ଗଜପତି ଜିଲ୍ଲାରୁ ଆସିଲା ବସୁଧା ଯୋଜନାର ସତ । ପାଣି ପାଇଁ ପାହାଡ ଚଢ଼ୁଛନ୍ତିି ଲୋକେ

73

କନକ ବ୍ୟୁରୋ: ପାଣି ସମସ୍ୟାକୁ ନେଇ ତାତିଛନ୍ତି ଲୋକେ । ପାନୀୟ ଜଳ ସମସ୍ୟାର ସମାଧାନ ଦାବିରେ ଗରା, ବାଲଟି, ହାଣ୍ଡି ଧରି ରାସ୍ତାକୁ ଓହ୍ଲାଇଛନ୍ତି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ମାଝିଗୁଡା ଛକରେ ରାସ୍ତାରୋକ କରିବାରୁ ଧୋଡ୍ରାରୁ ଛତିଶଗଡକୁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ବାରମ୍ବାର ଅଭିଯୋଗ ସତ୍ୱେ ମାଝିଗୁଡାରେ ପିଇବା ପାଣି ସମସ୍ୟାର ସମାଧାନ ନହେବାରୁ ପ୍ରତିବାଦରେ ରାସ୍ତାରୋକ କରିଥିଲେ ଉତ୍ୟକ୍ତ ଲୋକେ । ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସମାଧାନର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଛି ।

  • ବାଟ ହୁଡିଛି ବସୁଧା ଯୋଜନା
  • ପାହାଡ଼ ଚଢ଼ିଲେ ପାଣି ମିଳୁଛି

ପାହାଡ ଉପରେ ଧାଡିରେ ଚାଲୁଛନ୍ତି, ଗାଁର ମହିଳା, ପୁରୁଷ । ଭାରରେ ପୁରୁଷ ପାଣି ବୋହୁଥିବା ବେଳେ ମହିଳାଙ୍କ ମୁଣ୍ଡରେ କାଖରେ, ପାଣି ଭର୍ତି ମାଠିଆ ଓ ଗରା । ଗଜପତି ଜିଲ୍ଲା ରାୟଗଡ ବ୍ଲକ ଢେପସାହି ଗାଁର ଢେପସାହିରେ ପାଣିର କୌଣସି ସୁବିଧା ନଥିବା ବେଳେ ଲୋକେ ୨କିଲୋମିଟର ପାହାଡ ଚଢି ଝରଣା ପାଣି ସଂଗ୍ରହ କରି ଚଳୁଛନ୍ତି । ଏବେ ଝରଣା ଶୁଖି ଯାଇଥିବା ବେଳେ ଚୁଆ ଖୋଳି ପାଣି ଆଣୁଛନ୍ତି । ଏନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରେ ସମାଧାନର ପ୍ରତିଶ୍ରୁତି ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

  • ବାଧୁଛି ଅଘୋଷିତ୍ ବିଦ୍ୟୁତ କାଟ୍
  • ଘରେ ରହିହେଉନି କି ବାହାରେ ବୁଲି ହେଉନି

ପ୍ରବଳ ଗ୍ରୀଷ୍ମ ପ୍ରବାହ କଲବଲ କରୁଥିବା ବେଳେ ଅଘୋଷିତ ବିଦ୍ୟୁତ କାଟ୍ ବୋଝ ଉପରେ ନଳିତା ବିଡା ଭଳି ହେଉଛି । ଦିନକରେ ୨୦ ଥର ବିଜୁଳି କଟୁଛି । ଗଞ୍ଜାମ ଜିଲ୍ଲା ପୋଲସରା ଓ ଯାଜପୁର ଜିଲ୍ଲା ବ୍ୟାସନଗରରୁ ଆସିଛି ସମାନ ଦୃଶ୍ୟ । ବିଜୁଳି କଟିଗଲେ ଭୀଷଣ ଗରମରେ ଘରେ କି ବାହାରେ କେଉଁଠି ରହି ହେଉନାହିଁ । ଦିନରେ ଗଛ ମୂଳେ ଓ ରାତିରେ ବିଞ୍ଚଣା ଧରି ଆଉଟପାଉଟୁ ହେଉଛନ୍ତି ଲୋକେ । ତେବେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପାନୀୟ ଜଳ ସମସ୍ୟା ଓ ଅଘୋଷିତ ବିଦ୍ୟୁତ କାଟ୍ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି ।