ଡ୍ରେନ୍ ପାଣିରେ ୱାଟକୋ ଅଧିକାରୀଙ୍କୁ ଚଲାଇଲେ ଲୋକେ। କହିଲେ, ଡ୍ରେନ ପାଣିରେ ଚାଲି ଜାଣନ୍ତୁ ଲୋକଙ୍କ ଦୁର୍ଦ୍ଦଶା

121

କନକ ବ୍ୟୁରୋ: ଦୀର୍ଘଦିନ ଧରି ସ୍ୱେରେଜ ଯନ୍ତ୍ରଣା ଭୋଗିବା ପରେ ଭୁବନେଶ୍ୱର ପଂଚସଖା ନଗରବାସୀଙ୍କ ମଧ୍ୟରେ ଅସନ୍ତୋଷ । ୱାଟକୋ କର୍ତୃପକ୍ଷ ମନଇଛା ରାସ୍ତା ଖୋଳିଦେଇଥିବାରୁ ରାସ୍ତାକୁ ଚାଲିଆସୁଛି ଆବର୍ଜନା ପାଣି । ଆଉ ପ୍ରତିବାଦ ସ୍ୱରୂପ ୱାଟକୋ ଅଧିକାରୀଙ୍କୁ ରାସ୍ତା ଉପରେ ଚଲାଇ ଚଲାଇ ନେଇଛନ୍ତି ପଂଚସଖା ନଗରବାସୀ । ପାଇଖାନା ପାଣିରେ ଚାଲିଛନ୍ତି ୱାଟକୋ ସିଓଓ । ସିଓଓଙ୍କ ସହ ଜିଏମକୁ ମଧ୍ୟ ରାସ୍ତାରେ ଚଲାଇଛନ୍ତି । ଭୁବନେଶ୍ୱରରେ ଦୀର୍ଘଦିନ ହେଲା ସ୍ୱେରେଜ କାମ ଚାଲିଛି । ଆଉ ଏହି କ୍ରମରେ ସ୍ଥାନୀୟ ଲୋକଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ନ କରି ପଂଚସଖା ନଗରର ମୁଖ୍ୟରାସ୍ତାକୁ ଖୋଳିଦେଇଥିଲେ ୱାଟକୋ କର୍ତୃପକ୍ଷ । ଫଳରେ ଲୋକଙ୍କ ଯିବା ଆସିବାରେ ଘୋର ଅସୁବିଧା ହୋଇଥିଲା । ଆଉ ବୁଧବାର ଏହାର ଅସନ୍ତୋଷ ଦେଖିବାକୁ ମିଳିଥିଲା  ।

ଦୀର୍ଘଦିନ ଧରି ପଂଚସଖା ନଗରରେ ମୁଖ୍ୟ ରାସ୍ତା ଖୋଳିଦିଆଯାଇଥିଲା । ଫଳରେ ଏଠାରେ ରହୁଥିବା ପ୍ରାୟ ୭ ଶହ ପରିବାର ଅସୁବିଧାର ସମ୍ମୁଖୀନ ହୋଇଥିଲେ  । ଖଣ୍ଡଗିରିକୁ ଆସିବା ପାଇଁ ୭ କିଲୋମିଟର ବୁଲିବାକୁ ପଡୁଥିଲା । ଆମ୍ବୁଲାନ୍ସ ଆସିବା ପାଇଁ ବାଟ ନ ଥିଲା । ଛୋଟ ପିଲା ଓ ବୟସ୍କ ବି ହାଇରାଣ ହେଉଥିଲେ । ବିକଳ୍ପ ରାସ୍ତା ତିଆରି କରି ସ୍ୱେରେଜ କାମ କରାଗଲେ କେହି ଆପତି ଉଠାଇନଥାନ୍ତେ । କିନ୍ତୁ ଏହା କରା ନ କରାଯାଇ ମୁଖ୍ୟ ରାସ୍ତାକୁ ଖୋଳିବା ଦ୍ୱାରା ଲୋକେ ହଇରାଣ ହେଉଥିଲେ । ଏବେ  କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଚେତିଛି ପ୍ରଶାସନ । ଆଉ ଲୋକଙ୍କ ପାଇଁ ବିକଳ୍ପ ରାସ୍ତା କରାଯାଇଛି ।

କେବଳ ଖଣ୍ଡଗିରି ନିକଟ ପଂଚସଖା ନଗର ନୁହେଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସ୍ୱରେଜ କାମ ନାଁରେ ରାସ୍ତା ଖୋଳାଯାଉଛି । ଆଉ ସ୍ୱରେଜ ଖୋଳାରେ ଅଣନିଶ୍ୱାସୀ ହୋଇପଡିଛନ୍ତି ସହରବାସୀ ପ୍ରଶ୍ନ ଉଠୁଛି, ଏହାର ଅନ୍ତ ହେବ କେବେ ?