କନକ ବ୍ୟୁରୋ: ସାମ୍ନାକୁ ଆସିଲା ଏଲିଅନର ସତ । ପୃଥିବୀକୁ ଆସିନାହାନ୍ତି କୌଣସି ବି ଗ୍ରହର ପରଜୀବୀ । ଏନେଇ ଆମେରିକାର ପେଣ୍ଟାଗନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ୧୯୬୦ ମସିହାରେ ଆମେରିକା ଆକାଶରେ ଅନେକ ଉଡ଼ନ୍ତା ବସ୍ତୁକୁ ଦେଖିଥିଲେ ଲୋକେ । ଯାହାପରେ ଏହା ଏଲିଅନଙ୍କ ‘ୟୁଏଫଓ’ ହୋଇଥିବା ନେଇ ଚର୍ଚ୍ଚା ହେଉଥିଲା । ପୂରା ବିଶ୍ୱରେ ଏଲିଅନକୁ ନେଇ ବୈଜ୍ଞାନିକ ଓ ସାଧାରଣ ଲୋକଙ୍କ ମଧ୍ୟରେ ଅନେକ ଆଲୋଚନା ଓ ବିତର୍କ ହେଇଛି । କିନ୍ତୁ ଏହି ଉଡ଼ନ୍ତା ବସ୍ତୁ କୌଣସି ‘ୟୁଏଫଓ’ ନୁହେଁ ବରଂ ଆମେରିକା ପ୍ରତିରକ୍ଷା ବିଭାଗର ଗୁପ୍ତଚର ବିମାନ ହୋଇଥିବା ପେଣ୍ଟାଗନ ପକ୍ଷରୁ କୁହାଯାଇଛି । ଏବେ ସୁଦ୍ଧା ଏଲିଅନଙ୍କ ସମ୍ପର୍କ ସ୍ଥାପନ ନେଇ କୌଣସି ତଥ୍ୟ ମିଳି ନଥିବା କହାଯାଇଛି । ଟିଭି, ସୋସିଆଲ ମିଡିଆ, ବହି, ଫିଲ୍ମରେ ଏଲିଅନ ସମ୍ପର୍କୀତ ଖବର ପ୍ରସାରଣ ପରେ ଲୋକଙ୍କର ଏହି ବିଶ୍ୱାସ ଦୃଢ଼ ହୋଇଥିଲା । ତେବେ ଅନ୍ୟ ଦେଶମାନଙ୍କରେ ଦେଖାଯାଇଥିବା ୟୁଏଫଓ ଘଟଣା ନେଇ ଆମେରିକା ପ୍ରତିରକ୍ଷା ବିଭାଗ ପକ୍ଷରୁ କୌଣସି ଟିପ୍ପଣି ଦିଆଯାଇନାହିଁ ।