ଭିକାରୀଙ୍କ ପାଇଁ ହେବ ଆଶ୍ରୟ ଗୃହ, ମିଳିବ ମାଗଣା ଖାଦ୍ୟ । ଏଣିକି ଭତ୍ତା ପାଇବାରୁ ହିତାଧିକାରୀ ବଞ୍ଚିତ ହେଲେ ଦଣ୍ଡ ପାଇବେ ଦାୟିତ୍ୱରେ ଥିବା ଅଧିକାରୀ

563

କନକ ବ୍ୟୁରୋ: ଏଣିକି ଭିକାରୀମାନଙ୍କୁ ମିଳିବ ମାଗଣା ଖାଦ୍ୟ । ସେମାନଙ୍କ ରହିବା ପାଇଁ ନିର୍ମାଣ ହେବ ଆଶ୍ରୟ ଗୃହ । ପୁରୀ , ଭୁବନେଶ୍ୱର ସହିତ ଅନୁଗୁଳ ଜିଲ୍ଲାରେ ଥିବା ଭିକାରୀମାନଙ୍କୁ ଶ୍ରୀଘ୍ର ଚିହ୍ନଟ କରାଯାଇ ସେମାନଙ୍କ ଆଶ୍ରୟ ଗୃହରେ ମାଗଣା ରହିବା ଖାଇବା ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସାମାଜିକ ନିରାପତ୍ତ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗୀୟ ସଚିବ ।


ରାଜ୍ୟ ସମାମାଜିକ ନିରାପତା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କମିସନର ତଥା ସଚିବ ଭାସ୍କର ଜ୍ୟୋତି ଶର୍ମା ଦୁଇ ଦିନିଆ ଅନୁଗୁଳ ଗସ୍ତରେ ଆସି ବିଭାଗୀୟ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରିଛନ୍ତି । ଏଥି ସହିତ ଜିଲ୍ଲାରେ ମୋ ସରକାର ଅନଲାଇନରେ ଭିନ୍ନକ୍ଷମ ପରିଚୟପତ୍ର ପ୍ରଦାନ ଓ ଡିବିଟି ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ । ଅନୁଗୁଳ ଜିଲ୍ଲାରେ ଏହି ବ୍ୟବସ୍ଥାକୁ ପାଇଲଟ୍ ପ୍ରକଳ୍ପ ଭାବେ କରାଯାଉଛି ବୋଲି କମିସନର କହିଛନ୍ତି । ଜିଲ୍ଲା କାର୍ଯ୍ୟାଳୟର ସମ୍ମିଳନୀ ଗୃହରେ ଆୟୋଜିତ ସମୀକ୍ଷା ବୈଠକରେ ବାର୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ପ୍ରଦାନ ସଂପର୍କରେ ପଚାରି ବୁଝିବା ସହ ଏଣିକି ହିତାଧିକାରୀମାନଙ୍କ ସହାୟତା ରାଶି ତଥା ଡିବିଟି ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଂଟକୁ ଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ମୋବାଇଲ ଆପ୍ ମାଧ୍ୟମରେ ଭିନ୍ନକ୍ଷମମାନଙ୍କୁ ସେମାନଙ୍କ ପରିଚୟପତ୍ର ମଧ୍ୟ ପ୍ରଦାନ କରାଯିବ । ଜାତୀୟ ପରିବାର ମଙ୍ଗଳ ଯୋଜନାରେ ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଅର୍ଥରାଶି ପଠାଯିବ ବୋଲି କହିଛନ୍ତି ବିଭାଗୀୟ ସଚିବ ।


ସେହିଭଳି ଭତା ପାଉଥିବା ହିତାଧିକାରୀମାନଙ୍କ ଆଧାର କାର୍ଡକୁ ସଂଯୋଗ କରାଯାଇ ଏହାକୁ କଡାକଡି ଭାବେ ସମୀକ୍ଷା କରି ପ୍ରକୃତ ହିତାଧିକାରୀ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେବା ସହ ଯଦି କୌଣସି ହିତାଧିକାରୀ ଆଧାର ସଂଯୋଗ ନହେବା କାରଣରୁ ଭତା ପାଇବାରୁ ବଂଚିତ ହୁଅନ୍ତି ତାହା ହେଲେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ।