ନେତା କରୁଛନ୍ତି ରାଲି, ପୁଲିସ କରୁଛି ଘେରାବନ୍ଦୀ: ହଇରାଣ ହେଉଛନ୍ତି ସାଧାରଣ ଜନତା

101

କନକ ବ୍ୟୁରୋ: ବିଜେପି ମହିଳା ମୋର୍ଚ୍ଚାର ରାଲି ଓ ପୋଲିସର ଘେରାବନ୍ଦୀରେ ଅସହାୟ ହୋଇ ପଡିଛନ୍ତି ସାଧାରଣ ଲୋକ । ବିଜେପିର ନବୀନ ନିବାସ ଘେରାଉ ଯୋଜନା ଓ ଏହାକୁ ପଣ୍ଡ କରିବାକୁ ପୋଲିସର କଡ଼ା ପହରା ଭିତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଜନତା । ରାଜଧାନୀର ଏୟାରପୋର୍ଟ ଛକ, ଶିଶୁଭବନ ଛକ ଓ କ୍ୟାପିଟାଲ ହସପିଟାଲ ଭଳି ମୁଖ୍ୟ ଛକରେ ପୋଲିସର ବ୍ୟାରିକେଡ ଯୋଗୁଁ ଟ୍ରାଫିକ ଜାମ ହୋଇଥିଲା । ପରିସ୍ଥିତିକୁ ଆୟତ କରିବାରେ ପୋଲିସ ବିଫଳ ହୋଇଥିବା ଦେଖିବାକୁ ମିଳିଥିଲା । ଫଳରେ ବିଭିନ୍ନ କାମରେ ବାହାରିଥିବା ଲୋକେ ଭିଡ ଭିତରେ ଫସିଯାଇଥିଲେ ।

ଅସୁସ୍ଥ ପୁଅକୁ ସ୍କୁଲରୁ ଘରକୁ ନେଉଛନ୍ତି । ହେଲେ ରାଲି ଓ ପୁଲିସର ଘେରାବନ୍ଦୀରେ ଅସହାୟ ହୋଇ ପଡିଛନ୍ତି ବାପା । ମମିତା ହତ୍ୟାକାଣ୍ଡ ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚାର ନବୀନ ନିବାସ ଘେରାଉ ଯୋଜନା ଓ ଏହାକୁ ପଣ୍ଡ କରିବାକୁ ପୁଲିସର କଡ଼ା ପହରା । ଆଉ ଏହାରି ଭିତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସାଧାରଣ ଲୋକ ।

ଗୋଟିଏ ପଟେ ବିଜେପି ମହିଳା ମୋର୍ଚ୍ଚାର ରାଲି ଏବଂ ଅନ୍ୟପଟେ ନବୀନ ନିବାସକୁ ଘେରି ରହିଥିଲେ ୨୪ ପ୍ଲାଟୁନ୍ ପୁଲିସ ଫୋର୍ସ । ବିକ୍ଷୋଭକାରୀଙ୍କୁ ଅଟକାଇବା ପାଇଁ ଏୟାରପୋର୍ଟ ଛକ, ଶିଶୁଭବନ ଛକ, କ୍ୟାପିଟାଲ ହସପିଟାଲ ଛକ, ଏଜି ଛକ ଆଦି ରାଜଧାନୀର ବିଭିନ୍ନ ସ୍ଥାନରେ ବ୍ୟାରିକେଡ କରିଥିଲା ପୁଲିସ । ସବୁଆଡେ ହୋଇଥିଲା ଟ୍ରାଫିକ ଜାମ । ପରିସ୍ଥିତିକୁ ଆୟତ କରିବାରେ ପୋଲିସ ବିଫଳ ହୋଇଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ କାମରେ ବାହାରିଥିବା ଲୋକେ ଭିଡ ଭିତରେ ଫସିଯାଇଥିଲେ । ଫଳରେ ସାଧାରଣ ଲୋକଙ୍କ ଠାରୁ ଡାକ୍ତରଖାନା ଯାଉଥିବା ରୋଗୀଙ୍କ ପର୍ଯ୍ୟନ୍ତ ସମସ୍ତେ ସମସ୍ୟାରେ ପଡିଥିଲେ ।

ବିଜେପି ମହିଳା ମୋର୍ଚ୍ଚା ରାଲି କରୁଥିବାରୁ ଅଟୋ ହେଉକି କାର, ଏପରିକି ଟୁ-ହି୍ୱଲରରେ ଯାଉଥିବା ମହିଳା, ଯାଂଚର ସମ୍ମୁଖୀନ ହେଉଥିଲେ । ଫ୍ଲାଇଟ୍ ସମୟ ଗଡ଼ି ଯାଉଥିଲା, ହେଲେ ଜଣେ ମହିଳା ଯାଂଚରେ ଫଶି ଯାଇଥିଲେ । ଶେଷରେ ଟିକଟ ଦେଖାଇବା ପରେ ପୁଲିସ ତାଙ୍କ ଗାଡ଼ିକୁ ଆଗକୁ ବଢ଼ିବା ପାଇଁ ଦେଇଥିଲା ।

ଖାଦ୍ୟ ସାମଗ୍ରୀ ଧରି ଅଟକି ରହିଥିଲେ ଡେଲିଭରୀ ବୟ । କିପରି ଲୋକଙ୍କୁ ଠିକ୍ ସମୟରେ ଖାଇବା ପହଁଚାଇବେ, ଏହି ଚିନ୍ତା ସେମାନଙ୍କୁ ଘାରୁଥିଲା । ବେଶ କିଛି ସମୟ ଧରି ରାଜଧାନୀର ଏହି ପ୍ରମୁଖ ସ୍ଥଳରେ ଦେଖା ଯାଇଥିଲା ଅଚଳାବସ୍ଥା ।