କନକ ବ୍ୟୁରୋ: ଆମକୁ ସୁରକ୍ଷା ଦିଅ, ଆମେ ଭୋଟ ଦେବୁ । ଆମେ ଆମ ଜନ ପ୍ରତିନିଧୀ ବାଛିବୁ । ସ୍ୱାଭିମାନ ଅଂଚଳର ବିଭିନ୍ନ ଅଂଚଳରେ ଦଶନ୍ଦି ଦଶନ୍ଦି ଧରି ଆଦୌ ଭୋଟ ହୋଇନଥିବା ବେଳେ ଏଥର ନିଜ ଗାଁରେ ବିଏସଏଫ କ୍ୟାମ୍ପ ସ୍ଥାପନ କରି ଭୋଟ ପାଇଁ ଅପିଲ କରିଛନ୍ତି ଯନ୍ତ୍ରୀ ପଂଚାୟତ ବାସିନ୍ଦା । ଗୁରୁପ୍ରୀୟା ସେତୁ ନିର୍ମାଣ ପରେ ମଧ୍ୟ ଦୁର୍ଗମ ଯନ୍ତ୍ରୀ ପଂଚାୟତକୁ ଏଯାଏଁ ରାସ୍ତା ଘାଟ ଫିଟି ନଥିବା ବେଳେ ସରକାରୀ ବାବୁଙ୍କ ସେଠାରେ ପାଦ ପଡୁ ନାହିଁ । ତେବେ ସେଇ ଅପହଁଚ ଇଲାକାରେ ନିର୍ବାଚନୀ ମାହୋଲ କେମିତି ରହିଛି, ତାହାର ସ୍ଥିତି ଅନୁଧ୍ୟାନ କରିଛି କନକ ନ୍ୟୁଜ ।
ଅସହ୍ୟ ହୋଇ ଗଲା ଲାଲବାହିନୀଙ୍କ ଆତଙ୍କରାଜ । ଏଥର ଆମେ ଭୋଟ ଦେବୁ । ଜନ ପ୍ରତିନିଧୀ ବାଛିବୁ । ଗୁରୁପ୍ରୀୟା ସେତୁ ନିର୍ମାଣ ପରେ ସ୍ୱାଭିମାନ ଅଂଚଳର ପ୍ରାୟ ସମସ୍ତ ଗ୍ରାମ ପଂଚାୟତକୁ ରାସ୍ତା ଫିଟିଛି । କିନ୍ତୁ ଦୁର୍ଗମ ଯନ୍ତ୍ରୀ ଅଂଚଳକୁ ରାସ୍ତା ପହଁଚି ପାରିନାହିଁ । ଆଉ ଘନବେଡା ଠାରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ଲାଲହାହିନୀଙ୍କ ଆତଙ୍କ କିଛି ମାତ୍ରାରେ କମିଛି । ତେଣୁ ଏଥର ପଂଚାୟତ ନିର୍ବାଚନରେ ଭୋଟ ଦେବା ଲାଗି ଇଚ୍ଛା ପ୍ରକାଶ କରିଛନ୍ତି ଯନ୍ତ୍ରୀ ପଂଚାୟାତବାସି । ଯନ୍ତ୍ରୀ ଜଳଭଣ୍ଡାର ଆରପଟେ ସ୍ଥାୟୀ ବିଏସଏଫ କ୍ୟାମ୍ପ କରି ସୁରକ୍ଷିତ ଭାବେ ମତଦାନ କେନ୍ଦ୍ରକୁ ନେବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।
ସ୍ୱାଭିମାନ ଅଂଚଳର ଅଧିକାଂଶ ଗାଁରେ ଲୋକେ ବିଗତ ଦିନରେ କେବେ ଭୋଟ ଦେଇଥିଲେ, ତାହା କହିବା କଷ୍ଟକର । ଯନ୍ତ୍ରୀ ଗାଁର ଲୋକେ ୨୦୦୪ ପରେ ଆଦୌଂ ଭୋଟ ଦେଇ ନାହାନ୍ତି । କାରଣ ୨୦୦୯ରେ ଯନ୍ତ୍ରୀ ଘାଟରେ ବାଲଟ ବକ୍ସ ଆଦି ପୋଡି ଦେଇଥିଲେ ମାଓବାଦୀ । ସେଇ ଦିନ ଠାରୁ ନିର୍ବାଚନ ଏଠାରେ କେବଳ କାଗଜ ପତ୍ରରେ ସୀମିତ ହୋଇ ରହି ଥିଲା ।
୨୦୧୭ ପଂଚାୟତ ନିର୍ବାଚନରେ ମାଓବାଦୀଙ୍କ ହତ୍ୟା ଧମକ ଯୋଗୁଁ ଯନ୍ତ୍ରୀ ପଂଚାୟତରେ କେହି ପ୍ରାର୍ଥୀ ହୋଇନଥିଲେ । କିନ୍ତୁ ଏଥର ଏଠାରେ ଦୁଇ ସରପଂଚ ପ୍ରାର୍ଥୀ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ଗାଁରେ ବୈଠକ କରି ସମିତି ସଭ୍ୟ ଓ ୱାର୍ଡ ସଭ୍ୟ ଅପ୍ରତିଦ୍ୱନ୍ଦି ଭାବେ ନିର୍ବାଚିତ ହୋଇଛନ୍ତି ।