ଭୂତ ଖାଇଗଲା ବାର୍ଦ୍ଧକ୍ୟ ଭତ୍ତା ! ହିତାଧିକାରୀଙ୍କ ମୃତ୍ୟୁ ପରେ ଉଠିଛି ଭତ୍ତା ଟଙ୍କା…ପଦାରେ ପଡିଲା ସରକାରୀ ବାବୁଙ୍କ କଳା କାରନାମା

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବୋରିଗାଁ ପଂଚାୟତରୁ ଆସିଛି ଏମିତି ଅଦ୍ଭୁତ ଖବର

519

କନକ ବ୍ୟୁରୋ: ନବରଙ୍ଗପୁରରେ ଭୁତ ଖାଇଗଲେ ବାର୍ଦ୍ଧକ୍ୟ ଭତା ଟଙ୍କା । ବୃଦ୍ଧ ବୃଦ୍ଧାଙ୍କ ପାଇଁ ଆସୁଥିବା ବାର୍ଦ୍ଧକ୍ୟ ଭତା ଟଙ୍କା ଖାଇଗଲେ ସରକାରୀ ବାବୁ  ଜଣକର କି ଦି ଜଣକର ନୁହଁ ସାତ ଜଣ ମୃତ ବ୍ୟକ୍ତିଙ୍କ ନାରେ ହଜାର ହଜାର ଟଙ୍କା ଉଠାଇ ଚଳୁ କରାଯାଇଛି । ସରକାରଙ୍କ ସୋସିଆଲ ଅଡିଟରେ ପର୍ଦାଫାଶ ହୋଇଛି ସରକାରୀ ବାବୁଙ୍କ ଏହି କଳା କାରନାମା ।

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବୋରିଗାଁ ପଂଚାୟତରୁ ଆସିଛି ଏମିତି ଅଦ୍ଭୁତ ଖବର । ପଂଚାୟତର ୭ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ମାସ ମାସ ଧରି ବାର୍ଦ୍ଧକ୍ୟ ଭତା ଟଙ୍କା ଉଠାଯାଇଛି । ଅଭିଯୋଗ ଅନୁସାରେ ବୋରିଗାଁ ପଂଚାୟତ ପାରିଆବେଡା ଗାଁର ଦେବ ଭତରା ୨୦୧୮ ଜୁନ୍ ୧୭ ତାରିଖରୁ ଆଖି ବୁଝି ସାରିଛନ୍ତି । ସେହି ଗାଁର ଆଉ ଜଣ ହିତାଧିକାରୀ ବୁଦୁ ଗୌଡଙ୍କ ମୃତ୍ୟୁ ୨୦୧୮ ସେପ୍ଟେମ୍ବର ୧୬ ତାରିଖରେ ହୋଇସାରିଛି । ହେଲେ ସେମାନଙ୍କ ନାଁରେ ୨୦୧୯ ମାର୍ଚ ଯାଏଁ ଭତା ଟଙ୍କା ଉଠିଥିବା ସରକାରୀ ଖତାରେ ଉଲ୍ଲେଖ ରହିଛି । ଦେବ ଓ ବୁଦୁଙ୍କ ଭଳି ପଂଚାୟତର ୭ ଜଣ ମୃତ ହିତାଧିକାରୀଙ୍କ ନାଁରେ ଭତା ଟଙ୍କା ଉଠିଥିବା ବେଳେ ପରିବାର ଲୋକଙ୍କ ଏ ସଂପର୍କରେ ଜଣାନାହିଁ ।

ଗରିବ ଅସହାୟ ବ୍ୟକ୍ତିଙ୍କୁ ବୟସର ଅପରାହ୍ଣରେ ସହାୟତା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବାର୍ଦ୍ଧକ୍ୟ ଭତାର ବ୍ୟବସ୍ଥା କରିଛନ୍ତି । ହେଲେ ସେହି ଟଙ୍କାକୁ ସରକାରୀ ବାବୁମାନେ କେମିତି ବାଟମାରଣା କରନ୍ତି ଏ ହେଉଛି ତାର ଏକ ଉଦାହରଣ । ମୃତ ବ୍ୟକ୍ତିଙ୍କ ନାଁରେ ଭତା ଟଙ୍କା ଉଠାଯାଇଥିବା ସୋସିଆଲ ଅଡିଟ୍ ରିପୋର୍ଟରେ ଦର୍ଶାଯାଇଛି । ହିତାଧିକାରୀଙ୍କ ମୃତ୍ୟୁ ରିପୋର୍ଟ ସ୍ଥାନୀୟ ଅଙ୍ଗନୱାର୍ଡି କର୍ମୀ ପଂଚାୟତକୁ ଲିଖିତ ଭାବେ ଜଣାଇଛନ୍ତି । ଏହା ସତ୍ୱେ ମୃତ ବ୍ୟକ୍ତିଙ୍କ ନାଁରେ ଭତା ଟଙ୍କା ଉଛିଠି ।

ତେବେ ଏ ସଂପର୍କରେ ବର୍ତମାନର ପଂଚାୟତ ନିର୍ବାହୀ ଅଧିକାରୀ କହିଛନ୍ତି ସେ ନୂଆ କରି ଯୋଗଦାନ କରିଥିବା ଘଟଣା ବାବଦରେ ତାଙ୍କ ଜଣା ନଥିଲା । ଖୁବ୍ଶୀଘ୍ର ଏହି ଘଟଣାର ତଦନ୍ତ କରି ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ ଦେବେ । ଭୂତ ଭତା ଟଙ୍କା ଉଠାଇବା ଘଟଣାର ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।