ସ୍ୱାଭିମାନ ଅଂଚଳରେ କଦଳୀ ଚାଷ: ଲାଲ ଇଲାକାରେ କଦଳୀ ଚାଷ କରି ପରିବାର ପୋଷୁଛନ୍ତି ଲୋକେ

121

କନକ ବ୍ୟୁରୋ: ଆଉ ଗଂଜେଇ ନୁହେଁ ଏବେ କଦଳୀ ଚାଷ । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳର ମୁତାମ୍ବ ଗାଁରେ କଦଳୀ ଚାଷ କରି ଲାଭବାନ ହେଉଛନ୍ତି ଲୋକେ । ଆଗରୁ ଏହି ଅଂଚଳରେ ମୁଖ୍ୟତଃ ଗଂଜେଇ ଚାଷ କରାଯାଉଥିଲା । ଏବେ ଗଂଜେଇ ଚାଷରୁ ମୁହଁ ଫେରାଇ ଅନ୍ୟ ଅର୍ଥକାରୀ ଫସଲ ଉପରେ ମନବଳାଉଛନ୍ତି ଚାଷୀ ।

କଦଳୀ, ଏକ ଅର୍ଥକାରୀ ଫସଲ । ମାଲକାନାଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳର ଲୋକେ ଏବେ କଦଳୀ ଚାଷ କରି ବେଶ ଲାଭବାନ ହେଉଛନ୍ତି । ବଡ଼ପୋଡ଼ା ପଂଚାୟତ ମୁତାମ୍ବ ଗାଁର ଘନ ବଡ଼ନାୟକ ଓ ତାଙ୍କ ପତ୍ନି ନିଲାମା ଖରା କଦଳୀ ଚାଷ କରି ସଫଳତା ପାଇଛନ୍ତି । ୨ ବର୍ଷ ତଳେ ଜିଲ୍ଲାର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଘନ ବଡ଼ନାୟକଙ୍କୁ ୨ଶହ କଦଳୀ ଚାରା ଯୋଗାଇଦିଆଯାଇଥିଲା । ସେ ନିଜ ଜମିରେ ଏହି କଦଳୀ ଚାରା ଲଗାଇ ଲାଭବାନ ହେବା ସହ ପରିବାର ପ୍ରତିପୋଷଣ କରିପାରୁଛନ୍ତି ।

କେବଳ କଦଳୀ ଚାଷ ନୁହେଁ ବିଭିନ୍ନ ପନିପରିବା ତଥା ବାଇଗଣ, ଟମାଟୋ, କଂଚାଲଙ୍କା ଚାଷ କରି ବଜାରରେ ବିକ୍ରୟ କରି ବେଶ ଲାଭବାନ ହେଉଛନ୍ତି ଘନଙ୍କ ପରିବାର । ଚିତ୍ରକୋଣ୍ଡା ଅଂଚଳର ବ୍ୟବସାୟୀ ଓ ସ୍ଥାନୀୟ ଲୋକେ ଘନଙ୍କ ବାଡିରୁ ଏହି ସବୁ ଜିନିଷ କିଣି ନେଉଛନ୍ତି । ତେବେ କଦଳୀ ଚାଷ କରି ଘନ ବଡ଼ନାୟକ ଉପକୃତ ହେବା ପରେ ଅନ୍ୟ ଚାଷୀ ମାନେ ଏଭଳି ଚାଷ କରିବାକୁ ମନ ବଳାଉଛନ୍ତି । କିନ୍ତୁ ସ୍ଥାନୀୟ ଅଂଚଳର ଜଳସେଚନର ସମସ୍ୟା ଚାଷୀଙ୍କୁ ଅସୁବିଧାରେ ପକାଉଛି । ବିନା ସାରରେ କଦଳୀ ଫସଲ କରାଯାଉଥିବାରୁ ବଜାରରେ ଏହାର ଚାହିଦା ମଧ୍ୟ ଅଧିକା ରହିଛି । ତେଣୁ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଉପଯୁକ୍ତ ତାଲିମ ଓ ସହଯୋଗ ମିଳିଲେ ଭଲ ରୋଜଗାର କରିବା ସହ ଆର୍ଥିକ ମାନଦଣ୍ଡ ସୁଦୃଢ ହୋଇପାରନ୍ତା ବୋଲି କହିଛନ୍ତି ଚାଷୀ । ପନିପରିବା ଓ କଦଳୀ ପାଇଁ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର ନକରି ନିଜ ଅଂଚଳର ଆବଶ୍ୟକତା ପୁରଣ ହୋଇପାରନ୍ତା ବୋଲି କହିଛନ୍ତି ବ୍ୟବସାୟୀ ।

ଅନେକ ସମୟରେ ସ୍ୱାଭିମାନ ଅଂଚଳରେ ଗଂଜେଇ ଚାଷ ହେଉଥିବାର ଖବର ଦେଖିବାକୁ ମଳୁଥିଲା । ଯାହାକୁ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ନଷ୍ଟ କରାଯାଏ । ତେବେ କଦଳୀ ଭଳି ଏକ ଅର୍ଥକାରୀ ଫସଲ ଚାଷୀଙ୍କୁ ଲାଭ ଦେଉଥିବାରୁ ଏହି ଚାଷ କରିବାକୁ ଏବେ ଚାଷୀ ମାନେ ମନ ବଳାଉଛନ୍ତି । ଜଳସେଚନର ସୁବିଧା ମିଳିଲେ ଏହି ଚାଷକୁ ଅପଣେଇ ଲୋକେ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି ସଫଳ କଦଳୀ ଚାଷୀ ଘନ ବଡନାୟକ ।