ତୀବ୍ର ରୂପ ଧାରଣା କଲା ପଞ୍ଚାୟତ ଗୃହ ନିର୍ମାଣ ସ୍ଥାନ ପରିବର୍ତ୍ତନ ବିବାଦ । ମୟୁରଭଞ୍ଜ ଜିଲ୍ଲାପାଳଙ୍କ ସହ ପରିବାରକୁ ଅଟକ ରଖିଲେ ଉତ୍ତ୍ୟକ୍ତ ଲୋକେ

117

କନକ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଗାଡିକୁ ଆକ୍ରମଣ କଲେ ଉତ୍ତ୍ୟକ୍ତ ଲୋକେ । ବଡ ନୂଆଗାଁ ନିକଟରେ ଉତ୍ତ୍ୟକ୍ତ ଲୋକେ ଜିଲ୍ଲାପାଳଙ୍କ ଗାଡିକୁ ଆକ୍ରମଣ କରି କାଚ ଭାଙ୍ଗି ଦେଇଛନ୍ତି । ବଡ ନୂଆଗାଁର ଉତ୍ତ୍ୟକ୍ତ ଲୋକେ ପଞ୍ଚାୟତର ନୂଆ ଗୃହ ନିର୍ମାଣ ସ୍ଥାନ ବିବାଦର ସମାଧାନ କରିବା ଦାବିରେ ଜିଲ୍ଲାପାଳ ଓ ତାଙ୍କ ପରିବାରକୁ ଅଟକ ରଖିଥିଲେ । ଖବର ପାଇ କୁଳିଅଣା ଥାନା ପୁଲିସ ଫୋର୍ସ ସହ  ଘଟଣାସ୍ଥଳରେ ପହଞ୍ଚି ଜିଲ୍ଲାପାଳଙ୍କୁ ଉଦ୍ଧାର କରିଛନ୍ତି ।

ସୂଚନା ଅନୁସାରେ ଭଗବାନପୁର ପଞ୍ଚାୟତର ନୂଆ କାର୍ଯ୍ୟାଳୟ ନିର୍ମାଣ ଆଜି ବଡ ନୂଆଗାଁରେ ହେଉଥିଲା । ଏହାକୁ ବିରୋଧ କରିଥିଲେ କଙ୍କଡାସୋଲ, ଭଗବାନପୁର ଓ ସହରୀ ଗାଁରେ ଲୋକ । ଆଉ ପଞ୍ଚାୟତ ଗୃହ ନିର୍ମାଣ ସ୍ଥାନ ପରିବର୍ତ୍ତନ ଦାବିରେ ସହରୀ ନିକଟ ରାଜପଥକୁ ଅବରୋଧ କରିଥିଲେ ଗ୍ରାମବାସୀ । ଏହି ସମୟରେ ପରିବାର ସହ ଜିଲ୍ଲାପାଳ ସେହି ରାସ୍ତା ଦେଇ ଫେରୁଥିଲେ । ରାସ୍ତାରୋକ କଥା ଶୁଣି ଜିଲ୍ଲାପାଳ ବାଇପାସ ରାସ୍ତା ଦେଇ ସଦର ମହକୁମାକୁ ଯିବା ବେଳେ ବଡ ନୂଆଗାଁରେ ପହଞ୍ଚିିଥିଲେ । ଗାଡିରେ ଜିଲ୍ଲାପାଳ ମୟୂରଭଞ୍ଜ ଲେଖାଥିବା ଦେଖି ଅଟକାଇଥିଲେ ଗ୍ରାମବାସୀ । ଡ୍ରାଇଭର ଗାଡି ନରଖିବାରୁ ଟେକା ପଥର ମାଡ କରି ଗାଡି ଅଟକାଇ ବିବାଦର ସମାଧାନ ଦାବି କରିଥିଲେ । ଖବର ପାଇ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଜିଲ୍ଲାପାଳଙ୍କୁ ଉଦ୍ଧାର କରିଛି ।