ଖଣ୍ଡଗିରି କୁମ୍ଭମେଳାରେ ଚାଲିଛି ଅପେରା ଲଢେଇ : ବଦଳୁଛି ଯାତ୍ରାର ରୂପରେଖ, ବ୍ୟବହାର ହେଉଛି ଲେଜର ଓ ଡିଜିଲାଟ୍ ଲାଇଟ୍

132

କନକ ବ୍ୟୁରୋ : ରାତି ହେଲେ ଦୁଲୁକୁଛି ଖଣ୍ଡଗିରି, ବଦଳୁଛି ମାହୋଲ । ଯାତ୍ରା ପେଣ୍ଡାଲରେ ଜମୁଛି ଯାତ୍ରା ପ୍ରେମୀଙ୍କ ଭିଡ । ଫିଲ୍ମ ଟିକେଟ ଠାରୁ ଅଧିକ ଟଙ୍କା ଦେଇ ଯାତ୍ରା ଟିକେଟ କିଣୁଛନ୍ତି ଯାତ୍ରା ପ୍ରେମୀ । ବର୍ଷ ବର୍ଷ ଧରି ଭିନ୍ନ ଭିନ୍ନ ପେଣ୍ଡାଲରେ ଯାତ୍ରା ପରିବେଷଣ ହେଉଥିବାବେଳେ ଏହାରି ଭିତରେ ବଦଳିଛି ଯାତ୍ରାର କଳେବର । ନାଟକ ଚାଲିଥିବାବେଳେ ପ୍ରତି ସିନ୍ ତଥା ଭିନ୍ନ ଭିନ୍ନ ସଂଳାପ ଅନୁଯାୟୀ ଆଲୋକ ପରିବର୍ତନ ହେଉଥାଏ ।

ତେବେ ଏଥିରେ ବି ଆସିଛି ଅନେକ ପରିବର୍ତନ । ରାଜଧାନୀ ଅପେରାର ପେଣ୍ଡାଲର ଗୋଟିଏ ପାଖେ ଏଲଇଡି ଓାଲ ଲାଗିଛି । ଆଉ ଶୋଭା ବଢାଉଛି ଭଳିକି ଭଳି ଲାଇଟ । ଲେଜର ଲାଇଟ ସାଙ୍ଗକୁ ଡିଜିଟାଲ ଲାଇଟ ଦର୍ଶକଙ୍କୁ ବେଶ ପସନ୍ଦ ଆସୁଛି । କେବଳ ଏତିକି ନୁହଁ ସମୟ ବଦଳିବା ସହ ପାରମ୍ପାରିକ ବାଦ୍ୟ ଯନ୍ତ୍ର ଓ ଅତ୍ୟାଧୁନୀକ ମ୍ୟୁଜିକ ସିଷ୍ଟମ ବି ହେଉଛି ବ୍ୟବହାର । ଦର୍ଶକଙ୍କୁୁ ଏଥି ପ୍ରତି ଆକୃଷ୍ଟ କରିବା ପାଇଁ ଯାତ୍ରା କମିଟି ଭିତରେ ବି ଚାଲିଛି ପ୍ରତିଯୋଗିତା ।

ଯାତ୍ରା ପୂର୍ବରୁ ଗୀତ ଓ ନାଚରେ ଜମୁଛି ମାହୋଲ । ଓଲିଉଡ ଏବଂ ବଲିଉଡ ଗୀତରେ ଝୁମୁଛନ୍ତି ଦର୍ଶକ । ରାଜଧାନୀ ଅପେରାରେ ମେଲୋଡି କାର୍ଯ୍ୟକ୍ରମରେ ଚାଲିଥିବା ଅନେକ ନାଚ ଗୀତ ଦର୍ଶକଙ୍କ ମନକୁ ଛୁଇଁଥିଲା । କିନ୍ତୁ ଏହାରି ଭିତରେ କଣ୍ଠଶିଳ୍ପୀ ସନ୍ତୋଷ ଗାଇଥିବା ବଲିଉଡ ଟ୍ରାକରେ ଅନେକଙ୍କ ଆଖି ଭିଝିଥିଲା । ଜଣେ ବୟସ୍କ ମହିଳା ସନ୍ତୋଷଙ୍କ ଗୀତ ଶୁଣି ମଂଚକୁ ଚାଲିଆସିଥିଲେ । ଆଉ ସନ୍ତୋଷଙ୍କ ଗୀତର ତାଳେ ତାଳେ ସେ ବି ଝୁମିଲେ । ଏହି ଦୃଶ୍ୟ ଅନେକଙ୍କୁ ବେଶ ଆନନ୍ଦ ଦେଇଥିଲା ।