ରାଜ୍ୟରେ ଧୀରେ ଧୀରେ ଅନୁଭୂତ ହେଲାଣି ଶୀତ । କନ୍ଧମାଳରେ ଶୀତ ସାଙ୍ଗକୁ ଘନ କୁହୁଡି 

65

କନକ ବ୍ୟୁରୋ : ରାଜ୍ୟରେ ଧୀରେ ଧୀରେ ଶୀତ ଅନୁଭୁତ ହେଲାଣି । ହେଲେ ସବୁ ଅଂଚଳର ଶୀତ ଠାରୁ ନିଆରା କନ୍ଧମାଳର ଶୀତ । ଶୀତ ସାଙ୍ଗକୁ ଘନ କୁହୁଡି କନ୍ଧମାଳର ପରିବେଶକୁ ଆକର୍ଷଣୀୟ କରିଛି । ଚଳିତ ବର୍ଷର ପହିଲି ଶୀତର ମଜା ଉଠାଇବା ସହ ଫିଟ୍ ରହିବା ପାଇଁ ପ୍ରାତଃ ଭ୍ରମଣରେ ବାହାରି ଯାଉଛନ୍ତି ଲୋକେ । ସ୍ଥାନୀୟ ଅଂଚଳର ପାର୍କ ଓ ଜିମରେ ଭିଡ ହେଉଛି । ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି, ବାଲିଗୁଡା, ଜି.ଉଦୟଗିରି, ଫୁଲବାଣୀ, ରାଇକିଆ, ତୁମୁଡିବନ୍ଧ, କ.ନୂଆଗାଁ ଏବଂ ଫିରିଙ୍ଗିଆ ଅଂଚଳରେ ସପ୍ତାହେ ହେବ ପାରଦ ତଳକୁ ତଳ ଖସୁଛି । ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡି ଲାଗି ରହୁଛି ।

ଓଡ଼ିଶାର ପାଖାପାଖି ୧୧ଟି ସ୍ଥାନରେ ରାତି ତାପମାତ୍ରା ୨୦ ଡିଗ୍ରିରୁ କମ୍‌ ରେକର୍ଡ ହୋଇଛି । ଏବେ କୌଣସି ସିଷ୍ଟମର ପ୍ରଭାବ ନଥିବାରୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଭାବେ ଶୁଖିଲା ରହିବ । ଦିନ କିମ୍ବା ରାତି ତାପମାତ୍ରାରେ ବିଶେଷ ଭାବେ କୌଣସି ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ । ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ବି‌ଶେଷ କରି ୧୭ରୁ ୧୯ ଡିଗ୍ରି ମଧ୍ୟରେ ରହିବ । ଏଥିସହ ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ୧୯ରୁ ୨୧ ଡିଗ୍ରି ମଧ୍ୟରେ ରହିବ । ତେବେ ଅକ୍ଟୋବର ଶେଷ ସୁଦ୍ଧା ରାଜ୍ୟରେ ଶୀତ ଅନୁଭୂତ ହେବା ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।