କନକ ବ୍ୟୁରୋ: ଧନତେରାସରେ ଚମକିଛି ସୁନା ବଜାର । ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହରର ଅଳଙ୍କାର ଦୋକାନର ଗ୍ରାହକଙ୍କ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି । ସେପଟେ ଧନତେରାସ ଅବସରରେ ବିଭିନ୍ନ ଜୁଏଲାରୀ ପକ୍ଷରୁ ଆକର୍ଷଣୀୟ ଅଫର ଘୋଷଣା ମଧ୍ୟ ଗ୍ରାହକଙ୍କୁ ସୁନା ଦୋକାନକୁ ଟାଣି ନେଇଛି ।

Advertisment
  • ଧନତେରାସରେ ଧନଦାତ୍ରୀଙ୍କ ଆଶୀର୍ବାଦକୁ ଅପେକ୍ଷା
  • ଗହଣା ଦୋକାନରେ ଗ୍ରାହକଙ୍କ ଗହଳି

ସୁନା ଗହଣା କିଣିବାକୁ ଜୁଏଲାରୀ ଦୋକାନରେ ଗ୍ରାହକଙ୍କ ଭିଡ । ରାଜଧାନୀ ସ୍ଥିତ ବିଭିନ୍ନ ଅଳଙ୍କାର ଦୋକାନରେ ଏପରି ଭିଡ ଶନିବାରଠୁ ଦେଖିବାକୁ ମିଳିଛି । ଚଳିତ ଥର ଶନିବାର ଏବଂ ରବିବାର ଦୁଇ ଦିନ ଧନତେରାସ ରହିଛି । ତେଣୁ ଗହଣା ସୋରୁମ ଗୁଡ଼ିକରେ ଚଳିତବର୍ଷ ଗ୍ରାହକଙ୍କ ଭିଡ ମଧ୍ୟ ଅଧିକ ଦେଖିବାକୁ ମିଳିଛି । ଗହଳି ଏଡାଇବା ପାଇଁ ଗ୍ରାହକମାନେ ସକାଳୁ ସକାଳୁ ମଧ୍ୟ ସୋରୁମ ଆଗରେ ଭିଡ ଜମାଇଥିବା ଦେଖିବାକୁ ମିଳିଛି । ଆଉ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ନୂଆ ନୂଆ ଡିଜାଇନ ଓ କଲେକ୍ସନର ପର୍ଯ୍ୟାପ୍ତ ଗହଣା ସୋରୁମ୍ ଗୁଡ଼ିକରେ ଶୋଭା ପାଉଛି । ଏଥିସହିତ ପକେଟକୁ ସୁହାଇବା ଭଳି ସୋରୁମରେ ଆକର୍ଷଣୀୟ ଅଫର ଘୋଷଣା ହୋଇଛି । ଗ୍ରାହକଙ୍କୁ ଗଢ଼ା ମଜୁରିରେ ବିଶେଷ ରିହାତି ମଧ୍ୟ ମିଳୁଛି ।

  • ଧନତେରାସରେ ସୁନା କିଣା
  • ପାଲଟିଛି କି ନିବେଶର ବଡ ମାଧ୍ୟମ?

ଧନତେରସ୍ ହିନ୍ଦୁମାନଙ୍କ ପାଇଁ ଏକ ପବ୍ରିତ ଉତ୍ସବ । ଏଥିରେ ସୁନା, ରୁପା ଓ ମୂଲ୍ୟବାନ ଧାତୁ ଆଦି କିଣିଲେ ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ବର୍ଷକୁ ଥରେ ଏହି ଦିନକୁ ଉଭୟ ଗ୍ରାହକ ଏବଂ ସୋରୁମ୍ ଗୁଡ଼ିକ ଅପେକ୍ଷା କରି ରହିଥାନ୍ତି । ସେପଟେ ଏହି ସମୟରେ ଗହଣା ଦୋକାନୀ ଗଢା ମଜୁରୀ ବା ମେକିଂ ଚାର୍ଜ ଉପରେ ରିହାତି ଦେଇଥାନ୍ତି । ଚଳିତବର୍ଷ ସୁନା ମୂଲ୍ୟ ଅପେକ୍ଷାକୃତ ଭାବେ ଭଲ ରହିବା ମଧ୍ୟ ଗ୍ରାହକଙ୍କୁ ଆକର୍ଷିତ କରୁଛି ବୋଲି ବ୍ୟବସାୟୀ କୁହନ୍ତି । ତେଣୁ କମ୍ ଦାମରେ ଗହଣା କିଣି ଅନେକ ରଖିଥାନ୍ତି । ସେହିପରି ସୁନାର ମୂଲ୍ୟ ବଢୁଥିବାରୁ ଏବେ ଏହାକୁ କିଣି ଭବିଷ୍ୟତ ନିବେଶ ପାଇଁ କିଛି ସୁନା କିଣନ୍ତି ବୋଲି ମତ ପ୍ରକାଶ ପାଏ । ୨୦୨୦ ଏବଂ ୨୦୨୧ ବର୍ଷର ଧନତେରସ୍ କରୋନା ମହାମାରୀ ପାଇଁ ସେତେଟା ଭଲ ନଥିଲା । ତେଣୁ ପ୍ରାୟ ୩ ବର୍ଷର ବ୍ୟବଧାନ ପରେ ବଜାର ପରିସ୍ଥିତି ସ୍ୱାଭାବିକ ଥିବାରୁ ଲୋକଙ୍କ ମଧ୍ୟରେ ସୁନା କିଣିବାକୁ ଉତ୍ସାହ ବଢିଛି ।