ପେଗାସସ୍ ଗୁପ୍ତଚର ମାମଲାରେ ଅଭିଯୋଗ ସ୍ୱୀକାର କଲେ ସୁପ୍ରିମ କୋର୍ଟ, ଆସନ୍ତା ସପ୍ତାହରେ ଶୁଣାଣି

136

କନକ ବ୍ୟୁରୋ : ପେଗାସସ୍ ଗୁପ୍ତଚର ମାମଲାକୁ ନେଇ ସୁପ୍ରିମ କୋର୍ଟରେ ହୋଇଥିବା ଅଭିଯୋଗକୁ କୋର୍ଟ ସ୍ୱୀକାର କରିଛନ୍ତି । ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣି ହେବ । ଶୁକ୍ରବାର ଦିନ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଏନ.ବି ରମନ୍ନା ବେଞ୍ଚରେ ଏହି ମାମଲା ଦାଖଲ କରାଯାଇଥିଲା । ଏହାକୁ ନେଇ ମୁଖ୍ୟ ବିଚାରପତି କହିଛନ୍ତି କି ଆଗାମୀ ସପ୍ତାହରେ ଏହି ମାମଲାର ଶୁଣାଣି ହେବ ।

ସୁପ୍ରିମ କୋର୍ଟର ବରିଷ୍ଠ ଓକିଲ କପିଲ ଶିବଲ ଶୁକ୍ରବାର ଦିନ ଏହି ମାମଲାକୁ ମୁଖ୍ୟ ବିଚାରପତିଙ୍କ ସାମ୍ନାରେ ରଖିଥିଲେ । ସେ ବରିଷ୍ଠ ପ୍ରତ୍ରକାର ଏନ୍ ରାମଙ୍କ ଦ୍ୱାରା ଦାଖଲ କରାଯାଇଥିବା ଯାଚିକା ବାବଦରେ କହିଥିଲେ । ଏହାପରେ ମୁଖ୍ୟ ବିଚାରପତି ଏହି ମାମଲାର ଶୁଣାଣି ଆଗାମୀ ସପ୍ତାହରେ ହେବ ବୋଲି କହିଛନ୍ତି ।

କହିରଖୁ କି ଅର୍ନ୍ତରାଷ୍ଟ୍ରୀୟ ଗଣମାଧ୍ୟମ ଦ୍ୱାରା ଏହି ମାମଲାର ଖୋଲାସା କରାଯାଇଥିଲା । ଏଥିରେ କୁହାଯାଇଥିଲା କି ଇଜ୍ରାଇଲ ସଫ୍ଟୱେୟାର ପେଗାସସ୍ କୁ ବ୍ୟବହାର କରି ଭାରତ ସମେତ ବିଶ୍ୱର ଅନେକ ଦେଶର ପତ୍ରକାର, ନେତା ଓ ଅନ୍ୟ ବରିଷ୍ଠ ବ୍ୟକ୍ତିମାନଙ୍କୁ ଟାର୍ଗେଟ କରାଯାଉଛି  । ଏହି କ୍ରମରେ ଫୋନ ଟ୍ୟାପିଂ ମାମଲା ବି ସାମ୍ନାକୁ ଆସିଥିଲା ।

ଅନ୍ୟପଟେ ପେଗାସସ୍ ମାମଲା ଆସିବା ପରେ ଏହାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି । ମୌସୁମୀ ଅଧିବେଶନରେ ଏହି ପ୍ରସଙ୍ଗ ଆଲୋଚନା କରିବା ନେଇ ବାରମ୍ବାର ବିରୋଧୀଦଳମାନେ ଦାବି କରୁଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଅନେକ ବିରୋଧୀଦଳ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିଛନ୍ତି ।