ମନରେଗାରେ କାମ କଲା ପରେ ବି ମିଳୁନି ପ୍ରାପ୍ୟ । ପରିବାର ଚଳାଇବାକୁ ଦାଦନ ମୁହା ଗୌରେନମୁଣ୍ଡା ଗାଁର ଲୋକ

47

କନକ ବ୍ୟୁରୋ: ଦାଦନ ରୋକିବା ପାଇଁ ସରକାର ମନରେଗା ଯୋଜନାରେ ଲୋକଙ୍କୁ କାମ ଯୋଗାଇ ଦେଉଛନ୍ତି, ହେଲେ ଅଧିକାରୀମାନଙ୍କ ଖାମଖିଆଲି କାମ ଯୋଗୁଁ ଶ୍ରମିକ ମାନେ ତାଙ୍କର ପ୍ରାପ୍ୟ ପାଇବାରୁ ବଞ୍ଚିତ ହେବା ସହ ଦାଦନ ମୁହାଁ ହେଉଛନ୍ତି ।

ପଦ୍ମପୁର ଉପଖଣ୍ଡ ମରୁଡି ପ୍ରପୀଡିତ ଅଞ୍ଚଳ । ଚାଷୀ ପ୍ରାୟ ବର୍ଷା ପାଣିରେ ଚାଷ କରିଥାନ୍ତି । ଆଉ ବାକି ଦିନ ଦାଦନ ଖଟିବାକୁ ଯାଇଥାନ୍ତି । ସରକାର ଦାଦନ ରୋକିବାକୁ ମନରେଗା ଯୋଜନା ମାଧ୍ୟମରେ କାମ ଯୋଗାଇ ଦେଉଛନ୍ତି । ପଦ୍ମପୁର ଉପଖଣ୍ଡର ଉପାନ୍ତ ବ୍ଲକ ଗାଇସିଲଟ ବ୍ଲକ ଗୌରେନମୁଣ୍ଡା ପଞ୍ଚାୟତର ୯୦ ପ୍ରତିଶତ ଲୋକ ଏହି ଯୋଜନାରେ କାମ କରିଛନ୍ତି । ବର୍ଷା ଜଳ ଯେପରି ସଂରକ୍ଷିତ ହୋଇପାରିବ ସେଥିପାଇଁ ଚାଷୀମାନଙ୍କୁ ତାଙ୍କ ଜମିରେ ଗାତ ଖୋଳିି ଜଳ ସଂରକ୍ଷଣ କରିବା ପାଇଁ ମନରେଗା ଯୋଜନାରେ କାମ ଦେଇଛନ୍ତି ।

ଚାଷୀ ମାନେ ନିଜେ କାମ କରିବା ସହ ଅନ୍ୟ ମନରେଗା କାର୍ଡଧାରୀଙ୍କୁ କାମରେ ଲଗାଇଥାନ୍ତି । ହେଲେ ଦୀର୍ଘ ଦିନ ବିତିଯାଇଥିଲେ ବି ସେମାନଙ୍କ ପାରିଶ୍ରମିକ ତାଙ୍କୁ ମିଳିପାରିନି । ଯାହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି । ଚଳିତଥର ପାରିଶ୍ରମିକ ନମିଳିଲେ ଭୋଟବର୍ଜନ କରିବା ପାଇଁ ଚେତବନୀ ଦେଇଛନ୍ତି ଗାଁର ଲୋକମାନେ ।

କାମ କରି ପାଉଣା ନପାଇଥିବା ଲୋକେ ଭୋଟ ବର୍ଜନ ଚେତାବନୀ ଦେବା ସହ ଦାଦନ ଯିବା ପାଇଁ ସଜବାଜ ହେଉଥିବା ଅଭିଯୋଗ କରିଛନ୍ତ । ଗୌରେନମୁଣ୍ଡାର କିଛି ପରିବାର କାମ ଧନ୍ଦା ନ ପାଇ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି । ସେପଟେ ଏହି ସମସ୍ୟା ଜାଣିବା ପରେ ଖୁବଶୀଘ୍ର ସେମାନଙ୍କର ପାଉଣା ଦିଆଯିବା ସହିତ ଦାଦନ ବ୍ୟବସ୍ଥା ରୋକିବାକୁ ମିଳିଛି ପ୍ରତିଶ୍ରୁତି । ଦାଦନ ପାଇଁ ବାହାରକୁ ଯାଉଥିବା ଗାଁର ଲୋକଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ଦିଆଯାଇ କାମ ଯୋଗାଇବା ଜରୁରୀ ହୋଇଛି ।