ଭୋଟ ପାଇଁ ଜନ୍ମମାଟିରୁ ଆସିଛି ଡାକରା । ଗାଁ ମୁହାଁ ହେଉଛନ୍ତି ବାହାର ରାଜ୍ୟରେ ଦାଦନ ଖଟୁଥିବା ଭୋଟର । ଗୁଜରାଟରୁ ବ୍ରହ୍ମପୁରକୁ ଲୋକଙ୍କ ସୁଅ

226

କନକ ବ୍ୟୁରୋ: ଆସନ୍ତା ମାସରେ ସାଧାରଣ ନିର୍ବାଚନ । ଏଥିପାଇଁ ଗାଁ ମୁହାଁ ହେଉଛନ୍ତି ରାଜନେତା । ଭୋଟରଙ୍କ ପାଖରେ ପହଞ୍ଚୁଛନ୍ତି, ଭୋଟରଙ୍କୁ ଖୋଜୁଛନ୍ତି । କେବଳ ଗାଁରେ ଥିବା ଭୋଟର ନୁହେଁ ବାହାର ରାଜ୍ୟରେ ଦାଦନ ଖଟୁଥିବା ଭୋଟରଙ୍କ ଖୋଜାପଡୁଛି । ସେଇଥିପାଇଁ ଗୁଜୁରାଟରୁ ବ୍ରହ୍ମପୁରକୁ ଏବେ ଲୋକଙ୍କ ସୁଅ ଛୁଟୁଛି । ଖରା ଦିନ, ଗାଁରେ ଯାନିଯାତ୍ରା ଚାଲିଛି, ଆଗକୁ ଭୋଟ ଅଛି । ସେଇଥିପାଇଁ ସେମାନେ ଏବେ ଘର ମୁହାଁ ହୋଇଛନ୍ତି । ବ୍ରହ୍ମପୁର ରେଳ ଷ୍ଟେସନରେ ଏବେ ସୁରଟ ଫେରନ୍ତାଙ୍କ ଭିଡ ।

  • ଗୁଜରାଟ ଛାଡି ଗଞ୍ଜାମ ମୁହାଁ
  • ଭୋଟ ପାଇଁ ଜନ୍ମମାଟିରୁ ଡାକରା

ନିର୍ବାଚନ ଆସିଛି । ଲୋକଙ୍କ ପାଖକୁ ନେତା ଯାଉଛନ୍ତି । ବାହାରେ ଥିବା ଲୋକଙ୍କୁ ଗାଁକୁ ଡକାଉଛନ୍ତି । ଆଉ ନେତା ସହ ବିଭିନ୍ନ ଦଳର ରାଜନୈତିକ କର୍ମୀଙ୍କ ଡାକରା ପାଇ ଗୁଜରାଟରୁ ଶହ ଶହ ଲୋକ ପରିବାର ସହ ଗଞ୍ଜାମକୁ ଫେରୁଛନ୍ତି । ନିର୍ବାଚନ ଆସିଲେ ଦାଦନ ଶ୍ରମିକଙ୍କୁ ମନେ ପକାନ୍ତି ଅଞ୍ଚଳର ନେତା । ସେମାନେ ମଧ୍ୟ ନିଜର ଭୋଟଦେଇ ନେତା ବାଛିବା ଅଧିକାରକୁ ହାତଛଡ଼ା କରିବା ପାଇଁ ଚାହୁଁ ନାହାନ୍ତି । ସେଇଥି ପାଇଁ ଗୁଜାରଟରୁ ଓଡିଶା ଆସୁଥିବା ସମସ୍ତ ଟ୍ରେନରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି ।

ଗଞ୍ଜାମ ଜିଲ୍ଲାର ୭ଲକ୍ଷରୁ ଅଧିକ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇଥାନ୍ତି । ବିଶେଷ କରି ଗୁଜୁରାଟର ସୂତା କଳରେ ଏହିମାନେ କାମ କରନ୍ତି । ଏପଟେ ଜିଲ୍ଲାରେ ଥିବା ଆସିକା ସୂତାକଳ ବନ୍ଦ ହୋଇଗଲାଣି, କାମ ଧନ୍ଦା ମିଳୁ ନାହିଁ । ପେଟ ପାଟଣା ପାଇଁ ବାହାର ରାଜ୍ୟରେ ପରିବାରକୁ ନେଇ ରହିବାକୁ ବାଧ୍ୟ ହେଉଛନ୍ତି ସତ । ହେଲେ କେହି ବି ନିର୍ବାଚନକୁ ହାତଛଡ଼ା କରିବା ପାଇଁ ଚାହାନ୍ତି ନାହିଁ ।

ପଞ୍ଚାୟତ ନିର୍ବାଚନ ହେଉ କି ସାଧାରଣ ନିର୍ବାଚନ । ଭୋଟ ଆସିଲେ ଦାଦନ ଶ୍ରମିକଙ୍କୁ ଖୋଜନ୍ତି ନେତା ଓ ତାଙ୍କ କର୍ମୀ । ଆଉ ତାଙ୍କ କଥା କେହି ବୁଝୁନଥିଲେ ବି ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେବାକୁ ସେମାନେ ଭିଟା ମାଟିକୁ ଛୁଟି ଆସନ୍ତି ।