ପାରାଦୀପ ଅଠରବାଙ୍କୀରେ ଟନେଲ ଭିତରେ ଆଶ୍ରୟ ନେଲେ ଲୋକେ । କରୋନା ଭୟରେ ଗଲେ ନାହିଁ ବାତ୍ୟା ଆଶ୍ରୟସ୍ଥଳ । 

372

କନକ ବ୍ୟୁରୋ : ସାମୁଦ୍ରିକ ବାତ୍ୟା ୟାସ୍ ପହଞ୍ଚିବା ଆଗରୁ ପାରାଦୀପରେ ଦେଖିବାକୁ ମିଳିଥିଲା ବଡ ପ୍ରଭାବ । ଏହାକୁ ନଜରରେ ରଖି ପ୍ରଶାସନ ଆଗୁଆ ଆରମ୍ଭ କରିଥିଲା ତଳିଆ ଅଂଚଳକୁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ନେବା କାମ । ହେଲେ ଏହାରି ଭିତରେ ପାରାଦୀପ ଅଠରବାଙ୍କିରେ ଓଭର ବ୍ରିଜ ତଳେ ଦେଢ ଶହ ଲୋକ ଆଶ୍ରୟ ନେଇଥିଲେ । କରୋନା ସଂକ୍ରମିତ ହେବା ଭୟରେ ଟନେଲ ତଳେ ରାତି କାଟିଦେଲେ ବସ୍ତି ବାସିନ୍ଦା ।

ବାତ୍ୟା ୟାସ୍ ଡରରେ ଟନେଲ ଭିତରେ ୨୪ ଘଂଟା ଆଶ୍ରୟ ନେଇଥିଲେ ୧୫୦ ବସ୍ତିବାସିନ୍ଦା । ପାରାଦୀପରୁ ଆସିଥିବା ଏହି ଘଟଣା ଆପଣଙ୍କୁ ପ୍ରଶାସନର ବାତ୍ୟା ମୁକାବିଲାର କିଛି ଅଲଗା ଚିତ୍ର ଦେଖାଇବ ନିଶ୍ଚୟ । ସାମୁଦ୍ରିକ ବାତ୍ୟା ପ୍ରଭାବରେ ଅଶାନ୍ତ ହୋଇଉଠିଥିଲା ସମୁଦ୍ର । ପ୍ରବଳ ବର୍ଷା ପରେ ତଳି ଅଂଚଳରେ ପାଣି ବି ପଶି ଆସିଥିଲା । ଏପରି ସମୟରେ ଘର ଛାଡି ପାରାଦୀପ ଅଠର ବାଙ୍କିରେ ଓଭର ବ୍ରିଜ ତଳେ ଥିବା ଟନେଲରେ ରହିଥିଲେ ରାମଚଣ୍ଡି ପଡାର ଦେଢ ଶହ ଲୋକ ।

ସାମୁଦ୍ରିକ ବାତ୍ୟା ଆସିବା ଆଗରୁ ମଙ୍ଗଳବାର ପ୍ରଶାସନ ତଳି ଅଂଚଳରେ ପଶି ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ଆଣୁଥିଲା । ଡାକବାଜି ଯନ୍ତ୍ରରେ ବି ଘୋଷଣା କରୁଥିଲା । ହେଲେ ରାମଚଣ୍ଡି ପଡା ବାସିନ୍ଦାଙ୍କ ମନରେ ଥିଲା କରୋନା ସଂକ୍ରମିତ ହେବା ଆଶଙ୍କା । ଯାହାକୁ ନେଇ ବାତ୍ୟା ଆଶ୍ରୟସ୍ଥଳକୁ ଯିବା ବଦଳରେ ଏମାନେ ଚାଲି ଆସିଥିଲେ ଟନେଲ ଭିତରକୁ । ଅତି ବିପଦସଙ୍କୁଳ ଅବସ୍ଥାରେ ଏମାନେ ସାରା ରାତି ଏଠି ଆଶ୍ରୟ ନେଇଥିଲେ । ପ୍ରଶାସନ ନିକଟରେ ଖବର ପହଁଚିବା ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି ।

ଏସବୁ ଭିତରେ ପ୍ରଶାସନର ଆଗୁଆ ପଦକ୍ଷେପ କାରଣରୁ ୨୨ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା ଏବଂ ଏଥର ବାତ୍ୟା ୟାସରେ ଜଗତସିଂହପୁର ଜିଲ୍ଲାରେ ସେପରି କୌଣସି ଧନଜୀବନ ହାନୀ ହୋଇନଥିବା କହିଛନ୍ତି ଜଗତସିଂହପୁର ଜିଲ୍ଲାପାଳ । ଜଗତସିଂହପୁର ଜିଲ୍ଲାରେ ବାତ୍ୟା ମୁକାବିଲାରେ ପ୍ରଶାସନର କାମ ନିଶ୍ଚିତ ପ୍ରଶଂସନୀୟ । କିନ୍ତୁ ଟନେଲ ଭିତରେ ଦେଢ ଶହ ଲୋକ କିପରି ପ୍ରଶାସନର ଅଜାଣତରେ ରହିଗଲେ, ତାହା ବଡ ପ୍ରଶ୍ନ ପାଲଟିଛି ।