ଲାଇସେନ୍ସ ପାଇଁ ଲାଇନରେ ହେଲମେଟ । ଲାଇନରେ ଆଗରେ ରହିବାକୁ ପରିବହନ କାର୍ଯ୍ୟାଳୟ ସାମ୍ନାରେ ରାତି ସାରା ଶୋଇଲେ ଲୋକେ । 

819

କନକ ବ୍ୟୁରୋ : ସକାଳ ପାଇଁ ରାତି ଉଜାଗର । ସକାଳୁ ଶୀଘ୍ର ଲାଇନରେ ଠିଆ ହେବାକୁ ପଡିବ । ଏଥିପାଇଁ ରାତି ସାରା ଅଫିସ ସାମ୍ନାରେ ଲୋକେ ଅପେକ୍ଷା କରିଛନ୍ତି । କିଏ ଶୋଇଛି ତ ଆଉ କିଏ ଉଜାଗର । ସକାଳ ହେବ ଆଉ ଲାଇନର ପ୍ରଥମରେ ରହିିବେ । ଏହି ଚିନ୍ତାରେ ରାତି ସାରା ନିଦ ବି ହୋଇନି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି , ରାଜଧାନୀର ଏଜି ଛକରେ ଥିବା ପରିବହନ କାର୍ଯ୍ୟାଳୟ ପରିସରର ।

ଲୋକେ ଶୀତ କାକରରେ ଅଫିସ ବାରଣ୍ଡାରେ ଶୋଇ ରହିଛନ୍ତି । ୩ ମାସ କୋହଳ ହେବା ପରେ ଡିସେମ୍ବର ୧ ରୁ ପୁଣି ଥରେ କଡାକଡି ହେବାକୁ ଯାଉଛି ମୋଟର ଯାନ ଆଇନ୍ । ଏହା ଆଗରୁ ଆରଟିଓ ଅଫିସକୁ ପୁଣି ଫେରିଛି ଜାମ୍ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଆରଟିଓ ଅଫିସ ଗୁଡିକରେ ଦେଖିବାକୁ ମିଳୁଛି ପ୍ରବଳ ଭିଡ । ଏପଟେ ଚାଳକଙ୍କ ସୁବିଧା ପାଇଁ ଖୋଲାଯାଇଥିବା ପରିବହନ କେନ୍ଦ୍ରରେ ମଧ୍ୟ ଭିଡ ଜମିଛି । ଡ୍ରାଇଭିଂ ଲାଇସେନ୍ସ, ପ୍ରଦୂଷଣ ମୁକ୍ତ ପ୍ରମାଣପତ୍ର, ବୀମା, ପଞ୍ଜୀକରଣ ପ୍ରମାଣପତ୍ର ପାଇଁ ଲୋକଙ୍କ ଦୁର୍ଦ୍ଦଶା କମି ନଥିବା ବେଳେ ଡିସେମ୍ବର ପହିଲାରୁ ଲାଗୁ ହେବାକୁ ଯାଉଛି ନିୟମ । ଏଭଳି ସ୍ଥିତିରେ ଲୋକେ ରାତିରୁ ଅଫିସ ଆଗରେ ଲାଇନ ଲଗାଇଛନ୍ତି ।

ତେବେ ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଗାଡି କାଗଜପତ୍ର ପାଇଁ ୩ ମାସ ସମୟସୀମା ଦିଆଯାଇଥିଲେ ମଧ୍ୟ ଲୋକେ ଏହାକୁ ହାଲୁକାରେ ନେଇଥିଲେ । କିନ୍ତୁ ଡେଡଲାଇନ ପାଖେଇ ଆସିବାରୁ ଲୋକ ପୁଣିଥରେ ଆରଟିଓ ଅଫିସରେ ଭିଡ ଜମାଉଛନ୍ତି, ରାତି ଅନିଦ୍ରା ହେଉଛନ୍ତି । ଏନେଇ ସରକାର ବିଚାର ବିମର୍ଷ କରୁଛନ୍ତି, ଡେଡଲାଇନ ପୂର୍ବରୁ କୌଣସି ସମାଧାନର ରାସ୍ତା ବାହାରିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ଏସବୁ ଭିତରେ ନିୟମ ଉଲ୍ଲଂଘନକାରୀଙ୍କୁ ନିସ୍ତାର ମିଳିବନି ବୋଲି ଚେତାଇ ଦେଇଛନ୍ତି ପୋଲିସ ଡିଜି । ନୂଆ ଟ୍ରାଫିକ୍ ନିୟମ ନମାନିଲେ ତଣ୍ଡ ଗଣିବେ ଗାଡି ଚାଳକ । ଖାସକରି ପୁଲିସ ଟାର୍ଗେଟରେ ମଦୁଆ ଡ୍ରାଇଭର ରହିଛନ୍ତି । ମଦ ପିଇ ଗାଡି ଚଳାଇ ଧରା ପଡିଲେ ଛାଡିବନି ପୁଲିସ । ମଦ୍ୟପ ଡ୍ରାଇଭରଙ୍କୁ ମୋଟା ଅଙ୍କର ଜରିମାନା ଗଣିବାକୁ ପଡିବ ବୋଲି ସ୍ପଷ୍ଟ ଭାବରେ କହିଛନ୍ତି ପୋଲିସ ଡିଜି ସତ୍ୟଜିତ ମହାନ୍ତି ।