ଦାଦନ ଯାଉଛି ଓଡ଼ିଆ ପୁଅ, ବନ୍ଦ ପଡ଼ିଛି ଓଡିଶାର ଶିଳ୍ପ । ଜଗତସିଂହପୁର ଜିଲ୍ଲାର ଶାରଳା ସୂତାକଳ ଚାଲୁ କରିବା ପାଇଁ ଦାବି ଉଠାଇଲେ ସ୍ଥାନୀୟ ବାସିନ୍ଦା, ୨୦ ବର୍ଷ ହେଲା ଜରାଜୀର୍ଣ୍ଣ ଅବସ୍ଥାରେ ସୂତାକଳ । 

926

କନକ ବ୍ୟୁରୋ : କାମ ଅନ୍ୱେଷଣରେ କାହିଁକି ଯାଉଛନ୍ତି ଓଡ଼ିଆ ? ଆଉ କରୋନା ବେଳେ ଫେରି ଆସିଥିବା ଶ୍ରମିକ ଏବେ କରିବେ କ’ଣ ? ଏମିିତି କିଛି ପ୍ରଶ୍ନ ଭିତରେ ଯେଉଁ କଥାଟି ମନକୁ ପ୍ରଥମେ ଆସୁଛି, ତାହା ହେଲା ବନ୍ଦ ପଡ଼ିଥିବା କାରଖାନା ଓ କଳ କାର୍ଯ୍ୟକ୍ରମ ହେବା କେତେ ଜରୁରୀ । ଆଉ ଠିକ୍ ଏମିତି ଏକ କଳ ହେଉଛି ଜଗତସିଂହପୁର ଜିଲ୍ଲାର ଶାରଳା ସୂତାକଳ ।

ଜଗତସିଂପୁର ଜିଲ୍ଲାର ଏହି ଜରାଜୀର୍ଣ୍ଣ ସ୍ମାରକୀ ଦିନେ ଜୀବିକାର ମାଧ୍ୟମ ଥିଲା, ହୁଏତ ଆଜିର ଏହି ଦୁରାବସ୍ଥା ଦେଖିଲେ କେହି ବିଶ୍ୱାସ କରିବେ ନାହିଁ । ୧୫ଶହରୁ ଅଧିକ କୁଶଳୀ ଶ୍ରମିକ ଏବଂ କର୍ମଚାରୀଙ୍କ ଜୀବନ-ଜୀବିକାର ମାଧ୍ୟମ ଥିବା ଶାରଳା ସୂତାକଳ ପ୍ରାୟ ୨୦ ବର୍ଷରୁ ଅଧିକ ସମୟ ଧରିବ ବନ୍ଦ ପଡ଼ିଛି ।

ଓଡ଼ିଶାର କଳାହାଣ୍ଡି, କୋରାପୁଟ, ବଲାଙ୍ଗୀର ସମେତ ପଂଜାବ ଓ ମହାରାଷ୍ଟ୍ର ଭଳି ରାଜ୍ୟରୁ ଏଠିକି କଂଚାମାଲ ଆସୁଥିଲା । ଆଉ ଏଠି କୁଶଳୀ ଶ୍ରମିକମାନେ ମେସିନ୍ ସାହାଯ୍ୟରେ ସୂତା ପ୍ରସ୍ତୁତ କରିବା ପରେ ଦେଶର କୋଣ ଅନୁକୋଣ, ଏମିତି କି ଦେଶ ବାହାରକୁ ରପ୍ତାନୀ ହେଉଥିଲା । ହେଲେ ଆଜି ସବୁ ଶୁନଶାନ୍ ।

ଏବେ କରୋନା କାଳରେ ନିଜ ମାଟିକୁ ଫେରୁଛନ୍ତି ଓଡ଼ିଆ ଶ୍ରମିକ । ପ୍ରାୟ ୫ ଲକ୍ଷ ପ୍ରବାସୀ ଶ୍ରମିକ ଓଡ଼ିଶା ଫେରିଛନ୍ତି । ଏଥିରେ ଜଗତସିଂହପୁର ଜିଲ୍ଲାର ଅଛନ୍ତି ୧୨ ହଜାରରୁ ଅଧିକ । ଆଉ ଏମାନଙ୍କ ମଧ୍ୟରେ ୭୦% ଶ୍ରମିକ ଶ୍ରେଣୀର । ସୁରତର ବିଭିନ୍ନ ସୂତାକଳରେ କାମ କରୁଥିବା ପ୍ରାୟ ୫ଶହ କୁଶଳୀ ଶ୍ରମିକ ବି ଫେରିଛନ୍ତି ।

୨୦ ବର୍ଷ ଧରି ଜରାଜୀର୍ଣ୍ଣ ହୋଇ ପଡ଼ି ରହିଥିବା ଏହି ସୂତାକଳ ପୁଣି ଥରେ କାର୍ଯ୍ୟକ୍ଷମ ହେବାର ଆବଶ୍ୟକତା ଏବେ ବଢ଼ିଯାଇଛି, କାରଣ ହଜାର ହଜାର ଶ୍ରମିକ ଏବେ ଜଗତସିଂହପୁର ଜିଲ୍ଲାକୁ ଫେରିଛନ୍ତି । ଆଉ ଏ ଦିଗରେ ପ୍ରଶାସନକୁ ଗୁରୁତର ସହ ବିଚାର କରିବାର ସମୟ ଆସିଛି ।

୧୯୮୨ ସମିହାରେ ୧୨ କୋଟି ଟଙ୍କାରେ ଆରମ୍ଭ ହୋଇଥିବା ଏହି ଶାରଳା ସୂତାକଳରୁ ୧୯୮୪ ମସିହାରେ ଉତ୍ପାଦନ ଆରମ୍ଭ ହୋଇଥିଲା । ହେଲେ ବୁଣାକାରଙ୍କୁ ରିହାତି ବନ୍ଦ ହେବା ଏବଂ କର୍ମଚାରୀଙ୍କ ଦରମା ଦାବି ବୃଦ୍ଧି ସୂତାକଳକୁ ଦେବାଳିଆ କରିଦେଇଥିଲା । ଆଉ ମହାବାତ୍ୟାରେ ସବୁ କିଛି ଉଜୁଡିଗଲା ।