ପ୍ରକୃତି ଦେଉଛି ରୋଜଗାର: ଜଙ୍ଗଲ ପାହାଡ଼ ଘେରା ସମ୍ବଲପୁର କୁଚିଣ୍ଡାରେ ମହୁଲ ଫୁଲ ସଂଗ୍ରହ କରି ବିକ୍ରି କରୁଛନ୍ତି ଲୋକେ

143

କନକ ବ୍ୟୁରୋ: ପ୍ରକୃତି ଦେଉଛି ରୋଜଗାର । ସେ ଖରା ହେଉ ଅବା ବର୍ଷା, ଶୀତ ହେଉ ଅବା ବସନ୍ତ । ସବୁ ବେଳେ ସବୁ ସମୟରେ ପ୍ରକୃତି ଲୋକଙ୍କୁ ରୋଜଗାର ଦେଇଥାଏ । ପ୍ରକୃତିି କୋଳରେ ଥିବା ପାହାଡ, ପର୍ବତ, ଜଙ୍ଗଲ, ଝରଣା ପ୍ରଭୃତି ପରୋକ୍ଷରେ ହେଉ ଅବା ପ୍ରତକ୍ଷରେ ଲୋକଙ୍କ ପାଇଁ ରୋଜଗାରର ମାଧ୍ୟମ ପାଲଟିଥାଏ । ଜଙ୍ଗଲ ହେଉ ଅବା ପାହାଡ, ଏହାର ପାଦ ଦେଶରେ ବସବାସ କରୁଥିବା ଲୋକେ ବର୍ଷ ତମାମ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଗୁଜୁରାଣ ମେଟାଂଇ ଥାଆନ୍ତି । ତେବେ ବର୍ତମାନ ଖରା ସମୟରେ ଅନେକ ପରିବାର ମହୁଲଫୁଲ ସଂଗ୍ରହ କରି ତାକୁ ବିକି ବେଶ ଲାଭବାନ ହୋଇପାରୁଛନ୍ତି ।

ବସନ୍ତର ଆଗମନରେ ହସୁଛି ମହୁଲ ଫୁଲ । ଗଛରେ ପେନ୍ଥା ପେନ୍ଥା ହୋଇ ଝୁଲିବା ସହ ପ୍ରକୃତିର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଛି । ବଣ ପାହାଡ଼ ଘେରା ସମ୍ବଲପୁରର କୁଚିଣ୍ଡା ଅଂଚଳରେ ଯୁଆଡେ ଦେଖିବ ସିଆଡେ ମହୁଲ ଗଛ । ଆଉ ଗଛ ଚାରିପଟେ ବିଛାଇ ହୋଇ ପଡିଛି ମହୁଲ ଫୁଲ । ସ୍ଥାନୀୟ ବାସିନ୍ଦା ଏହାକୁ ସଂଗ୍ରହ କରି ବଜାରରେ ବିକ୍ରୟ କରୁଛନ୍ତି । ପ୍ରତ୍ୟେକ ଦିନ ସକାଳୁ ଆସି ନିଜ ଘର ପାଖରେ କିମ୍ବା ଆଖପାଖରେ ଥିବା ଗଛରୁ ବସ୍ତା ବସ୍ତା ମହୁଲ ଫୁଲ ସଂଗ୍ରହ କରି ତାକୁ ଶୁଖାଇ ଅମଳ କରୁଛନ୍ତି ଲୋକେ । ପ୍ରତେକ ବର୍ଷ ବସନ୍ତ ଆସିଲ ଲୋକଙ୍କ ଜୀବନ ଜୀବିକା ସହ ଯୋଡ଼ିହୋଇଥାଏ ମହୁଲ ଫୁଲ । ଏହାକୁ ସଂଗ୍ରହ କରି ଦୁଇପଇସା ଲାଭ ପାଇଥାଆନ୍ତି ସ୍ଥାନୀୟ ବାସିନ୍ଦା ।

ପ୍ରକୃତିର ବରଦାନ ସ୍ୱରୁପ ବର୍ଷକ ଯାକ ଭିନ୍ନ ଭିନ୍ନ ରୁତୁରେ ଭିନ୍ନ ଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ସେଇଥିରେ ଗୁଜୁରାଣ ମେଟଂଇ ଥାଆନ୍ତି ବଣ ପାହାଡ଼ ଅଂଚଳରେ ରହୁଥିବା ଅଧିବାସୀ । ତେବେ ଖରାଦିନ ଆସିଲେ ମହୁଲଫୁଲ ସଂଗ୍ରହ କରି ତାକୁ ବିକି ବେଶ ଦୁଇପଇସା ଲାଭ କରିଥାଆନ୍ତି ସମ୍ବଲପୁର କୁଚିଣ୍ଡା ଅଂଚଳର ଲୋକେ । ଖରାର ପ୍ରକୋପ ଯେତିକି ଯେତିକି ବଢେ ମହୁଲ ଫୁଲ ସେତେ ଅଧିକ ହୋଇଥାଏ । ଏହି ମହୁଲ ଫୁଲ ସଂଗ୍ରହ କରି ତାକୁ ବିକି ଗୋଟିଏ ଗୋଟିଏ ପରିବାର ବର୍ଷକରେ ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତି । ତେବେ ଅନ୍ୟ ବର୍ଷ ଅପେକ୍ଷା ଏବର୍ଷ ଭଲ ଫୁଲ ଆସିଥିବାରୁ ଅଧିକ ରୋଜଗାର ଆଶା ରଖିଛନ୍ତି ମହୁଲ ସଂଗ୍ରହକାରୀ ।

ସହର ଆଉ ଗ୍ରାମାଚଂଳରେ ବସବାସ କରୁଥିବା ଲୋକଙ୍କ ରୋଜଗାରର ମାଧ୍ୟମ ପାଖାପାଖି ସମାନ ହୋଇଥାଏ । କିନ୍ତୁ ଜଙ୍ଗଲ ପାହାଡ଼ ଅଂଚଳରେ ବସବାସ କରୁଥିବା ଲୋକଙ୍କ ରୋଜଗାର ସଂପୁର୍ଣ୍ଣ ଅଲଗା । ବର୍ଷକର ଭିନ୍ନ ଭିନ୍ନ ରୁତରେ ଭିଭିନ୍ନ ପ୍ରକାରର ଫଳ, ଫୁଲ ପାଲଟିଥାଏ ଏମାନଙ୍କ ରୋଜଗାରର ମାଧ୍ୟମ । ତେଣୁ ପ୍ରକୃତିକୁ ବଂଚାଇ ତାର ସଦବିନିଯୋଗ କରିବାର ଆବଶ୍ୟକତା ରହିଛି ।