ରାଜ୍ୟରେ ଦୁଇ କୋଟି ଟପିଲା ଟିକାକରଣ । ହେଲେ, ଟିକା ନେବା ପରେ ବି କରୋନା ଆକ୍ରାନ୍ତ ହେଲେଣି ୩୧ ହଜାରରୁ ଅଧିକ ।
ଅଧ୍ୟୟନରୁ ଜଣାପଡିଲା, କରୋନା ମୁକାବିଲା ପାଇଁ ଆବଶ୍ୟକ ପ୍ରତିଷେଧକ ତିଆରି କରିପାରୁନି ପ୍ରଥମ ଡୋଜ୍ ।
- ଟିକା ନେବା ପରେ କେତେ ଜଣଙ୍କୁ କରୋନା?
- ଓଡିଶାରେ ଟିକା ନେଇ କେତେ ସଂକ୍ରମିତ?
Kanak News is now on WhatsApp
Join and get latest news updates delivered to you via WhatsApp
କେତେ ପରିମାଣରେ ଟିକା ଫଳପ୍ରଦ ହେଉଛି ଓ କରୋନା ମୁକାବିଲାରେ ଟିକାର ପ୍ରଭାବ କଣ ରହୁଛି ଏହାକୁ ନେଇ ବିଶେଷଜ୍ଞ ଅନେକ କିଛି କହୁଛନ୍ତି କିନ୍ତୁ ଟିକା ନେବା ପରେ ବି ଲୋକ ସଂକ୍ରମିତ ହେଉଛନ୍ତି, ଯାହାର ତଥ୍ୟ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦେଇଛି । ଏଯାବତ ରାଜ୍ୟରେ ଟିକା ନେଇ ୩୧ ହଜାର ୭୧୨ ଜଣ ସଂକ୍ରମିତ ହୋଇଛନ୍ତି । ତେବେ ପ୍ରଥମ ଡ଼ୋଜ ଟିକା ନେବା ପରେ ୧୭,୮୨୪ ଜଣ ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ସେହିପରି ୧୩,୮୮୮ ଜଣ ଦ୍ୱିତୀୟ ଡ଼ୋଜ ଟିକା ନେବା ପରେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏହି ସଂଖ୍ୟା ଭିତରୁ ଭୁବନେଶ୍ୱର ଅଧିକ ବ୍ୟକ୍ତି ଟିକା ନେଇ ସଂକ୍ରମିତ ହୋଇଛନ୍ତି ।
ଟିକା ନେଇ କରୋନା ପଜିଟିଭ ହେଲେ ମଧ୍ୟ ଟିକାର ଏକ ବଡ ପ୍ରଭାବ ରହୁଛି । ଅନେକ ରୋଗୀ ଗୁରୁତର ହେଉନାହାନ୍ତି କି ମେଡିକାଲକୁ ଯିବାକୁ ପଡୁନାହିଁ । ସାମଗ୍ରିକ ଭାବେ ରାଜ୍ୟରେ ଟିକା ନେଇ ୧ ପ୍ରତିଶତରୁ କମ ସଂକ୍ରମିତ ହୋଇଛନ୍ତି । ଏହାରି ମଧ୍ୟରେ ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ଓଡ଼ିଶା । ରାଜ୍ୟରେ ୨ କୋଟି ଅତିକ୍ରମ କରିଛି ଟିକାକରଣ । ଏଯାଏଁ ରାଜ୍ୟରେ ମୋଟ ୨କୋଟି ୨୧ ହଜାର ୮୧୪ ଡୋଜ କୋଭିଡ ଟିକା ଦିଆଯାଇଛି । ଏଥିରୁ ୧ କୋଟି ୫୩ ଲକ୍ଷ ୮୭ ହଜାର ୫୭୨ ପ୍ରଥମ ଡୋଜ ଦିଆଯାଇଛି । ୪୬ ଲକ୍ଷ ୩୪ ହଜାର ୨୪୨ ଜଣଙ୍କୁ ଟିକାର ଦୁଇଟି ଡୋଜ ଦିଆଯାଇଛି । ରାଜ୍ୟରେ ୫୦ ପ୍ରତିଶତ ପ୍ରଥମ ଡୋଜ ଦିଆଯାଇଛି ଏବଂ ମୋଟ କ୍ଷେତ୍ରରେ ୭୬ ପ୍ରତିଶତ ଟିକା ଦିଆଯାଇଛି । ମୋଟ ୩ କୋଟି ୯ ଲକ୍ଷ ୮୫ ହଜାର ୫୩୮ଜଣଙ୍କୁ ଟିକା ଦେବାର ଟାର୍ଗେଟ ରଖାଯାଇଛି । ଟିକା ଉପଲବ୍ଧ ରହିଲେ ରାଜ୍ୟରେ ଡିସେମ୍ବର ସୁଦ୍ଧା ଟିକାକରଣ ସରିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ଏପଟେ ଅଧ୍ୟୟନରୁ ଜଣାପଡିଛି ଯେ, କରୋନା ମୁକାବିଲା ପାଇଁ ଆବଶ୍ୟକ ପ୍ରତିରୋଧକ ଶକ୍ତି ଦେଉନାହିଁ ପ୍ରଥମ ଡୋଜ୍ ଟିକା । ପ୍ରଥମ ଡୋଜ୍ ଟିକା ନେବା ପରେ ମିଳୁଛି ଅତି କମ୍ ପ୍ରତିରୋଧକ ଶକ୍ତି । ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ୪ ହଜାର ୨୯୬ଜଣଙ୍କ ଉପରେ ଗବେଷଣା କରାଯାଇଥିଲା । କରୋନର ଦ୍ୱିତୀୟ ୱେଭ୍ ସମୟରେ ମାର୍ଚ୍ଚ ୧ରୁ ୩୧ ମଧ୍ୟରେ ଏହି ଅଧ୍ୟୟନ କରାଯାଇଥିଲା । ଏଥିରୁ ଜଣାପଡ଼ିଥିଲା ଯେ ଯେଉଁମାନେ ଟିକା ନେଇନାହାନ୍ତି ଏବଂ ପ୍ରଥମ ଡୋଜ୍ ନେଇ ଲକ୍ଷଣ ଥିବା କିମ୍ବା ଗୁରୁତର ହୋଇପଡିଥିବା ରୋଗୀଙ୍କ କ୍ଷେତ୍ରରେ ସେପରି କିଛି ପାର୍ଥକ୍ୟ ଦେଖିବାକୁ ମିଳୁନାହିଁ । ଅଧ୍ୟୟନ ଅନୁଯାୟୀ ଟିକା ନେଇନଥିବା ସ୍ୱାସ୍ଥ୍ୟକର୍ମୀଙ୍କ ସଂଖ୍ୟା ୧୩.୯ ପ୍ରତିଶତ ବେଳେ ଟିକାକରଣର ଗୋଟିଏ ମାତ୍ର ଡୋଜ୍ ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ସଂଖ୍ୟା ୧୨.୩ ପ୍ରତିଶତ ଥିଲା । ସେହିପରି ପ୍ରଥମ ଡୋଜ୍ ନେବା ପରେ ଗୁରୁତର ଆକ୍ରାନ୍ତ ୨ ପ୍ରତିଶତ ହେଉଥିବା ବେଳେ ୩.୩ ପ୍ରତିଶତ ଟିକା ନେଇନଥିବା ସ୍ୱାସ୍ଥ୍ୟକର୍ମୀ ଗୁରୁତର ହେଉଛନ୍ତି ।