କନକ ବ୍ୟୁରୋ : ଆଜି ପବିତ୍ର ବଡଦିନ । ଆଜିର ଦିନରେ ଧରାବତରଣ କରିଥିଲେ ପ୍ରଭୁ ଯୀଶୁ । ଯେଉଁଥିପାଇଁ ଆଜି ଯୀଶୁଙ୍କ ପାଦ ଚୁମ୍ବନ କରି ଶ୍ରଦ୍ଧା ନିବେଦନ କରିଛି ପୂରା ପୃଥିବୀ । ଚର୍ଚ୍ଚ ପରିସରରେ ଶୋଭାପାଉଛି ଖ୍ରୀଷ୍ଟମାସ ଲ୍ୟାମ୍ପ । ଝୁଲୁଛି ଜିଙ୍ଗଲ ବେଲ ।

Advertisment

ଚଳଚଂଚଳ ଥିଲା ଚର୍ଚ୍ଚ ପରିସର । ରଙ୍ଗ ବେରଙ୍ଗର ଆଲୁରେ ଝଲସୁଥିଲା ଚର୍ଚ୍ଚ । ସବୁ ଚର୍ଚ୍ଚରେ ଖଚାଖଚ ଭିଡ । ଜାତି,ଧର୍ମ, ବର୍ଣ୍ଣ ନିିର୍ବିଶେଷରେ ସବୁ ବର୍ଗର ଲୋକେ ସାମିଲ ହୋଇଥିଲେ । ଚର୍ଚ୍ଚ ପରିସରରେ ଶୋଭା ପାଉଥିଲା ଖ୍ରୀଷ୍ଟମାସ ଲ୍ୟାମ୍ପ । ଝୁଲୁଥିଲା ଜିଙ୍ଗଲ ବେଲ । ଝଲସୁଥିଲା ବିଭିନ୍ନ ଉପହାର ଖଚିତ ଖ୍ରୀଷ୍ଟମାସ ବୃକ୍ଷ । ମଧ୍ୟରାତ୍ରି ପର୍ଯ୍ୟନ୍ତ ଚର୍ଚ୍ଚରୁ ଭାସି ଆସୁଥିଲା ସମବେତ କାରୋଲ ସଙ୍ଗୀତ । ଶ୍ରଦ୍ଧାଳୁମାନେ ଶୀତକୁ ଖାତିର ନକରି ଯୀଶୁଙ୍କ ବାଣୀ ଶୁଣିବାରେ ମସଗୁଲ ଥିଲେ । ଯୀଶୁଙ୍କ ଜନ୍ମ ବୃତ୍ତାନ୍ତକୁ ବ୍ୟାଖ୍ୟା କରୁଥିଲା ସ୍ୱତନ୍ତ୍ର ଭାବେ ନିର୍ମିତ ଏନ୍ତୁଡ଼ିଶାଳ ।

publive-imageବଡ଼ଦିନର ଏହି ମହାର୍ଘ୍ୟ ଅବସରରେ ରାଜଧାନୀର ଚର୍ଚ୍ଚରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଲାଗିଥିଲା ଗହଳି ଚହଳି । କେବଳ ଖ୍ରୀଷ୍ଟିଆନ ନୁହନ୍ତି, ଅନ୍ୟ ଧର୍ମ ଓ ଜାତିର ଲୋକେ ଏହି ପବିତ୍ର ମୁହୂର୍ତକୁ ଉପଭୋଗ କରିବା ପାଇଁ ଏହି ସମାରୋହରେ ସାମିଲ ହୋଇଥିଲେ । ଶେଷରେ ମଧ୍ୟରାତ୍ରିରେ ଧରାବତରଣ କଲେ ଭଗବାନ ଯୀଶୁ । ଶ୍ରଦ୍ଧାଳୁମାନେ ଯୀଶୁଙ୍କ ପାଦ ଚୁମ୍ବନ କରି ସେମାନଙ୍କ ଶ୍ରଦ୍ଧା ନିବେଦନ କରିଥିଲେ । ତାଙ୍କୁ ସ୍ୱାଗତ କରିବା ତଥା ଭକ୍ତିଅର୍ଘ୍ୟ ଢାଳିବା ପାଇଁ ରାତି ପ୍ରାୟ ୩ଟା ପର୍ଯ୍ୟନ୍ତ ଚଳଚଞ୍ଚଳ ଥିଲା ସାରା ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଓ ଚର୍ଚ୍ଚସମୂହ ।

publive-imageବଡ଼ଦିନର ଏହି ପର୍ବକୁ ଧୁମଧାମରେ ପାଳନ କରିବା ପାଇଁ ସତ୍ୟନଗରସ୍ଥିତ ‘ଭିନସେଣ୍ଟ କ୍ୟାଥଲିକ ଚର୍ଚ୍ଚ’ରେ ଜମିଥିଲା ଅସମ୍ଭାଳ ଭିଡ଼ । ରାତି ପ୍ରାୟ ୧୦ଟାରୁ ଆରମ୍ଭ ହୋଇଥିଲା ସମବେତ କାରୋଲ ଗାନ । ରାତି ୧୧ଟାରୁ ଆରମ୍ଭ ହୋଇଥିଲା ମହାଜାଗରଣି ଦିବ୍ୟଯଜ୍ଞ । ବିଶ୍ୱାସ ଅନୁଯାୟୀ ଠିକ ମଧ୍ୟ ରାତ୍ରିରେ ପ୍ରତୀକଧର୍ମୀ ଗୁହାଳ ଭିତରେ ମଦର ମେରିଙ୍କ ଗର୍ଭରୁ ଯୀଶୁ ଅବତରଣ କରିଥିଲେ । ଏହାପରେ ଆରମ୍ଭ ହୋଇ ଯାଇଥିଲା ଶୁଭେଚ୍ଛାର ପର୍ବ । ପରସ୍ପରକୁ କୋଳାଗ୍ରତ କରି ଜଣାଇଥିଲେ ବଡ଼ଦିନର ଶୁଭେଚ୍ଛା । ପ୍ରାୟ ରାତି ୩.୩୦ ସରିଥିଲା ଏହି ପର୍ବ । ସେହିଭଳି ୟୁନିଟ-୪ ସ୍ଥିତ ଖ୍ରୀଷ୍ଟ ଚର୍ଚ୍ଚ ତଥା ୟୁନିୟନ ଚର୍ଚ୍ଚରେ ମଧ୍ୟ ରାତି ସାଢ଼େ ୧୦ଟାରୁ ମଧ୍ୟରାତ୍ରି ପ୍ରାର୍ଥନା ହୋଇଥିଲା ।

ଓଡ଼ିଆ ଓ ଇଂରାଜୀରେ ସଂଗୀତ ଦଳ ପ୍ରାର୍ଥନା ପରିବେଷଣ କରିଥିଲେ । ପରେ ବାଇବେଲ ପାଠ ଓ ପ୍ରାର୍ଥନା କରାଯାଇଥିଲା । ମଦର ମେରିଙ୍କୁ ସ୍ମରଣ କରି ଅନେକ ଖ୍ରୀଷ୍ଟିଆନ ଓ ହିନ୍ଦୁ ଭାଇଭଉଣୀ ମହମବତି ଜାଳିଥିଲେ । ଉତ୍ସବରେ ବିଳମ୍ବିତ ରାତି ଯାଏଁ ସାମିଲ ହୋଇଥିଲେ ହଜାର ହଜାର ଶ୍ରଦ୍ଧାଳୁ । ଏତେ ସଂଖ୍ୟକ ଭିଡ଼କୁ ସମ୍ଭାଳିବା ତଥା ଆଇନଶୃଙ୍ଖଳା ରକ୍ଷା ନିମନ୍ତେ ରାଜଧାନୀର ବିଭିନ୍ନ ଚର୍ଚ୍ଚରେ ୫ ପ୍ଲାଟୁନ ପୁଲିସ ମୁତୟନ ହୋଇଥିଲେ ।