ପୁଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ ନେଇ ଭଦ୍ରକ ତିହିଡ଼ିରେ ତୁମୁଳକାଣ୍ଡ । ପୋଲିସ ଜିପ୍କୁ ଜାଳିଦେଲେ ଉତ୍ୟକ୍ତ ଲୋକ । 

99

କନକ ବ୍ୟୁରୋ : ପୁଲିସ ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଅଭିଯୋଗ କରି ଭଦ୍ରକ ତିହିଡ଼ି ଥାନା ଅନ୍ତର୍ଗତ ଅଲ୍ଲୀନଗର ଛକରେ ଘଟିଛି ଲଙ୍କାକାଣ୍ଡ । ମୃତ ଶରୀରକୁ ଧରି ଭଦ୍ରକ-ଚାନ୍ଦବାଲି ରାସ୍ତା ଅବରୋଧ କରିଥିବା ବେଳେ ପୁଲିସ ଜିପ୍କୁ ଦେଖି ତାତି ଉଠିଥିଲେ ଉତ୍ୟକ୍ତ ଲୋକ । ପୁଲିସ ଗାଡ଼ିକୁ ପୋଡି ଦେବା ସହ ଗାଡ଼ିରେ ଥିବା ପୋଲିସକୁ ନିସ୍ତୁକ ପିଟିଛନ୍ତି । କିଛି ସମୟ ଧରି ରଣକ୍ଷେତ୍ରରେ ପରିଣତ ହୋଇଥିଲା ଅଲ୍ଲୀଗନର ଛକ ।

ହୁ ହୁ ହୋଇ ଜଳୁଛି ପୋଲିସ ଜିପ୍ । ପୋଲିସ ବାକୁ ନିସ୍ତୁକ ପିଟିଛନ୍ତି ଉତ୍ୟକ୍ତ ଲୋକ । ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଲ୍ଲିନଗର ଛକରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ପୋଲିସ ଜିପ୍କୁ ଜାଳି ଦେବା ସହ ପୋଲିସକୁ ମାଡ଼ ମାରିଛନ୍ତି ସ୍ଥାନୀୟ ଲୋକ ।

କୋଇଲା ଚୋରି ଅଭିଯୁକ୍ତକୁ ଧରିବା ପାଇଁ ଯାଇଥିଲା ତିହିଡ଼ି ଥାନା ପୋଲିସ । ପୋଲିସକୁ ଦେଖି ହାତୁଆରି ଗାଁର ବାପି ମହାଳିକ ନାମକ ଜଣେ ଯୁବକ ଦୌଡ଼ିବାରୁ ତାଙ୍କୁ ଗୋଡାଇଥିଲା ପୋଲିସ । ଏକ ପୋଖରିରେ ପଡ଼ି ଯାଇଥିଲେ ବାପି । ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ଏହାକୁ ନେଇ ଉତ୍ୟକ୍ତ ହୋଇ ପଡିଥିଲେ ସ୍ଥାନୀୟ ବାସିନ୍ଦା । ପୋଲିସ ମାଡ଼ରେ ମୃତ୍ୟୁ ହୋଇଥିବା ଅଭିଯୋଗ କରି ମୃତ ଶରୀରକୁ ଧରି ଟାୟାର ଜାଳି ଭଦ୍ରକ-ଚାନ୍ଦବାଲି ରାସ୍ତା ଅବରୋଧ କରାଯାଇଥିଲା ।

ଏହି ସମୟରେ ଜଣେ ଧର୍ଷଣ ଅଭିଯୁକ୍ତକୁ ନେଇ କୋର୍ଟକୁ ଯାଉଥିଲା ପିରାହାଟ ଥାନା ପୋଲିସ । ପୋଲିସ ଗାଡ଼ିକୁ ଦେଖି ତାତି ଯାଇଥିଲେ ଉତ୍ୟକ୍ତ ଲୋକ । ଆରମ୍ଭ ହୋଇ ଯାଇଥିଲା ଲଙ୍କାକାଣ୍ଡ । ପୋଲିସ ଜିପ୍କୁ ଭାଙ୍ଗିବା ସହ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ । ଏହାପରେ ଗାଡ଼ିରେ ଥିବା ପୁଲିସ ବାବୁଙ୍କୁ ହୋଇଥିଲା ନିର୍ଧୁମ ମାଡ଼ ।

ପୁଲିସ ଗାଡ଼ି ପୋଡାଜଳା ଓ ପୁଲିସ ବାବୁଙ୍କୁ ମାଡ଼ ହେବାର ସୁଯୋଗ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ପିରାହାଟ ଥାନା ଗାଡ଼ିରେ ଥିବା ଧର୍ଷଣ ଅଭିଯୁକ୍ତ । ବେଶ କିଛି ସମୟ ଧରି ଅଲ୍ଲୀନଗର ଛକରେ ଉତେଜନା ଜାରି ରହିବା ପରେ ଅତିରିକ୍ତ ଏସପି ଓ ତିହିଡି ତହସିଲଦାର ପହଁଚି ଲୋକଙ୍କୁ ବୁଝାଶୁଝା କରିଥିଲେ । ବାପି ମହାଲିକଙ୍କ ମୃତ୍ୟୁର ତଦନ୍ତ ହେବ ବୋଲି ପ୍ରତିଶ୍ରୁତି ମଳିବା ପରେ ହଟିଥିଲା ରାସ୍ତାରୋକ ।