍ୟସ୍ତତା । ୨ ହଜାର ଟଙ୍କା ପାଇଁ ଘଂଟା ଘଂଟାର ଅପେକ୍ଷା କରିବାକୁ ପଡୁଛି । ଲମ୍ବା ଲାଇନରୁ ଫେରି ଆସିବା ବି ମୁସ୍କିଲ୍ । କାରଣ ନିତି ଦିନିଆ ଖର୍ଚ୍ଚ ପାଇଁ ପାଖରେ ଖୁଚୁରା ଟଙ୍କା ନାହିଁ । ବଦଳ କଲେ ୪ ହଜାର, ଚେକ୍ ଦେଲେ ଏକାଥରକେ ମିଳୁଛି ୨୦ହଜାର ଟଙ୍କା । ହେଲେ ୨ ହଜାର ଟଙ୍କିଆ ନୋଟ୍ ଆଣି କରିବେ କଣ । ଖୁଚୁରା ନଥିବାରୁ ବ୍ୟବସାୟୀ ଦୁରଦୁର୍ ମାର୍ ମାର୍ କରୁଛନ୍ତି ।

ବଡ ବଡ ଦୋକାନ, ସପିଂ ମଲ୍ ଓ ହସପିଟାଲରେ ଲୋକେ ଡେବିଟ୍ ଓ କ୍ରେଡିଟ୍ କାର୍ଡ ସ୍ୱାଇପ୍ କରି ନିତିଦିନିଆ ଖର୍ଚ୍ଚ ତୁଲାଇ ଦେଉଛନ୍ତି । ହେଲେ ହାଟବଜାରରେ ବିନା ଖୁଚୁରାରେ ହାତ ଚାଲୁନି । ଧୀରେ ଧୀରେ ଲୋକଙ୍କ ପକେଟରୁ ଖୁଚୁରା ସରି ଆସିଲାଣି । ଯଦି ଏଙ୍କିଏମରେ ଟଙ୍କା ଭରି ନହୁଏ, ତେବେ ଦିନେ ଦୁଇ ଦିନ ଭିତରେ ପରିସ୍ଥିତି ବିଗିଡି ଯିବାର ଆଶଙ୍କା ସୃଷ୍ଟି ହୋଇଛି ।

vlcsnap-2016-11-13-19h23m20s622ସେହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁରରୁ । ଖୁଚୁରା ନଥିବାରୁ ଦୁଇ ଦିନ ହେଲା କାମ କରି ଖାଲି ହାତରେ ଫେରୁଛନ୍ତି ଦିନ ମଜୁରିଆମାନେ । ଆଜିଠୁ ନିଷ୍ପତି ନେଇଛନ୍ତି, ଆଗ ଖୁଚୁରା ଟଙ୍କା ଦିଅ, ତାପରେ କାମ କରିବୁ । କେବେ ବ୍ୟାଙ୍କ୍ , ଏଟିଏମ୍ କି ଚେକ୍ ଦେଖି ନଥିବା ରିକ୍ସାବାଲା ଓ କୁଲିଙ୍କ ଅବସ୍ଥା ଏକଦମ୍ ଖରାପ ।
ସେପଟେ ନୋଟ୍ ଅଚଳ ପରେ ସକ୍ରିୟ ହୋଇ ପଡିଛନ୍ତି ଦଲାଲ୍ । ନୋଟ୍ ନିଲାମୀ ପାଇଁ ବୁଲୁଛନ୍ତି ଖୁଚୁରା ଧରି । କେବଳ ହାଟବଜାର ନୁହେଁ ଖୁଚୁରା ଧରି ହସ୍ପିଟାଲରେ ବି ପହଂଚିଗଲେଣି ଏହି ଦଲାଲ୍ ।

ଏଭଳି ସ୍ଥିତିରେ ରିଜର୍ଭ ବ୍ୟାଙ୍କ୍ ଦେଉଛନ୍ତି ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି । ଖୁଚୁରା ଟଙ୍କା ସମସ୍ୟାକୁ ଦୂର କରିବାକୁ ଖୁବଶୀଘ୍ର ନୂଆ ୫୦୦ ଟଙ୍କିଆ ଓଡିଶା ବଜାରକୁ ଆଣିବାକୁ ଚେଷ୍ଟା କରାଯାଉଥିବା କହିଛନ୍ତି ।

କଳାଧନକୁ ପଦାକୁ ଆଣିବାକୁ ମୋଦି ସରକାରଙ୍କ ଏ ପଦକ୍ଷେପ ପ୍ରଶଂସନୀୟ । ତେବେ ଖୁଚୁରା ଟଙ୍କା ପାଇଁ ବିକଳ୍ପ ବ୍ୟବସ୍ଥା ନକରିବା ଓ ଏଭଳି ଏକ ଅଭାବନୀୟ ପରିସ୍ଥିତି ସଂପର୍କରେ ଚିନ୍ତା ନକରିବା , ସରକାରଙ୍କ ଦୂରଦୃଷ୍ଟି ଉପରେ ପ୍ରଶ୍ନବାଚୀ ଲଗାଇଛି ।