କନକ ବ୍ୟୁରୋ: ଦବିଗଲା ସେତୁର ଆପ୍ରୋଚ ରୋଡ । ଯିବା ଆସିବା ପାଇଁ ଅସୁବିଧା ଭୋଗୁଛନ୍ତି ଲୋକମାନେ । ପ୍ରତିଦିନ ଏହି ରାସ୍ତା ଦେଇ ହଜାର ହଜାର ଲୋକ ଯିବା ଆସିବା କରୁଛନ୍ତି । ହେଲେ ରାସ୍ତା ଦବିଯିବାରୁ ଅନେକ ଅସୁବିଧା ହେଉଛି ।

Advertisment

କେନ୍ଦ୍ରାପଡା ମାର୍ଶାଘାଇ ବ୍ଳକ ବାଘଡିଆ -ଦଶିପୁର ରାସ୍ତାର ଗୋବରୀ ନାଳ ଉପରେ ତିଆରି ଚାଲିଥିଲା ରୋଡ କାମ । ଲକ୍ଷାଧିକ ଟଙ୍କା ବ୍ୟୟରେ ଏହି ରାସ୍ତା ତିଆରି ଚାଲିବା ସମୟରେ ୨ ଫୁଟ ଦବିଯାଇଛି । ଯାହାଫଳରେ ବିପଦସଙ୍କୁଳ ଅବସ୍ଥାରେ ଲୋକେ ଯିବାଆସିବା କରୁଥିବା ବେଳେ ଶହଶହ ମୋଟର ଯାନ ମଧ୍ୟ ଯା’ ଆସ କରୁଛି । ବହୁବାର ଲୋକଙ୍କ ଗାଡି ଖରାପ ହୋଇଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ସେତୁ ଅତିକ୍ରମ କରିବାକୁ ପ୍ରାୟ ଲୋକେ ଗାଡିରୁ ଓହ୍ଲାଇ ପାଦରେ ଚାଲି ଚାଲି ଯାଉଛନ୍ତି ।

ପୋଲ ଉପରେ ଥିବା ସେହି ରାସ୍ତା ଉପରେ ପ୍ରତିଦିନ ଲୋକେ ବିଭିନ୍ନ ସମସ୍ୟା ଦେଇ ଯିବାଆସିବା କରୁଛନ୍ତି । ସେହିଭଳି ସମସ୍ୟା ନେଇ ବହୁବାର ଅବଗତ କରାଯାଇଥିଲେ ବି ସମସ୍ୟା ପ୍ରତି କାହାର ନଜର ନାହିଁ । ତେବେ ଖୁବଶୀଘ୍ର ଆପ୍ରୋଚ ରୋଡ ମରାମତି କରାଯାଇପାରିଲେ ବହୁ ଲୋକ ଉପକୃତ ହୋଇପାରିବେ । ବିଭାଗୀୟ ଅଧିକାରୀ ଏଥିପ୍ରତି ଗୁରୁତ୍ୱ ଦେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।