ତାଲା ବନ୍ଦ ପରେ ଖାଁ ଖାଁ ରାଜରାସ୍ତା: ପରିବା ଓ ସଉଦା ଦୋକାନ ଖୋଲା ଥିବା ବେଳେ ଦର ହେଲାଣି ଆକାଶ ଛୁଆଁ

ସେପଟେ ଘରକୁ ଫେରିବା ପାଇଁ ଗମନାଗମନ ଅସୁବିଧାରୁ ଉତରପ୍ରଦେଶ ଅଭିମୁଖେ ଚାଲିଚାଲି ଯାଉଛନ୍ତି ଶ୍ରମିକ

536

କନକ ବ୍ୟୁରୋ: ସାରା ରାଜ୍ୟରେ ତାଲାବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ପୁଲିସର ପହରା ଓ ଜନସେଚତନା ଯୋଗୁଁ ରାସ୍ତା ଶୂନଶାନ ପଡିଛି । ସେପଟେ ବଜାରରେ ପରିବା ଦର ଆକାଶ ଛୁଆଁ ହୋଇପଡିଛି । ସେହିପରି ଲକ ଡାଉନ ଯୋଗୁ ଠପ୍ ହୋଇଯାଇଛି ଯାତାୟତ । ଯିଏ ଯେଉଁଠି ଥିଲେ ସେଇଠି ଅଟକି ଯାଇଛି । ଗାଡି ଚାଲୁନଥିବାରୁ ଚାହିଁଲେ ବି କେହି କୁଆଡେ ଯାଇ ପାରୁ ନାହାଁନ୍ତି । ଗୋଟିଏ ପଟେ ତାଲାବନ୍ଦ ଯୋଗୁଁ ଲୋକଙ୍କ ପାଖରେ କାମଧନ୍ଦା ନାହିଁ । ଏଭଳି ସ୍ଥିତିରେ ଯେ ଯେମିତି ପାଉଛି ନିଜ ଗାଁକୁ ଫେରି ଯିବାକୁ ଚାହୁଁଛନ୍ତି ।

କରୋନା ଯୋଗୁଁ ଲାଗିଥିବା କଟକଣା ଅନେକଙ୍କ ପାଇଁ ଦୁର୍ଦଶା ନେଇ ଆସିଛି । ବିଶ୍ୱ ମହାମାରୀକୁ ରୋକିବା ପାଇଁ ଏହାକୁ ସମସ୍ତେ ସ୍ୱାଗତ ମଧ୍ୟ କରୁଛନ୍ତି । କିନ୍ତୁ ଅନେକ ଏହି ତାଲାବନ୍ଦ ଫଳରେ ଅସୁବିଧାରେ ମଧ୍ୟ ପଡୁଛନ୍ତି । ରାଉରକେଲାରେ ଠିକା ଶ୍ରମିକ ଭାବେ କାମ କରୁଥିବା ଉତର ପ୍ରଦେଶର ୧୦ ଜଣ ଯୁବକ ଏବେ ବାହାରିଛନ୍ତି ନିଜ ଘର ଅଭିମୁଖେ । ଗାଡି ମଟର ଚାଲୁ ନଥିବା ବେଳେ ସେମାନେ ରାଉରକେଲାରୁ ଉତରପ୍ରଦେଶକୁପାଦରେ ଚାଲିଚାଲି ଯାଉଛନ୍ତି । ଗତକାଲି ରାତିରେ ସେମାନେ ଦୀର୍ଘ ୩୦ କିମି ବାଟ ଚାଲି ଚାଲି କୁଆରମୁଣ୍ଡାରେ ପହଂଚିଥିଲେ । ଭୋକ ଉପାସରେ ସେମାନେ ଚାଲିଛନ୍ତି । ଏପରିକି ପ୍ରଶାସନକୁ ଏନେଇ ସୂଚନା ଦେଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହେଉଛି । ଅନ୍ୟପଟେ ରାଜ୍ୟ ସରକାର ଅନ୍ୟ ରାଜ୍ୟ ମାନଙ୍କୁ ସେଠାରେ ଅଟକି ଥିବା ଓଡିଆଙ୍କ ପାଇଁ ସୁବିଧା କରିବାକୁ ଅନୁରୋଧ କରିଥିବା ବେଳେ ଅନ୍ୟ ରାଜ୍ୟର ବ୍ୟକ୍ତି ଓଡିଶାରେ ଅଟକି ରହିଥିଲେ ସେମାନଙ୍କ ସୁବିଧା କରିବା କଥା ଉଲ୍ଲେଖ କରିଛନ୍ତି ।

ଠିକ୍ ସେହିଭଳି  ଏକ ଟ୍ରକରେ ବିହାରର ୭୫ ଜଣ ଯାଉଥିବାବେଳେ ଝାରସୁଗୁଡା ବ୍ରଜରାଜନଗରର ଥାନା ଗାନ୍ଧିଛକ ନିକଟରେ ଗାଡି ସହ ସେମାନଙ୍କୁ ଅଟକ ରଖିଛି ପୋଲିସ୍ । ଲକଡାଉନ ସମୟରେ ଯାନବାହାନ ବନ୍ଦ ରହିଥିବାବେଳେ ମାଲବାହୀ ଗାଡି ଯାତାୟତ କରୁଛି । ଏହାର ସୁଯୋଗ ନେଇ ବିହାରର ଲୋକମାନେ ଲୁଚି ଚାଲି ଯାଉଥିଲେ । ବ୍ରଜରାଜନଗର ପୋଲିସ ଖବର ପାଇ ଚଢ଼ାଉ କରିବା ପରେ ଟ୍ରକରେ ସେମାନେ ଲଦାଲଦି ହୋଇ ବସିଥିବା ଦେଖାଯାଇଥିଲା । ସେମାନଙ୍କୁ ଗାଡିରୁ ଓହ୍ଲାଇ ପଚରାଉଚରା କରୁଛିି ପୋଲିସ୍ । ଏବଂ ଜିଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବ୍ରଜରାଜନଗର ଏସଡିପିଓ । ତେବେ ଲକଡାଉନ ଯୋଗୁଁ କାମଧନ୍ଦା ନପାଇ ଭୋକ ଉପବାସରେ ରହୁଥିଲେ । ତେଣୁ ସେମାନେ ଏଭଳି ଯାଉଥିଲେ ବୋଲି କହିଛନ୍ତି ।