ମୋ ସ୍କୁଲ ଅଭିଯାନରେ ସାମିଲ ହୋଇ ସଜେଇ ହୋଇଛି ସରକାରୀ ସ୍କୁଲ: ବଦଳି ଯାଇଛି ସ୍କୁଲ ପରିବେଶ, ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରୁଛି ସ୍ମାର୍ଟ କ୍ଲାସ ରୁମ୍ 

141

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ଫାଇଭ-ଟି ଯୋଜାନର ମୋ ସ୍କୁଲ ଅଭିଯାନରେ ସାମିଲ ହେବା ପରେ ବଦଳି ଯାଇଛି ସରକାରୀ ସ୍କୁଲର ରୂପରେଖ । ଖୁବ୍ ସୁନ୍ଦର ଭାବେ ସଜେଇ ହୋଇଛି ୪୩ ବର୍ଷର ପୁରୁଣା ମାଲକାନଗିରି ଜିଲ୍ଲାର ଉପାନ୍ତ କାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟ । ସ୍କୁଲର ଚିତ୍ର ବଦଳାଇବା ପାଇଁ  ଖର୍ଚ ହୋଇଛି ପ୍ରାୟ ୨ କୋଟି ଟଙ୍କା ।

ଆହା କି ସୁନ୍ଦର, କାଲିମେଳାର ଏଇ ସରକାରୀ ଉଚ୍ଚ ବିଦ୍ୟାଳୟ  । ୧୯୭୯ରୁ ସ୍ଥାପିତ ଏହି ହାଇସ୍କୁଲରେ ପ୍ରାୟ ୭ଶହରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ଗରିବ ଆଦିବାସୀ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ସାକାର କରିବା ପାଇଁ ସ୍କୁଲକୁ ନୂଆ ରୂପ ଦେଇଛନ୍ତି ରାଜ୍ୟ ସରକାର । ମୋ ସ୍କୁଲ ଅଭିଯାନରେ ସାମିଲ ହୋଇଥିବା ସ୍ମାର୍ଟ ସ୍କୁଲରେ ରହିଛି ସ୍ମାର୍ଟ ଶ୍ରେଣୀ ଗୃହ । ଇ-ଲାଇବ୍ରେରୀ,  ଅତ୍ୟାଧୁନିକ ଲ୍ୟାବ, ଓପନ ଜିମ୍, ସୁନ୍ଦର ବଗିଚା, ବିଭିନ୍ନ ବୈଜ୍ଞାନିକ ଉପକରଣ ସହ ସାଇନସ ପାର୍କ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରୁଛି । ସ୍କୁଲକୁ ଏତେ ସୁନ୍ଦରଭାବେ ସଜେଇ ଦିଆଯାଇଛି ଯେ, ସ୍ଥାନୀୟ ଅଂଚଳର ଲୋକେ ଏଠାକୁ ବୁଲାବୁଲି କରିବାକୁ ଆସୁଛନ୍ତି ।

ଉନ୍ନତ ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ସହ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ପାଇଁ ସିସିଟିଭି ନଜରରେ ରହିଛି ପୁରା ସ୍କୁଲ । ସ୍କୁଲ ସଜେଇ ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ସମେତ ପୂରାତନ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଅଂଚଳର ବରିଷ୍ଠ ନାଗରିକମାନେ ଏଠାକୁ ଆସି ପ୍ରତଃ ଭ୍ରମଣ କରିବା ସହ ଓପନ୍ ଜିମ୍ରେ ବ୍ୟାୟାମ କରୁଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରୁ କାଲିମେଳା ବୁଲି ଆସୁଥିବା ପର୍ଯ୍ୟଟକ ଏହି ସ୍କୁଲ ବୁଲିବାକୁ ଆସୁଛନ୍ତି ।

ସରକାରୀ ସ୍କୁଲ ପ୍ରତି ଛାତ୍ରଛାତ୍ରୀଙ୍କର ଆଗ୍ରହ ବୃଦ୍ଧି କରିବା ଉଦେଶ୍ୟରେ ରାଜ୍ୟ ସରକାର ଫାଇଭ-ଟି ଯୋଜନାରେ ମାଲକାନଗିରି ଜିଲ୍ଲାର ୬ଟି ହାଇସ୍କୁଲକୁ ରୁପାନ୍ତରକରଣ କରାଯାଇଛି ।  . ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ କାଲିମେଳା ହାଇସ୍କୁଲକୁ ନୂଆ ରୂପ ଦିଆଯାଇଛି ।