ଗଞ୍ଜାମ ପୋଲସରା ଅଞ୍ଚଳରୁ ଆସିଲା ଅଭାବନୀୟ ଖବର । କରୋନା ଟିକା ନେବାକୁ ଅମଙ୍ଗ ହେଉଛନ୍ତି ଗ୍ରାମବାସୀ ।

222

କନକ ବ୍ୟୁରୋ: କରୋନା ଟିକା ନେବାକୁ ରାଜି ହେଉନାହାନ୍ତି ଗ୍ରାମବାସୀ । ସ୍ୱାସ୍ଥ୍ୟ କର୍ମୀ ଟିକା ନେବାକୁ ବୁଝାସୁଝା କରିବାରୁ ଆମେ ମରିଗଲେ ତମେ ଦାୟୀ ହେବ କି ବୋଲି କରିଛନ୍ତି ପ୍ରଶ୍ନ । ଦୁର୍ଗମ ଅଂଚଳ ନୁହେଁ ଗଂଜାମ ଜିଲ୍ଲା ପୋଲସରା ନିକଟ ମରେଇପଲ୍ଲୀ, ଡାହାଣିପଲ୍ଲୀ ଗାଁରୁ ଆସିଛି ଏଭଳି ଖବର ।

ଗତ ୯ ତାରିଖରେ ଗୋଲିଆ, ଚିରିକିପଡା ମରେଇପଲ୍ଲି, ଡାହାଣୀପଲ୍ଲିରେ ପ୍ରଥମ ଡୋଜ ଟିକାକରଣ ପାଇଁ ପହଂଚିଥିଲା ପ୍ରଶାସନ । ହେଲେ ମରେଇପଲ୍ଲୀ, ଡାହାଣିପଲ୍ଲୀ ଗାଁରେ କେହି ଟିକା ନେବାକୁ ଆସିନଥିଲେ । ପରେ ଏଏନଏମ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀ ଗାଁକୁ ଯାଇ ଲୋକଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ । ଟିକା ନେଲେ ନିରୋଗ ରହିବ, ତମର କୌଣସି ଅସୁବିଧା ହେବ ନାହିଁ ବୋଲି ବୁଝାସୁଝା କରିଥିଲେ ସ୍ୱାସ୍ଥ୍ୟକର୍ମୀ । ହେଲେ ଗ୍ରାମବାସୀ ପାଲଟା ପ୍ରଶ୍ନ କରିଥିଲେ ଆମେ ଟିକା ନେଇ ମରିଗଲେ ତମେ ଦାୟୀ ହେବ କି । ଶେଷରେ ଗ୍ରାମବାସୀଙ୍କୁ ବୁଝାଇନପାରି ଟିକାଧରି ଫେରି ଆସିଛନ୍ତି ସ୍ୱାସ୍ଥ୍ୟକର୍ମୀ । କରୋନା ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଟିକାକରଣ ସହ କୋଭିଡ କଟକଣା ପାଳନ ଉପରେ ଗୁରୁତ୍ୱ ଦେଉଛନ୍ତି । ହେଲେ ଦୁର୍ଗମ ଓ ଆଦିବାସୀ ବହୁଳ ଅଂଚଳରେ ଲୋକେ ଟିକା ନେବାକୁ ରାଜି ହେଉ ନାହାନ୍ତି ।