କନକ ବ୍ୟୁରୋ : ପଞ୍ଜାବ ପାଇଁ କିଏ ହେବ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ସେନେଇ ରାହୁଲ ଗାନ୍ଧୀ ରବିବାର ଦିନ ଘୋଷଣା କରିବେ ବୋଲି ଜଣାପଡିଛି । ମାତ୍ର ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଚେହେରା ପାଇଁ ୨ ମୁଖ୍ୟ ଦାବିଦାରଙ୍କ ମଧ୍ୟରୁ ନବଜୋତ ସିଂ ସିଦ୍ଧୁ ଦଳର ହାଇକମାଣ୍ଡଙ୍କ ବିରୋଧରେ ଏଭଳି ବୟାନ ଦେଇଛନ୍ତି କି ଯାହା କଂଗ୍ରେସକୁ ଅଡୁଆରେ ପକାଇଛି । ସିଦ୍ଧୁ କହିଛନ୍ତି କି ଦଳର ଶୀର୍ଷ ପଦରେ ଥିବା ନେତୃତ୍ୱମାନେ ପଞ୍ଜାବରେ ଜଣେ ଦୁର୍ବଳ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି । ରାଜ୍ୟରେ ଦୁର୍ବଳ ମୁଖ୍ୟମନ୍ତ୍ରୀ ରହିଲେ ସେ ତାଙ୍କ କଥାରେ ଚାଲିବ ବୋଲି ସିଦ୍ଧୁ ଅଭିଯୋଗ କରିଛନ୍ତି ।

Advertisment

କହିରଖୁ କି ଦୀର୍ଘଦିନ ହେବ ସିଦ୍ଧୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦପାଇଁ ଆଶାୟୀ ଥିବା ଦେଖିବାକୁ ମିଳିଛି । ଗତବର୍ଷ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଦଳ ମୁଖ୍ୟମନ୍ତ୍ରୀ ପଦରୁ ହଟାଇଦେବା ପରେ ଅନୁମାନ କରାଯାଉଥିଲା କି ଦଳର ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଧୁଙ୍କ ନାମ ଚୟନ କରିବେ । ମାତ୍ର ଅଚାନକ ପାର୍ଟି ଚରଣଜିତସିଂ ଚନ୍ନିଙ୍କ ନାମ ଘୋଷଣା କରି ପୁରା ରାଜ୍ୟ କଂଗ୍ରେସକୁ ଚମକାଇ ଦେଇଥିଲା ।

ଅନ୍ୟପଟେ ଚନ୍ନି ମୁଖ୍ୟମନ୍ତ୍ରୀ ହେବା ପରେ ସିଦ୍ଧୁ ତାଙ୍କ ପଛରେ ପଡିଥିବା ଲକ୍ଷ୍ୟ କରାଯାଉଛି । ସେପଟେ ଚନ୍ନିଙ୍କୁ କଂଗ୍ରେସ ତରଫରୁ ୨ ଟି ନିର୍ବାଚନୀ କ୍ଷେତ୍ରରେ ଲଢିବାକୁ ସୁଯୋଗ ଦେଇଥିବାରୁ ସିଦ୍ଧୁ ଅନୁମାନ କରୁଛନ୍ତି କି ଦଳର ହାଇକମାଣ୍ଡ ରାଜ୍ୟର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଚନ୍ନିଙ୍କ ନାମ ଘୋଷଣା କରିବେ । ଏସବୁକୁ ନଜରରେ ରଖି ସିଦ୍ଧୁ ଗତକାଲି ନିଜର ସମସ୍ତ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ରଦ୍ଦ କରି ବୈଷ୍ଣବଦେବୀ ତୀର୍ଥଯାତ୍ରା ପାଇଁ ବାହାରି ଯାଇଛନ୍ତି ।