ପଇସା ନାହିଁ ତ ପାଣି ନାହିଁ । ଚାରିଆଡେ ପାଣି, କିନ୍ତୁ ପିଇବାକୁ ମୁନ୍ଦେ ପାଣି ମିଳୁନି । ବନ୍ୟା ବିଭୀଷିକା ଭିତରେ ଗରାଏ ପାଣି ପାଇଁ ଦେବାକୁ ପଡୁଛି ୧୦୦ ଟଙ୍କା । କେନ୍ଦ୍ରାପଡା ଆଳିରୁ ଆସିଲା ଅଭାବନୀୟ ଦୃଶ୍ୟ ।

560

କନକ ବ୍ୟୁରୋ : ନଦୀର ଜଳସ୍ତର କମିବା ପରେ ଗାଁ ଗଣ୍ଡାରୁ ଛାଡିବାରେ ଲାଗିଛି ବନ୍ୟା ପାଣି । ହେଲେ ବନ୍ୟା ଜଳ ପଶିଯିବା ଯୋଗୁଁ ଲୋକଙ୍କ ଦୁଶା ବଢ଼ିଯାଇଛି । ଗାଁଗଣ୍ଡାରେ ଥିବା ଟ୍ୟୁବୱେଲ୍ ଓ କୂଳ ବୁଡିଯିବା ପରେ ବନ୍ୟା ବିପନ୍ନଙ୍କ ପାଇଁ ପିଇବା ପାଇଁ ଶୁଦ୍ଧ ପାଣି ମୁନ୍ଦେ ପାଇବା କଷ୍ଟକର ହୋଇ ପଡିଛି । ଆଉ ଯେଉଁଠି ମିଳୁଛି ସେଠି ପହଁଚିବାକୁ ଲୋକଙ୍କୁ ଡଙ୍ଗାରେ ଦେବାକୁ ପଡୁଛି ଶହେ ଟଙ୍କା ।

ପାଣି ଗରାର ଦାମ ଶହେ ଟଙ୍କା…ପଇସା ନାହିଁ ତ’ ପାଣି ନାହିଁ ! ଚାରିଆଡେ ପାଣି ହେଲେ ପିଈବା ପାଇଁ ମିଳୁନି ମୁନ୍ଦେ ପାଣି । ଯେଉଁ ଗୋଟିଏ ନଳକୂଅରେ ପାଣି ଆସୁଛି, ସେଠିକୁ ପହଂଚିବା ପାଇଁ ଲୋକଙ୍କୁ କରିବାକୁ ପଡୁଛି ଜଳଯାତ୍ରା । ଡଙ୍ଗାରେ ପାଣି ପାର ହୋଇ ନଳକୂଅ ପାଖରୁ ପାଣି ଆଣିବାକୁ ହେଲେ ଦେବାକୁ ପଡୁଛି ଗରା ପିଛା ଶହେ ଟଙ୍କା । ଡଙ୍ଗା ଚାଳକ ଗରାପିଛା ଶହେ ଟଙ୍କା ଦାବି କରୁଥିବା ଲୋକେ ଅଭିଯୋଗ କରିଛନ୍ତି । ଏଭଳି କିଛି ଚିତ୍ର ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ଧୋୟା ଅଂଚଳରୁ ।

ଧୋୟା ଅଂଚଳର ୧୦ଟି ପଂଚାୟତ ଏବେ ପାଣି ଘେରରେ ଥିବା ବେଳେ ଲୋକଙ୍କ ମୁଖ୍ୟ ସମସ୍ୟା ପାଲଟିଛି ପିଇବା ପାଣି । ବ୍ରାହ୍ମଣୀ ନଦୀର ବନ୍ୟାପାଣିରେ ଜଳବନ୍ଦୀ ଥିବା ହଜାର ହଜାର ଲୋକ ଏବେ ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଂଚଳରେ ବି ଦେଖା ଦେଇଛି ସମାନ ସମସ୍ୟା । ଦେବୀ ଓ ପାଇକା ନଦୀର ବନ୍ୟା ଜଳ ଯୋଗୁଁ ତିର୍ତ୍ତୋଲର ଏକାଧିକ ଅଂଚଳ ପାଣି ଘେରରେ ଥିବା ବେଳେ ଲୋକ ପିଈବା ପାଣି ପାଇଁ ବେଶ ହସ୍ତସନ୍ତ ହେଉଛନ୍ତି ।

ଏପଟେ ଲୋକଙ୍କ ଅସହାୟତାର ଫାଇଦା ନେଇ ମାଲାମାଲ ହେଉଛନ୍ତି ବୋଟ ମାଲିକ । ଲୋକଙ୍କ କାମରେ ଆସୁନି ସରକାରୀ ବୋଟ୍ । ଆଉ ବନ୍ୟା ବିପନ୍ନଙ୍କୁ ପାଣି ପାରି କରାଇ ମାଲାମାଲ ହେଉଛନ୍ତି ଘରୋଇ ବୋଟ ମାଲିକ । ପାଣି ଘେରରେ ଥିବା ବନ୍ୟା ବିପନ୍ନଙ୍କୁ ପାଣି ପାରି କରାଇ ଦେବା ପାଇଁ ଦୈନିକ ୫ଶହ ଟଙ୍କା ନେଉଛନ୍ତି ଘରୋଇ ବୋଟ ମାଲିକ । କଟକ ଜିଲ୍ଲା ବାଙ୍କୀ ସିମିଳିପୁରରୁ ଆସିଛି ବନ୍ୟା ବିପନ୍ନଙ୍କ ଏଭଳି ଦୁର୍ଦ୍ଦଶାର ଖବର ।