ବିବାଦୀୟ ବୟାନ ଉପରେ ସମ୍ବିତ ପାତ୍ରଙ୍କ ସ୍ପଷ୍ଟୀକରଣ । କହିଲେ, ପୁରୀରେ ଲଢ଼ିବା ଯୋଗୁଁ ମତେ ଚିହ୍ନିଲେ ଲୋକେ । ସେପଟେ ଲେଖାଶ୍ରୀଙ୍କ ପାଲଟା ଅଭିଯୋଗ, କେଉଁଠି ଅଛି ପୁରୀ, ଏବେ ବି ପ୍ରଶ୍ନ କରୁଛନ୍ତି ଲୋକେ

123

କନକ ବ୍ୟୁରୋ : ଲେଖାଶ୍ରୀଙ୍କ ବିବାଦୀୟ ବୟାନ ପରେ ସ୍ପଷ୍ଟିକରଣ ରଖି ରାଷ୍ଟ୍ରିୟ ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ସେ ପୁରୀରେ ନିର୍ବାଚନ ଲଢିବା ଯୋଗୁଁ ତାଙ୍କୁ ଲୋକେ ଚିହ୍ନି ପାରିଲେ । ସେ ଗୋଟେ ସାଧାରଣ ପରିବାରରୁ ଆସିଛନ୍ତି ପୁରୀ ଯୋଗୁଁ ସେ ପରିଚିତ ହୋଇ ପାରିଛନ୍ତି । ଲେଖାଶ୍ରୀ କହିଥିଲେ, ସମ୍ବିତ ପାତ୍ର ପୁରୀ ନିର୍ବାଚନ ଲଢିବାରୁ ପୁରୀ ଓଡିଶାରେ ଅଛି ବୋଲି ଲୋକେ ଜାଣି ପାରିଲେ ।

ସେପଟେ କଂଗ୍ରେସ ଲେଖାଶ୍ରୀଙ୍କ ବୟାନକୁ ନେଇ କଂଗ୍ରେସ ପ୍ରତିବାଦ କରିଛି । ଭୁବନେଶ୍ୱରରେ ଦଳୀୟ କର୍ମୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ଆଜି ପୁଣି ପ୍ରତିକ୍ରିୟା ରଖି ଲେଖାଶ୍ରୀ କହିଛନ୍ତି, ପୁରୀ କେଉଁଠି ଅଛି, ଏବେ ବି ଲୋକେ ପ୍ରଶ୍ନ କରୁଛନ୍ତି । ଶାସକ ଦଳ ଜାଣିଶୁଣି ତାଙ୍କୁ ଟାର୍ଗେଟ କରୁଛି ବୋଲି ଅଭିଯୋଗ ଆଣିଛନ୍ତି । ସେପଟେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ପାଲଟା ଟାର୍ଗେଟ କରି ନିଜ ଅହଂକାର ପାଇଁ ଲେଖାଶ୍ରୀ କ୍ଷମା ମାଗୁନାହାନ୍ତି ବୋଲି କହିଛନ୍ତି । ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ କହିଛନ୍ତି, ଏହା ତାଙ୍କର ବ୍ୟକ୍ତିଗତ ମତ ।

ତେବେ ଲେଖାଶ୍ରୀଙ୍କ ଏଭଳି ବିବାଦୟୀ ବୟାନ ପରେ ସାରା ରାଜ୍ୟରେ ଏହାକୁ ନେଇ ବିରୋଧ ଦେଖାଯାଇଥିଲା । ବିରୋଧ ପରେ ମଧ୍ୟ ଲେଖାଶ୍ରୀ କ୍ଷମା ମାଗିନଥିଲେ । ଲେଖାଶ୍ରୀ କହିଥିଲେ ଯେ ସେ ତାଙ୍କ ମନ୍ତବ୍ୟରେ କେଉଁଠିବି ମହାପ୍ରଭୁ ଜଗନ୍ନାଥଙ୍କ ନାଁ ନେଇ ନାହାନ୍ତି । ତେଣୁ ମହାପ୍ରଭୁଙ୍କୁ ମୁଁ ଅପମାନ କରି ନାହିଁ ।