କରୋନା ରୋଗୀକୁ ଛାଡ଼ିଲେନି ଲୋକେ, ପୁଲିସ-ଜନସାଧାରଣ ଠେଲାପେଲା, ଫୋର୍ସ ମୁତୟନ

କରୋନା ରୋଗୀକୁ ଛାଡ଼ିଲେନି ଲୋକେ, ପୁଲିସ-ଜନସାଧାରଣ ଠେଲାପେଲା, ଫୋର୍ସ ମୁତୟନ

କନକ ବ୍ୟୁରୋ : ପୁରୀ ପେଣ୍ଠକଟା ଏବେ କରୋନା ହଟସ୍ପଟ୍‌। ତେବେ ଏଠାରେ ପୁନର୍ବାର ଜଣେ କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ନେଇ ପୁଲିସ ନାକେଦମ ହୋଇଛି। ପୂର୍ବରୁ ମଧ୍ୟ ଜଣେ କରୋନା ରୋଗୀଙ୍କୁ ଡାକ୍ତରଖାନା ନେବା ସମୟରେ ବିବାଦ ଉପୁଜିବାରୁ ପୁଲିସ-ଜନସାଧାରଣ ହାତାହାତି ହୋଇଥିଲେ। କରୋନା ରୋଗୀ ବୋଲି ରିପୋର୍ଟ ଦେଲେ ହିଁ ରୋଗୀଙ୍କୁ ଛଡ଼ାଯିବ ବୋଲି ରାତିରେ ସ୍ଥାନୀୟ ବାସିନ୍ଦାମାନେ ଅଡ଼ି ବସିଥିଲେ।

ମିଳିଥିବା ସୂଚନାରୁ ଜଣାପଡ଼ିଛି, ପ୍ରସାଦ ବରଫରେ ଥିବା ଜଣେ ଯୁବକଙ୍କୁ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ତାଙ୍କୁ ଡାକ୍ତରଖାନା ନେବା ପାଇଁ ଟିମ୍‌ ପହଞ୍ଚିଥିଲେ। ମାତ୍ର ଆକ୍ରାନ୍ତ ଜଣକ ଏହି ଟିମ୍‌କୁ ଧରା ଦେଇନଥିଲା। ଫଳରେ ସ୍ୱାସ୍ଥ୍ୟ ବିଭାଗ ଟିମ୍‌ ପୁଲିସର ସହାୟତା ନେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ କରୋନା ଆକ୍ରାନ୍ତକୁ ଉଠାଇ ନେଇଥିଲେ। ମାତ୍ର ଏଠାରେ ସ୍ଥାନୀୟ ଲୋକମାନେ ଏହି ଆକ୍ରାନ୍ତଙ୍କୁ ଛାଡ଼ିନଥିଲେ। ଏଥି ପାଇଁ ପୁଲିସ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଟଣାଓଟରା ଚାଲିଥିଲା। ଏହାର ସୁଯୋଗ ନେଇ କରୋନା ଆକ୍ରାନ୍ତ ପୁଲିସ ଗାଡ଼ିରୁ ଖସି ଦୌଡ଼ିଥିଲା।

ପୁଲିସ ଧରିବାକୁ ଉଦ୍ୟମ କଲା ବେଳେ ସ୍ଥାନୀୟ ଲୋକେ ଢ଼େଲାପଥର ମାଡ଼ କରିଥିଲେ। ଏହା ପରେ ଘଟଣା ସ୍ଥଳରେ ପୁଲିସ ଫୋର୍ସ ପହଞ୍ଚିଥିଲା। ଏସ୍‌ପି ଅଖିଳେଶ୍ୱର ସିଂଙ୍କ ନିର୍ଦ୍ଦେଶକ୍ରମେ ବରିଷ୍ଠ ପଦାଧିକାରୀ ଏବଂ ସମସ୍ତ ଥାନାର ଆଇଆଇସିମାନେ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ବହୁ ପରିଶ୍ରମ କରିଥିଲେ ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଛି। ସ୍ଥାନୀୟ ଅଞ୍ଚଳର ଭଦ୍ରଲୋକମାନଙ୍କୁ ନେଇ ଏକ ବୈଠକର ଆୟୋଜନ କରାଇଥିଲା ପୁଲିସ। କରୋନା ରୋଗୀଙ୍କୁ ଛାଡ଼ିବାକୁ ପୁଲିସ ବାଧ୍ୟ କରିବାରୁ ଶେଷରେ ସାହିବାସିନ୍ଦା ଆକ୍ରାନ୍ତକୁ ଛାଡ଼ିଥିବା ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe