ବିକାଶଠୁ ବହୁ ଦୂରରେ ଏ ଗାଁ । ରାସ୍ତା ନାହିଁ, ପାଣି ନାହିଁ, ଶିକ୍ଷାଠୁ ସ୍ୱାସ୍ଥ୍ୟ- ସବୁକିଛି ଅପହଞ୍ଚ ।

52

କନକ ବ୍ୟୁରୋ: ଗାଁକୁ ନାହିଁ ରାସ୍ତା । ପିଇବା ପାଇଁ ପାଣିର ଅଭାବ ସାଙ୍ଗକୁ ବିଜୁଳି ସମସ୍ୟା ବି ଲାଗି ରହିଛି । ପିପିଲି ସଁପୁର ପଞ୍ଚାୟତର ଗୋକନ ମଳିକ ସାହିରେ ସମସ୍ତ ସରକାରୀ ଯୋଜନା ଯେମିତି ପ୍ରହସନ ପାଲଟିଛି । ଗାଁରେ ୩୦ରୁ ଅଧିକ ପରିବାରର ୧୫୦ରୁ ଅଧିକ ଲୋକ ବସବାସ କରୁଛନ୍ତି । ହେଲେ ବିଭିନ୍ନ ସୁବିଧାରୁ ବଂଚିତ ରହିଛନ୍ତି ଲୋକେ । ଯିବା ଆସିବା କରିବାକୁ ଭଲ ରାସ୍ତାଟିଏ ନଥିବାବେଳେ ଗାଁ ରାସ୍ତାରେ ପଡିଛି ବିଦ୍ୟୁତ ଖୁଂଟ ।

ଫନି ପରଠାରୁ ଗାଁର ଚିତ୍ର ବଡ ଦୟନୀୟ ହୋଇପଡିଛି । ଗାଁ ସାରା ଚାଳଛପର ଓ ଝାଟିମାଟିରେ ଭର୍ତ୍ତି । ଭଲ ଘର ଖଣ୍ଡିଏ ବି ନାହିଁ କାହାର । ଯୋଗ୍ୟ ହିତାଧିକାରୀ ଥାଇ ମଧ୍ୟ ଏହି ଗାଁର ଚିତ୍ର ସ୍ପଷ୍ଟ କରୁଛି ଆବାସ ଯୋଜନା କେତଦୂର କାର୍ଯ୍ୟକାରୀ ହୋଇଛି । ସବୁଠୁ ବଡ଼ କଥା ହେଲା ଗାଁରେ ଶିକ୍ଷା ସ୍ୱାସ୍ଥ୍ୟ ବି ବିପର୍ଯ୍ୟସ୍ତ ହୋଇପଡିଛି । ଗାଁର ସମସ୍ୟା ନେଇ ବହୁବାର ଜଣାଯାଇଛି । ହେଲେ ସମସ୍ୟା ପ୍ରତି ଯେମିତି କାହାର ନଜର ନାହିଁ ।