ଭୂତାଣୁ କାଳରେ ଭୋକ ମେଂଟାଉଛି ‘ଆହାର’ । ଲକଡାଉନରେ ଚାକିରୀ ହରାଇଥିବା ଓ ଟଙ୍କା ନଥିବା ଲୋକଙ୍କ ପାଲଟିଛି ସାହାରା

176

କନକ ବ୍ୟୁରୋ: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ନିକଟ ଆହାର କେନ୍ଦ୍ର ସାମ୍ନାରେ ଲାଗିଥିବା ଏହି ଲମ୍ବା ଧାଡକୁ ଦେଖନ୍ତୁ । ଆଉ ବୁଝିବାକୁ ଚେଷ୍ଟା କରନ୍ତୁ ଲୋକଙ୍କୁ କିଭଳି ହନ୍ତସନ୍ତ କରୁଛି ଲକଡାଉନ୍ । ରୋଗୀ ସଂପର୍କୀୟଙ୍କଠାରୁ ଆରମ୍ଭ କରି ଯାତ୍ରୀ, ପ୍ରବାସୀ ଶ୍ରମିକ, ରାସ୍ତାକଡ ଦୋକାନୀ ଓ ଜୀବିକା ହରାଇଥିବା ବ୍ୟକ୍ତିଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଇ ଦେଉଥିବା ଏହି ଗୋଟିଏ ମାତ୍ର ବିକଳ୍ପ ଖୋଲା ଅଛି । ଲକଡାଉନରେ ରାସ୍ତାକଡ ଝୁମ୍ପୁଡି ହୋଟେଲ କିମ୍ବା ଖାଇବା ଦୋକାନ ସବୁ ବନ୍ଦ । ତେଣୁ ସବସିଡି ଦରରେ ଲୋକଙ୍କ ମୁହଁରେ ଆହାର ଦେଉଛି ଏହି ସରକାରୀ ଆହାର କେନ୍ଦ୍ର ।

କାଉଂଟରକୁ ଯାଇ ୫ ଟଙ୍କା ଦେଲେ ମିଳୁଛି ଟୋକନ । ଆଉ ସେହି ଟୋକନ ଦେଖାଇଲେ ମିଳିଯାଉଛି ପେଟପୁରା ଭାତ, ଡାଲ୍ମା ସାଙ୍ଗକୁ ଆଚାର । କିନ୍ତୁ କେବଳ ପାର୍ସଲ । କୋଭିଡ ନିୟମକୁ ମାନି ଏଠାରେ କେବଳ ଖାଦ୍ୟ ଘରକୁ ନେବାପାଇଁ ଅନୁମତି ରହିଛି । ଅନ୍ୟ ଦିନମାନଙ୍କରେ ୧ ହଜାରରୁ ଅଧିକ ମିଲ ପ୍ରସ୍ତୁତ ହେଉଥିବାବେଳେ ଏବେ ଦିନରେ ପ୍ରାୟ ୪୦୦ ଓ ରାତିରେ ଦେଢଶହ ମିଲ ତିଆରି ହେଉଛି । ଲକଡାଉନ ଯୋଗୁଁ ଲୋକେ ଆସିପାରୁ ନାହାନ୍ତି, କିନ୍ତୁ ଯିଏ ଆସୁଛନ୍ତି ସିଏ ପାର୍ସଲ ନେଇ ଯାଉଛନ୍ତି ।

ସାରା ରାଜ୍ୟରେ ପ୍ରାୟ ୧୬୪ଟି ଆହାର କେନ୍ଦ୍ର କାର୍ଯ୍ୟକ୍ଷମ ଥିବାବେଳେ ସହରାଂଚଳରେ ୧୧୪ଟି ଚାଲୁ ରହିଛି । ୧୪ ଦିନିଆ ଏହି ଲକଡାଉନର କଷ୍ଟକରଣ ସମୟରେ କାହାପାଖରେ ପଇସା ସରିଯାଇଛି ତ ଆଉ କାହାପାଖରେ ଚାକିରି ନାହିଁ କିମ୍ବା ଦରମା ନାହିଁ । ତେଣୁ ୫ ଟଙ୍କାରେ ଭାତ, ଡାଲମା ଯୋଗାଉଥିବା ସରକାରଙ୍କ ଆହାର କେନ୍ଦ୍ର ସେହିମାନଙ୍କ ପାଇଁ ସାହାରା ପାଲିଟିଛି ।