୨୦ ବର୍ଷ ହେଲା ଅଚଳ ହୋଇପଡ଼ିଛି ମାହାଙ୍ଗା ଲକ୍ଷ୍ମୀନାରାୟଣପୁର ଗାଁର ଉତ୍କଳମଣି ତେଲ ଓ ଚାଉଳ ମିଲ । ମିଲରେ କାମ କରି ପେଟ ପୋଷୁଥିବା ଲୋକ ହନ୍ତସନ୍ତ ।

115

କନକ ବ୍ୟୁରୋ : ମାହାଙ୍ଗାରେ ତେଲ ମିଲ୍ ପୁନରୁଦ୍ଧାର ପାଇଁ ଦାବି । ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ଧରି ଅଚଳ ହୋଇପଡ଼ିଛି ମାହାଙ୍ଗା ବ୍ଲକ ଲକ୍ଷ୍ମୀନାରାୟଣପୁର ଗାଁର ଉତ୍କଳମଣି ତେଲ ଓ ଚାଉଳ ମିଲ । ଏହି ମିଲରେ ପାଖାପାଖି ୨୦୦ରୁ ଅଧିକ ଲୋକ କାମ କରି ନିଜ ପରିବାର ପ୍ରତିପୋଷଣ କରନ୍ତି । ମିଲ ବନ୍ଦ ହେବା ପରଠାରୁ କାମ ହରାଇ ବସିଛନ୍ତି କର୍ମଚାରୀ । ତେଣୁ ବାରମ୍ବାର ଏହାର ପୁନରୁଦ୍ଧାର ପାଇଁ ଦାବି କରିଆସୁଛନ୍ତି ଲୋକେ ।

କଟକ ମାହାଙ୍ଗା ବ୍ଲକ ଲକ୍ଷ୍ମୀନାରାୟଣପୁର ଗାଁରେ ଥିବା ଉତ୍କଳମଣି ରାଇସ ଆଣ୍ଡ ଅଏଲ ମିଲ । ମିଲ ଚାରିପଟେ ଗଛ ଉଠି ଜଙ୍ଗଲ ପାଲଟିଗଲାଣି । ଘର ଭିତରେ ଉଇ ହୁଙ୍କା ଉଠିଲାଣି । ମିଲ ଘର ଆଜବେଷ୍ଟସ୍ କଣା ହୋଇ ବର୍ଷା ପାଣି ପଡ଼ି ମେସିନ ଗୁଡ଼ିକ ଖତ ଖାଉଛି । ଦୀର୍ଘ ୨୦ ବର୍ଷ ହେବ ଅଚଳ ହୋଇ ପଡିଥିବା ଉତ୍କଳମଣି ତେଲ ଓ ଚାଉଳ ମିଲର ପୁନରୁଦ୍ଧାର ପାଇଁ ବାରମ୍ବାର ଦାବି ହେଲେ ମଧ୍ୟ ପ୍ରଶାସନର ନଜର ନଥିବା ଅଭିଯୋଗ ହେଉଛି ।

୧୯୭୦ରୁ ଆରମ୍ଭ ହୋଇଥିବା ଏହି ମିଲରେ ପ୍ରାୟ ୨୦୦ରୁ ଅଧିକ ପୁରୁଷ ଓ ମହିଳା କାମ କରି ପରିବାର ପୋଷୁଥିଲେ । ମିଲରେ ବାଦାମ, ରାଶୀ, ସୋରିଷ ନଡ଼ିଆ ଆଦି ପେଡ଼ା ହୋଇ ବଡ଼ ବଡ଼ ଗାଡ଼ିରେ ତେଲ ବିଭିନ୍ନ ଅଞ୍ଚଳକୁ ପଠାଯାଉଥିଲା । ୧୯୯୯ ମହାବାତ୍ୟା ପର ଠାରୁ ମିଲଟି ବନ୍ଦ ହେବାରୁ କର୍ମଚାରୀଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିଛି ।