କମିଛି ବର୍ଷା, କମିନି ଦୁର୍ଦ୍ଦଶା । ଲଗାଣ ବର୍ଷା ପରର ଜଳବନ୍ଦୀ ଜୀବନ, ଭୋକ ଉପାସରେ ଗାଁ ଲୋକେ । ଉପୁଜିଛି ପିଇବା ପାଣି ସମସ୍ୟା ।
କନକ ବ୍ୟୁରୋ: ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ଜଳଧା ଗାଁର ଲୋକେ । ପ୍ରାୟ ୨୦୦ରୁ ଅଧିକ ପରିବାର ଜଳବନ୍ଦୀ ହୋଇ ରହିଛନ୍ତି । ଲଗାଣ ବର୍ଷାରେ ବେହାଲ ହୋଇପଡିଛି ବାଲେଶ୍ୱର ଭୋଗରାଇର ଏହି ଜଳଧା ଗାଁ । ଯୁଆଡେ ଚାହିଁଲେ ଖାଲି ପାଣି ଆଉ ପାଣି । ବର୍ଷାରେ ବଦଳିଯାଇଛି ସମ୍ପୂର୍ଣ୍ଣ ଗାଁର ଚିତ୍ର । ଘର ଚାରିପାଖରେ ପାଣି ଜମି ରହିଥିବା ବେଳେ ଏ ପର୍ଯ୍ୟନ୍ତ ପାଣି ନିଷ୍କାସନ ହୋଇପାରୁନି । ପାଣି ଯୋଗୁ ଚୁଲି ବି ଜଳୁନି । ଭୋକ ଉପାସରେ ରହୁଛନ୍ତି ଲୋକେ । ଦିନେ କି ଦୁଇ ଦିନ ନୁହେଁ ୬ ଦିନ ହୋଇଗଲାଣି ଜମି ରହିଛି ପାଣି । ଭୋକ ଉପାସରେ ଆଉଟୁ ପାଉଟୁ ହେଉଛନ୍ତି ଲୋକମାନେ । ସବୁଠ ବଡ ସମସ୍ୟା ପାଲଟିଛି ପିଇବା ପାଣି । ସବୁଆଡେ ୪ଫୁଟ ଉ୍ଚ୍ଚର ପାଣି ଜମିଥିବା ବେଳେ ତାରି ଭିତର ପଶି ଲୋକେ ପିଇବା ପାଣି ସଂଗ୍ରହ କରୁଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ଜଳଧା ଗାଁର ୫ ନମ୍ବର ୱାର୍ଡ ସହ ଦଳେଇ ସାହିରୁ ନେଇ ଅନେକ ସ୍ଥାନରେ ପାଣି ଜମି ରହିବା ଯୋଗୁ ଲୋକଙ୍କ ସ୍ଥିତି ବଡ ଦୟନୀୟ ହୋଇପଡିଛି । ପାଣି ଯୋଗୁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଗାଁରେ ଏଯାଏଁ କୌଣସି ଅଧିକାରୀଙ୍କ ଦେଖା ମିଳିନି । ଗାଁର ରାସ୍ତା ପାଣିରେ ବୁଡି ଯାଇିଛି । ସେପଟେ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ଗାଁର ଲୋକେ । ତାସହିତ ଗାଁକୁ ରିଲିଫ୍ ଯୋଗାଇବାକୁ ଦାବି କରିଛନ୍ତି । ଜଳ ବନ୍ଦୀ ହୋଇ ରହିଥିବା ଏହି ଗାଁର ଲୋକଙ୍କ ପାଇଁ ରିଲିଫ୍ ସହ ପିଇବା ପାଣିର ସୁବିଧା କରାଯିବା ଜରୁରୀ ହୋଇପଡିଛି ।