କନକ ବ୍ୟୁରୋ : ତାତିରୁ ତାହ୍ରି ଦେବ ବର୍ଷା । ସେହି ବର୍ଷା ପାଇଁ ଗାଁରେ ଦାଣ୍ଡରେ ଚାଲିଛି ପୂଜାର୍ଚ୍ଚନା । ମାଛ ଓ ବେଙ୍ଗ ଧରି ଇନ୍ଦ୍ର ପୂଜା କରୁଛନ୍ତି ଗ୍ରାମବାସୀ । କୁନି କୁନି ପିଲା କଳସିରେ ପୋଖରୀରୁ ପାଣି ଆଣିବା ପରେ ପୂଜାର୍ଚନା କରାଯାଇଛି । ପୂଜାର୍ଚ୍ଚନା କରି ଇନ୍ଦ୍ରଦେବତାଙ୍କୁ ଶାନ୍ତ କଲେ ବର୍ଷା ହେବ ବୋଲି ଲୋକଙ୍କ ମନରେ ବିଶ୍ୱାସ ରହିଛି । ଗଜପତି ଜିଲ୍ଲା ନୂଆଗଡ ବ୍ଲକ ତଟରଙ୍ଗ ଗାଁରେ ଏଭଳି ପୂଜାର୍ଚ୍ଚନା କରାଯାଇଛି । ଗାଁର ପିଲାଠୁ ବୁଢା ସମସ୍ତେ ଏହି ପୂଜାରେ ଲାଗିଛନ୍ତି । ଏକ ବାଉଁଶରେ କଳସ ବନ୍ଧା ହୋଇଛି । ସେହି କଳସରେ ବେଙ୍ଗ ଓ ମାଛ ରଖାଯାଇଛି । କୁନି କୁନି ପିଲାମାନେ ପୋଖରୀରୁ ପାଣି ଆଣି ସେହି କଳସ ଉପରେ ଢାଳିଥାନ୍ତି । ଏମିତି କରି କରି ଗାଁ ସାରା ବୁଲିବା ପରେ ଗାଁ ଶେଷ ମୁଣ୍ଡରେ ଥିବା ପୋଖରରେ ମାଛ ଓ ବେଙ୍ଗକୁ ଛାଡି ଦିଆଯାଏ ।
ସେହିଭଳି ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛିସମାନ ଦୃଶ୍ୟ । ଗୋଟିଏ ହେଉଛି ତତଲା ବୌଦ୍ଧ ସହର । ତାତି ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । ଜୀବନ ଜୀବିକ ପୁରାପୁରି ଠପ୍ ହୋଇଯାଇଛି । ସକାଳ ୭ରୁ ସଂଧ୍ୟା ୬ଟା ଯାଏଁ ଘରୁ ବାହାରିବାକୁ ଡର ମାଡୁଛି । ସେପଟେ ଅନ୍ୟ ଦୃଶ୍ୟଟିକୁ ଦେଖନ୍ତୁ । ଚାଲିଛି ମନ୍ତ୍ର ପାଠ, ପୂଜାର୍ଚ୍ଚନା ଓ ହୋମଯଜ୍ଞ । ତେବେ ଏହି ଯଜ୍ଞ କୌଣସି ପୂଜାପାର୍ବଣ ପାଇଁ ନୁହେଁ । ଏହି ମନ୍ତ୍ରପାଠ ଓ ହୋମଯଜ୍ଞ ହେଉଛି ବର୍ଷା ପାଇଁ । ଅସହ୍ୟ ଗରମରେ ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି । ଆଉ ଏଥିରୁ ବର୍ତିବା ପାଇଁ ଇନ୍ଦ୍ର ଦେବତାଙ୍କ ଉଦ୍ଦେଶ୍ୟରେ ହୋମଯଜ୍ଞ ହେଉଛି । ବୌଦ୍ଧ ଜିଲ୍ଲା ଠିଡ଼ିକାଜୋର ଗାଁରେ ଏଭଳି ପୂଜାର୍ଚ୍ଚନା ଚାଲିଛି । ଆଉ ଏହି ପୂଜାର୍ଚ୍ଚନାର ବାଣିଭୂଷଣପୁର ପଂଚାୟତର ୧୮ଖଣ୍ଡ ଗାଁର ଲୋକ ସାମିଲ ହୋଇଛନ୍ତି । ବୈଦ୍ଧ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ପ୍ରତିଦିନ ତାପମାତ୍ରା ୪୨ ଡ଼ିଗ୍ରୀ ଉପରେ ରହୁଛି । ଫଳରେ ଲୋକେ ଅସହ୍ୟ ଗରମ ଅନୁଭୂତ କରୁଛନ୍ତି । ଏଥିରୁ ରକ୍ଷା ପାଇବା ପାଇଁ ହୋମଯଜ୍ଞ ପୂଜାପାଠ କରିଛନ୍ତି । ଗ୍ରାମବାସୀଙ୍କ ବିଶ୍ୱାସ ରହିଛି, ଏମିତି ହୋମଯଜ୍ଞ କଲେ ବର୍ଷା ହେବ ।
ଅନ୍ୟପଟେ ଦିନକୁ ଦିନ ବଢି ଚାଲିଛି ଖରାର ପ୍ରକୋପ । ରାଜ୍ୟରେ ଅନେକ ଜାଗାରେ ପାରଦ ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ପଶ୍ଚିମଓଡିଶାରେ ୪୫ ଡିଗ୍ରୀରୁ ଅଧିକା ରହୁଛି । ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହରରେ ଗରମ ଦିନକୁ ଦିନ ଅସହ୍ୟ ହେଉଛି । ଆଷାଢରେ ମୁଣ୍ଡଫଟା ଖରା ଲୋକଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପକାଇବା ସହ ଅତି ଜରୁରୀ ନହେଲେ ଲୋକେ ଘରୁ ବାହାରୁ ନାହାଁନ୍ତି