ସଫେଇ ସାଙ୍ଗକୁ ସଂସ୍କୃତ ଶିକ୍ଷା ! ବିଦ୍ୟାଳୟରେ ଚପରାସୀ ପଦରେ ଥିବା ବ୍ୟକ୍ତି ୨୩ ବର୍ଷ ଧରି ପିଲାଙ୍କୁ ଦେଉଛନ୍ତି ସଂସ୍କୃତର ଜ୍ଞାନ

175

ବିଦ୍ୟା ବାଣ୍ଟିଲେ ବଢେ । ଜଣେ ସ୍ଥିତପ୍ରଜ୍ଞ ଏବଂ ଜ୍ଞାନୀଗୁଣି ମଣିଷ ପାଇଁ ପଦ ପଦବୀ,ଉଚ୍ଚନିଚ୍ଚର ଭାବନାଠାରୁ ଢେର୍ ଅଧିକ ଜ୍ଞାନ ପ୍ରଦାନର ଜିଜ୍ଞାସା ଥାଏ । ଏହି ଲେଖକୁ ପ୍ରମାଣ କରି ଦେଖାଇଛନ୍ତି ଇନ୍ଦୋରର ବାସୁଦେବ ପାଞ୍ଚାଲ୍ । ୫୩ ବର୍ଷୀୟ ଏହି ବ୍ୟକ୍ତି ଜଣକ ଦେପାଲପୁର ବିକାଶଖଣ୍ଡର ଗିରୋଟା ଗାଁର ସରକାରୀ ହାଇସ୍କୁଲରେ ଚପରାଶୀ କାମ କରନ୍ତି । କପାଳରେ ଚନ୍ଦନ ଟିପା,ମୁଣ୍ଡରେ ଚୈତନ୍ୟ ଚୁଟି ବାନ୍ଧୁଥିବା ଏହି ବ୍ୟକ୍ତିଜଣକ ସ୍କୁଲକୁ ଆସୁଥିବା ପ୍ରଥମ ବ୍ୟକ୍ତି ଅଟନ୍ତି । ସର୍ବପ୍ରଥମେ ସ୍କୁଲକୁ ଆସି ବାସୁଦେବ ଝାଡୁ ଲଗାନ୍ତି । ଚଟାଣ ଏବଂ ଆସବାବପତ୍ର ସଫା କରନ୍ତି । ଛାତ୍ରଛାତ୍ରୀଙ୍କ ଆସିବା ପରେ ପାଣିବୋତଲ ଭର୍ତ୍ତୀ କରନ୍ତି ଏବଂ ଶେଷରେ ବହି ଧରି ପିଲାଙ୍କୁ ସଂସ୍କୃତ ଶିକ୍ଷା ଦିଅନ୍ତି । ଗତ ୨୩ ବର୍ଷ ଧରି ସ୍କୁଲରେ ସଂସ୍କୃତ ଶିକ୍ଷକ ନଥିବାରୁ ସେ ପିଲାଙ୍କୁ ସଂସ୍କୃତ ଶିକ୍ଷା ଦେଉଛନ୍ତି । ତେବେ ଅନେକ ବର୍ଷରୁ କୌଣସି ଶିକ୍ଷକ ଏହି ବିଦ୍ୟାଳୟକୁ ଆସିବାକୁ ଚାହୁଁନାହାନ୍ତି । ଏହାର କାରଣ ହେଉଛି ସ୍କୁଲଟି ଇନ୍ଦୋର ଜିଲ୍ଲାର ମୁଖ୍ୟାଳୟଠାରୁ ପାଖାପାଖି ୪୦ କିଲୋମିଟର ଦୂରରେ ରହିଛି । ସ୍କୁଲରେ ପଢୁଥିବା ୧୭୫ ଛାତ୍ରଛାତ୍ରୀଙ୍କ ପାଇଁ କେବଳ ୩ ଜଣ ଶିକ୍ଷକ ରହିଛନ୍ତି ।

ବାସୁଦେବ ପାଞ୍ଚାଲ୍ ଙ୍କୁ ନିଜ ଡ୍ୟୁଟିରୁ ଅଲଗା ଭାବରେ ସଂସ୍କୃତ ପଢାଇବା ପାଇଁ ଦାୟିତ୍ୱ ଦିଆଯାଇଛି । ସଂସ୍କୃତରେ ପ୍ରଜ୍ଞ ଥିବା ବାସୁଦେବ ଏନେଇ କୁହନ୍ତି ମୁଁ ସ୍କୁଲକୁ ପ୍ରଥମେ ଆସି ସଫେଇକାମ କରେ ପରେ ଛାତ୍ରଛାତ୍ରୀଙ୍କୁ ସଂସ୍କୃତ ପଢାଏ । କାରଣ ସଂସ୍କୃତ ଭାଷା ଆମ ସଂସ୍କୃତିର ଅଭିଚ୍ଛେଦ୍ୟ ଅଙ୍ଗ ଯାହା ପରପୀଢିକୁ ମାର୍ଗଦର୍ଶନ ଦେଖାଇଥାଏ । ସେ ପ୍ରତିଦିନ ୨ ଟି କ୍ଲାସ୍ ନିଅନ୍ତି । ଛାତ୍ରଛାତ୍ରୀମାନେ ମଧ୍ୟ ବାସୁଦେବଙ୍କ ପାଠପଢା ଶୈଳୀକୁ ନେଇ ଖୁବ୍ ପ୍ରଶଂସା କରନ୍ତି । ଗତବର୍ଷ ଏହିସ୍କୁଲର ଫଳାଫଳ ୧୦୦ ପ୍ରତିଶତ ହୋଇଥିଲା । ବାସୁଦେବ ପାଞ୍ଚାଲ୍ ଙ୍କୁ Chief Minister’s Excellence Award ପାଇଁ ମଧ୍ୟ ଚୟନ କରାଯାଇଛି ।