ଗଞ୍ଜାମରେ ଲୋକେ ମାନୁ ନାହାନ୍ତି କୋଭିଡ ଗାଇଡଲାଇନ । ନିୟମ ଉଲ୍ଲଘଂନ କରି କରୁଛନ୍ତି ବିବାହ ଭୋଜିର ଆୟୋଜନ

189

କନକ ବ୍ୟୁରୋ: ବର୍ତମାନ ରାଜ୍ୟ କରୋନା ସହିତ ଲଢେଇ କରୁଛି । ଏପରି ସମୟରେ ଗଂଜାମ ଜିଲ୍ଲାରୁ ଆସୁଥିବା ଖବର ଶୁଣିଲେ ଆପଣଙ୍କୁ ଲାଗିବ ଆମେ ଏପରି କଠୋର ସମୟରେ କେତେ ପାଳନ କରୁଛେ କରୋନା ଗାଇଡଲାଇନ । ପ୍ରଶାସନର କଟକଣା ପରେ ବି ଏହାକୁ ଖାତିର କରୁନାହାନ୍ତି ଲୋକ । ଆଉ ନିୟମ ଉଲଂଘନ କରି ଆୟୋଜନ ହେଉଛି ବିବାହ ଓ ଭୋଜି । ଯାହା ଏବେ ଚିନ୍ତାର କାରଣ ହୋଇଛି ।

ଗଂଜାମ ଜିଲ୍ଲା ପ୍ରଶାସନର ଏହି ବୈଠକ ବସିଥିଲା ଗତ ୧୬ ତାରିଖରେ । ବୈଠକର ମୁଖ୍ୟ ପ୍ରସଙ୍ଗ ଥିଲା କରୋନା କାଳରେ ବାହାଘର । ନିଷ୍ପତି ହୋଇଥିଲା ବିନା କୋଭିଡ୍ ପଜିଟିଭ୍ ରିପୋର୍ଟରେ ବିବାହ ଆୟୋଜନକୁ ମିଳିବନାହିଁ ଅନୁମତି । ହେଲେ ପ୍ରଶାସନର ଏହି କଟକଣାକୁ ଫୁ କରି ଉଡାଉ ଦେଉଛନ୍ତି ଜନତା ।

ଗଂଜାମ ଜିଲ୍ଲା ହିଞ୍ଜିଳି ଥାନା ବଡଖଣ୍ଡି ଓ ଦୁର୍ବନ୍ଧ ଗାଁରେ ୨ଟି ବିବାହର ଭୋଜି ଆୟୋଜନ ହୋଇଥିଲା । ବିନା କୌଣସି କଟକଣାରେ । ପୋଲିସ ପ୍ରଶାସନ ଚଢାଉ କରି ୬ ଜଣଙ୍କୁ ଥାନାରେ ଅଟକ ରଖିଛି । ବଡଖଣ୍ଡି ଓ ଦୁର୍ବନ୍ଧ ଗାଁରେ ହେଉଥିବା ଏହି ଦୁଇଟି ବିବାହରେ ପ୍ରାୟ ୨ ହଜାର ଲୋକଙ୍କ ପାଇଁ ଭୋଜିଭାତ ଆୟୋଜନ କରାଯାଇଥିଲା । ଥରେ ଚିନ୍ତା କରନ୍ତୁ ଏହି ଭୋଜିରେ କୌଣସି ସଂକ୍ରମିତ ବ୍ୟକ୍ତି ସାମିଲ ହୋଇଥିଲେ , କେତେ ଲୋକଙ୍କୁ ବାଂଟିବେ ଭୂତାଣୁ

୫୦ ଜଣରେ ବିବାହ ଆୟୋଜନ କଥା ଭୁଲି ଯାଅନ୍ତୁ କୌଣସି ବି ନିୟମକୁ ପାଳନ କରାଯାଇଛି ଖଲିକୋଟ୍ ବ୍ଲକ ଚିକିଲି ପଂଚାୟତର ଗୋପପୁର ଗାଁରେ । କହିବାକୁ ଗଲେ କରୋନାକୁ ଭୟ ନାହିଁ କିନ୍ତୁ ପୋଲିସ ଚଢାଉକୁ ଭୟ । ନିୟମ ଉଲଂଘନ କରି ଭୋଜି ଆୟୋଜନ ହୋଇଛି । ଆଉ ଡରରେ ଏହାକୁ ପାଳ ଗଦା ତଳେ ରଖି ଦିଆଯାଇଛି । ଖଲ୍ଲିକୋଟ ତହାସିଲଦାର ଓ ପୋଲିସ ପହଂଚି ଭୋଜିକୁ ଜବତ କରିଥିଲେ । କୋଭିଡ କଟକଣା ଉଲ୍ଲଙ୍ଘନରେ ୫ ହଜାର ଟଙ୍କା ଫାଇନ ଆଦାୟ କରିଛନ୍ତିା ସେହିପରି ବେଗୁନିଆପଡା ବ୍ଲକ ମର୍ଦ୍ଦକୋଟ ବଧି ସାହିରେ ବାହାଘର ଭୋଜିରେ ଚଢାଉ କରି ଭୋଜି ବନ୍ଦ କରିବା ସହ ଆୟୋଜକଙ୍କୁ ଠାରୁ ୮ ହଜାର ଟଙ୍କା ଫାଇନ କସିଛି ପ୍ରଶାସନ ।

ଦିଗପହଣ୍ଡିରେ କରୋନା କାଳରେ ବାହାଘର । ୪ ଦିନ ତଳେ କରୋନା ପରୀକ୍ଷା ପାଇଁ ନମୂନା ଦେଇଥିଲେ ବର । ହେଲେ ରିପୋର୍ଟ ଆସିନଥିଲା । ଏତିକିବେଳେ ଜଣାପଡିଲା ବର କରୋନା ପଜିଟିଭ୍ । ତୁରନ୍ତ ବିବାହ ସ୍ଥଳରେ ପହଁଚି ପ୍ରଶାସନ ଟିମ୍ । ବରକୁ ଉଠାଇ ନେଇ ସଙ୍ଗରୋଧରେ ରଖିଥିଲା । ରାଜେନ୍ଦ୍ର ସୁସ୍ଥ ହେବା ସହିତ ରିପୋର୍ଟ ନେଗେଟିଭ ଆସିବାର ମାସକ ପରେ ବାହାଘର ହେବ ବୋଲି ପ୍ରଶାସନ ଲିଖିତନାମା ରଖିଛି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଦଶେଇପୁର ଗାଁରେ ଏହି ଘଟଣା ଦେଖିଲେ ମନେ ହେଉଛି ଲୋକଙ୍କ ଭିତରେ କରୋନାକୁ ନେଇ ଯେତିକି ସଚେତନତା ରହିବାର ଆବଶ୍ୟକତା ରହିଛି, ତାହା ଦେଖିବାକୁ ମିଳୁନି । କରୋନା କାଳରେ ଗଂଜାମ ଜିଲ୍ଲାର ଗାଁ ଗହଳି ଗୁଡିକରେ ବିବାହ ଭୋଜି ପରି ସମାବେଶ ଆୟୋଜନ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି ।