ପେଟ ପାଇଁ ବାଜିରେ ଲାଗିଛି ଜୀବନ । ନଦୀରେ ବିପଦଜନକ ଜଳଯାତ୍ରା କରୁଛନ୍ତି ଲୋକେ, ତାଲାବନ୍ଦ ଯୋଗୁଁ ଡଙ୍ଗା ଚଳାଚଳ ବନ୍ଦ । ମୁଣ୍ଡରେ ସାଇକେଲ ବୋହି ପାରି ହେଉଛନ୍ତି ଭରା ନଈ ।

441

କନକ ବ୍ୟୁରୋ : ଜୀବିକା ମିଳିବ ଜୀବନ ବଂଚିବ । ମୁଲ ଲାଗି ମଜୁରୀ ଆଣିଲେ ପିଲାଛୁଆଙ୍କ ପେଟ ପୁରିବ । ଏଥିପାଇଁ ପ୍ରତିଦିନ ରାଉରକେଲା ସହରକୁ ଯାଇଥାନ୍ତି ସୁନ୍ଦରଗଡ ଜିଲ୍ଲା ନୁଆଗାଁ ବ୍ଲକର ଶହଶହ ଲୋକ । ହେଲେ ଏମାନଙ୍କ ଜୀବନ ଓ ଜୀବିକା ମଝିରେ ବାଧକ ସାଜିଛି ରାଉରକେଲା ସହର ଉପକଣ୍ଠରେ ଥିବା ଦେଓ ନଦୀ ।

ପେଟ ପାଇଁ ପାଣି ପାରି । ବାଜିରେ ଲାଗିଛି ଜୀବନ । ପାଣିରେ ପଶି ନଦୀ ସେପାରୀକୁ ଗଲେ ମୁଲଟିଏ ମିଳିବ, ଘରେ ଚୁଲି ଜଳିବ । ନହେଲେ ପୁରା ପରିବାରକୁ ଓପାସରେ ରହିବାକୁ ପଡିବ । ତେଣୁ ପ୍ରତିଦିନ ଏମିତି ନଦୀ ପାରିହୁଅନ୍ତି ସୁନ୍ଦରଗଡ ଜିଲ୍ଲା ନୂଆଗାଁ ବ୍ଲକର ଶହଶହ ଲୋକ । ରାଉରକେଲା ଯିବା ପାଇଁ ଉଭୟ ପୁରୁଷ ଓ ମହିଳା ସାଇକେଲ ମୁଣ୍ଡାଇ ଦେଓ ନଦୀ ପାର ହେଉଛନ୍ତିି । କୋଭିଡ କଟକଣା ଯୋଗୁଁ ଡଙ୍ଗା ଚଳାଚଳ ବନ୍ଦ ରହିଛି । ତେଣୁ ବାଧ୍ୟ ହୋଇ ଲୋକେ ଜୀବନକୁ ବାଜିରେ ଲଗାଇ ନଇ ପାରି ହେଉଛନ୍ତି ।

ବର୍ଷା ଋତୁରେ ରାଉରକେଲା କର୍ମକ୍ଷେତ୍ରକୁ ଯିବାକୁ ହେଲେ ଏହି ଭଳି ଭାବେ ନଦୀ ପାରି ହେବାକୁ ପଡୁଛି । ଆଉ ଯେଉଁଦିନ ନଦୀରେ ପାଣି ବଢିଲା, ସେହିଦିନ କଥା ସରିଲା, ଘରେ ଚୁଳି ଜଳିବା ବନ୍ଦ । ସେପଟେ ଦେଓ ନଦୀ ଉପରେ ପୋଲ ନିର୍ମାଣ କାମ ମନ୍ଥର ଗତିରେ ଚାଲିଥିବାରୁ ଲୋକେ ବିପଦଜନକ ଜଳଯାତ୍ରା କରିବାକୁ ବାଧ୍ୟ ହେଉଛନ୍ତି । ତେବେ ନୂଆଗାଁ ବ୍ଲକରୁ ରାଉରକେଲାକୁ ସଡକ ସଂଯୋଗ ରହିଛି, ହେଲେ ୩୦ କିଲୋମିଟର ରାସ୍ତା ବୁଲିବାକୁ ପଡୁଥିବାରୁ ଲୋକେ ନଦୀପାର ହୋଇ ଯାତାୟତ କରୁଛନ୍ତି । ସେପଟେ କୋଏଲ ନଦୀର ହମିରପୁର ଓ ବୈକୁଣ୍ଠ ଘାଟରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି ।