ପେନସିଲ୍ ନିର୍ମାଣରେ ନାଭିକେନ୍ଦ୍ର ପାଲଟିଛି ଏହି ଗ୍ରାମ, ଦେଶକୁ ଶିକ୍ଷତ କରିବାକୁ ନିଭାଉଛି ଗୁରୁତ୍ୱପୂର୍ଣ୍ଣ ଭୂମିକା

129

କନକ ବ୍ୟୁରୋ : ଆଜି ମନ୍ କି ବାତର ୭୦ ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ଯେଉଁସବୁ କଥା ଆଲୋଚନା କରିଛନ୍ତି ତାହା ମଧ୍ୟରେ ଲୋକାଲ ଫର ଭୋକାଲ କୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ପୂଜା ଅବସରରେ ପ୍ରଧାନମନ୍ତ୍ରୀ କହିଥଲେ କି ନିଜ ଅଞ୍ଚଳରେ ପ୍ରସ୍ତୁତ ହେଉଥିବା ସାମଗ୍ରୀକୁ ପ୍ରୋତ୍ସାହନ ଦିଅନ୍ତୁ ଓ ଯଥା ସମ୍ଭବ ତାହା କିଣିବାକୁ ଚେଷ୍ଟା କରନ୍ତୁ । ଏହାକୁ ନେଇ ପ୍ରଧାନମନ୍ତ୍ରୀ ଭାରତର ଏକ ପେନସିଲ ଗାଁ ସଫଳତାର କାହାଣୀ ଶୁଣାଇଥିଲେ ।

ପ୍ରଧାନମନ୍ତ୍ରୀ ସିନା କାହାଣୀ ଶୁଣାଇଥିଲେ ହେଲେ ଏବେ ଆମେ ଜାଣିବା ବାସ୍ତବରେ କେମିତି ସେହି ପେନସିଲ୍ ଗ୍ରାମ । ଏହି ଗ୍ରାମ ଜମ୍ମୁ-କାଶ୍ମୀର ଅନ୍ତର୍ଗତ ପୁଲୱାମା ଗ୍ରାମ । ସମଗ୍ର ଦେଶକୁ ପେନସିଲ୍ ଯୋଗାଇବାରେ ଏହି ଗ୍ରାମର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ଗ୍ରାମବାସୀଙ୍କ କଠୋର ପରିଶ୍ରମ ଫଳରେ ସମଗ୍ର ଦେଶର ଛାତ୍ର ଛାତ୍ରୀ ମାନେ ସହଜରେ ସେମାନଙ୍କର ହୋମୱାର୍କ କରିବା ସହ ନୋଟ୍ ପ୍ରସ୍ତୁତ କରିପାରୁଛନ୍ତି।

କହିରଖୁ କି ଦେଶର ପ୍ରାୟ ୯୦ ପ୍ରତିଶତ ପେନସିଲ୍ ର ଚାହିଦା କାଶ୍ମୀର ଉପତ୍ୟକା ପୁରଣ କରିଥାଲ । ଏହି ୯୦ ପ୍ରତିଶତରୁ ୭୦ ପ୍ରତିଶତ ଚାହିଦା ପୁରଣ କରିଥା’ନ୍ତି ପୁଲୱାମା ଗ୍ରାମବାସୀ । ପୂର୍ବରୁ ପେନସିଲ୍ ନିର୍ମାଣ ପାଇଁ ବାହାର ଦେଶରୁ କାଠ ଆମଦାନୀ କରାଯାଉଥିଲା । ହେଲେ ଏବେ ପୁଲୱାମା ଦେଶକୁ ଆତ୍ମନିର୍ଭର କରୁଛି । ପେନସିଲ ପାଇଁ କାଶ୍ମୀର ଉପତ୍ୟକାରୁ ଚିନା କାଠ ସାରା ଦେଶ ଓ ବିଦେଶକୁ ରପ୍ତାନୀ କରାଯାଉଛି । ଏହି କାଠ ଅଧିକ ଆଦ୍ର ଓ ନରମ ହୋଇଥିବାରୁ ଏଥିରେ ପେନସିଲ ନିର୍ମାଣ ସହଜ ହେଉଛି ବୋଲି ପ୍ରଧାନମନ୍ତ୍ରୀ ମନ୍ କି ବାତ୍ ରେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ କି ପୁଲୱାମାର ଔଖୁ ଗାଁ ପେନସିଲ୍ ଗାଁ ଭାବେ ପରିଚିତ । ଏହି ଗାଁର ସର୍ବାଧିକ ଲୋକ ପେନସିଲ୍ ଓ ସ୍ଲେଟ୍ ତିଆରି କାମରେ ଲାଗିଥା’ନ୍ତି । ଏହି କାମରେ ଅଧିକ ମହିଳା ମାନେ ନିଯୁକ୍ତ ହୋଇଥା’ନ୍ତି । ଫଳରେ ଏହି ଅଞ୍ଚଳର ଅନେକ ବେକାର ଯୁବକ ଯୁବତୀ ଏହି କାମ କରି ନିଜକୁ ଆତ୍ମନିର୍ଭରଶୀଳ କରିପାରିଛନ୍ତି ।