ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକ। ପିଇବା ପାଣି ଯୋଗାଇଦେବାକୁ ଫୋନ କରିବାରୁ ବିଭାଗୀୟ ଯନ୍ତ୍ରୀଙ୍କ ହାକିମାତି ।

115

କନକ ବ୍ୟୁରୋ: ଗାଁରେ ମିଳୁନି ପିଇବା ପାଣି । ଖରା ବଢିବା ସହ ବଢୁଛି ଜଳକଷ୍ଟ । ଲୋକେ ପାଣି ବାଲଟିଏ ପାଇଁ ଡହଳ ବିକଳ ହେଉଛନ୍ତି । ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଅସ୍ତି ଗାଁରେ ବର୍ଷ ବର୍ଷ ଧରି ପିଇବା ପାଣିର ସମସ୍ୟା ରହିଛି । ପିଇବାକୁ ପାଣି ମୁନ୍ଦେ ପାଉନଥିବାରୁ ସ୍ଥାନୀୟ ବାସିନ୍ଦା ବାରମ୍ବାର ବ୍ଲକ ପ୍ରଶାସନକୁ ଗୁହାରି କରିଛନ୍ତି । ତଥାପି କେହି ଶୁଣୁନାହାନ୍ତି, ଆଉ ଯେତେବେଳେ ସ୍ଥାନୀୟ ବାସିନ୍ଦା ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପଙ୍କଜ ତ୍ରିପାଠୀଙ୍କୁ ଫୋନ କରିଛନ୍ତି ସେ ଚିନ୍ତାଜନକ ମନ୍ତବ୍ୟ ଦେଇଛନ୍ତି ।

ସରକାରୀ ବାବୁ ଜଣଙ୍କ ଲୋକଙ୍କ ସମସ୍ୟା ବୁଝିବା ବଦଳରେ ଚେତାବନୀ ଦେଉଛନ୍ତି । ଲୋକ ପାଣି ନପାଇ ମରିଗଲେ ବି ତାଙ୍କ ଦରମା ବନ୍ଦ ହୋଇଯିବ ନାହିଁ ବୋଲି ସେ କହିଛନ୍ତି ।

ଲୋକେ ପାଣି ପାଇଁ ଗୋଟିଏ ନଳକୂପ ପାଖରେ ଭିଡ ଲଗାଉଥିବା ବେଳେ କନିଷ୍ଠ ଯନ୍ତ୍ରୀ ଅଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଅଡିଓ ବାର୍ତାକୁ ନେଇ ସମ୍ପୃକ୍ତ ଯନ୍ତ୍ରୀ ପଙ୍କଜ କୁମାର ତ୍ରିପାଠୀଙ୍କୁ ପଚାରିବାରୁ ସେ କହିଛନ୍ତି, ରାଗରେ ଥିବାରୁ ଏଭଳି କହିଦେଇଛନ୍ତି ।

ଲୋକଙ୍କୁ ପିଇବା ପାଣି ମିଳୁନି, କିନ୍ତୁ ସରକାରୀ ବାବୁଙ୍କ ଚେତାବନୀ ମିଳୁଛି । ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ କରିବା ବଦଳରେ ଧମକ ଚମକ ଦେଉଛନ୍ତି ବିଭାଗୀୟ ଯନ୍ତ୍ରୀ ।
ସେପଟେ ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହେଲେ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।