ପ୍ରତିଦିନ ବାଜିରେ ଲାଗୁଛି ଜୀବନ: ବିପଦସଙ୍କୁଳ ଅବସ୍ଥାରେ ମହାକାଳପଡାର ବାହାକୁଦ ଫେରିଘାଟରେ ପାରି ହେଉଛନ୍ତି ଲୋକେ; ସରକାରୀ ନିୟମକୁ ମାନୁ ନାହାନ୍ତି କେହି

ପ୍ରଶାସନର ନଜର ନାହିଁ, ହୁଲି ଡଙ୍ଗା ପାଲଟିଛି ଯାତାୟତର ମାଧ୍ୟମ

123

କନକ ବ୍ୟୁରୋ: ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାର ବାହାକୁଦ ଫେରିଘାଟ । ଡଙ୍ଗା ଚାଳକ ମାନୁ ନାହାନ୍ତି ସରକାରୀ ନିୟମ । ବିନା ଲାଇଫ ଜାକେଟରେ ଜୀବନକୁ ବାଜି ଲଗାଇ ନଦୀ ପାରି ହେଉଛନ୍ତି ଯାତ୍ରୀ । ପ୍ରତିଦିନ ଡଙ୍ଗାରେ, ଡଙ୍ଗାର କ୍ଷମତା ଠାରୁ ଅଧିକ ବ୍ୟକ୍ତି ଯିବା ଆସିବା କରୁଛନ୍ତି । କେତେବେଳେ ଯେ କଣ ଘଟିଯିବ ତାହ କହିହେବ ନାହିଁ । ମହାକାଳପଡା ବ୍ଲକ ରାମନଗର ପଂଚାୟତର ମହାନଦୀ ଉପରେ ରହିଛି ବାହାକୁଦ ଫେରିଘାଟ । ଏହା କେନ୍ଦ୍ରାପଡା ଓ ଜଗତ୍ସିଂହପୁର ଜିଲ୍ଲାକୁ ଜଳ ପଥରେ ସଂଯୋଗ କରୁଥିବା ଏକ ମାତ୍ର ଫେରିଘାଟ ।

ଆଉ ଏହି ଫେରିଘାଟ ଉପରେ ନିର୍ଭର କରନ୍ତି ମହାକାଳପଡା, ରାଜନଗର ଏବଂ ପଟ୍ଟାମୁଣ୍ଡେଇ ସମେତ ବିଭିନ୍ନ ବ୍ଲକର ହଜାର ହଜାର ଲୋକେ । ପାରାଦୀପ ଶିଳ୍ପାଚଂଳରେ କାମ କରୁଥିବା ଦୈନିକ ହଜାର ହଜାର ଶ୍ରମିକ ଏବଂ ସାଧାରଣ ଲୋକ ଏହି ଘାଟରେ ପାରି ହୋଇ ଯାଇଥାନ୍ତି । ଦୀର୍ଘଦିନ ହେବ ଫେରିଘାଟ ନିଲାମ ହୋଇନାହିଁ । ତଥାପି ପଂଚାୟତ ତରଫରୁ ଡଙ୍ଗା ଚାଲିଥିଲା । ହେଲେ ଏବେ କରୋନା କଟକଣା ଯୋଗୁଁ ଡଙ୍ଗା ଚଳାଚଳ ବନ୍ଦ ରହିଛି । ଆଉ ସ୍ଥାନୀୟ ଲୋକ ହୁଲି ଡଙ୍ଗାରେ ବିପଦସଙ୍କୁଳ ଅବସ୍ଥାରେ ଯିବା ଆସିବା କରୁଛନ୍ତି । ଏପରି ବିପଦ ସଙ୍କୁଳ ଅବସ୍ଥାରେ ପ୍ରତିଦିନ ଡଙ୍ଗା ଚାଲୁ ଥିଲେ ମଧ୍ୟ ଏଥି ପ୍ରତି କାହାରି ନିଘା ନାହିଁ  ।