କନକ ବ୍ୟୁରୋ : ପେଗାସସ୍ ସଫ୍ଟୱେୟାର ମାମଲାକୁ ନେଇ ଏବେ ବିରୋଧୀ ଦଳମାନେ ସଡକ ଠାରୁ ସଂସଦ ପର୍ଯ୍ୟନ୍ତ ହୋ ହାଲ୍ଲା କରିଛନ୍ତି । ଏହି ମାମଲାକୁ ନେଇ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି ବିରୋଧୀ ।
ଗୋଟିଏ ପଟେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ୍ କରିଥିବା ବେଳେ ଉଭୟ ସଂସଦରେ ଏହି ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଉଭୟ ସଦନ ପ୍ରଭାବିତ ହୋଇଛି ।
ଶୁକ୍ରବାର ଦିନ ପେଗାସସ୍ ସ୍ପାଏ ୱେୟାରକୁ ନେଇ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । ସୁପ୍ରିମକୋର୍ଟଙ୍କ ତତ୍ୱାବଧାନରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଯାଂଚ ପାଇଁ ଦାବି କରିଛନ୍ତି । ସଂସଦ ଭବନ ବାହାରେ ଗଣମାଧ୍ୟମକୁ କହିଛନ୍ତି କି ଇଜ୍ରାଇଲ ସରକାର ପେଗାସସ୍ କୁ ଏକ ଅସ୍ତ୍ରଭାବେ ପ୍ରସ୍ତୁତ କରିଥିଲେ । ଏହାକୁ ଆତଙ୍କବାଦ ବିରୋଧରେ ବ୍ୟବହାର କରାଯିବାକୁ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ୍ ଶାହା ଏହାକୁ ବିରୋଧୀ ମାନଙ୍କ ବିରୋଧରେ ବ୍ୟବହାର କରିଛନ୍ତି ।
Pegasus is classified by the Israeli state as a weapon and that weapon is supposed to be used against terrorists. The Prime Minister and Home Minister have used this against the Indian state and against our institutions: Congress leader Rahul Gandhi pic.twitter.com/lT9J470a82
— ANI (@ANI) July 23, 2021
ଅନ୍ୟପଟେ କର୍ଣ୍ଣାଟକରେ କଂଗ୍ରେସ ସରକାର ପତନ ବେଳେ ଏହାର ସହାୟତା ବିଜେପି ନେଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ତେଣୁ ଗୃହମନ୍ତ୍ରୀ ଏହି ମାମଲାରେ ନିଜକୁ ନିଜେ ଦୋଷୀ ଭାବି ପଦତ୍ୟାଗ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।
ଏନେଇ ଆଜି ସଂସଦ ଭବନ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତତିମୂର୍ତ୍ତି ଆଗରେ ବିରୋଧୀ ସାଂସଦମାନେ ଧାରଣା ପ୍ରଦର୍ଶନ କରିଛନ୍ତି । ଏହି ବିରୋଧ ପ୍ରଦର୍ଶନରେ କଂଗ୍ରେସ, ଶିବସେନା, ଡିଏମକେର ସାଂସଦ ମାନେ ଉପସ୍ଥିତ ଥିବା ବେଳେ ରାହୁଲ ଗାନ୍ଧୀ ଏହାର ନେତୃତ୍ୱ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଲ୍ଲିକାର୍ଜୁନ ଖଡଗେ, କେ.ସି ବେଣୁଗୋପାଳ, ଅଧିର ରଂଜନ ଚୌଧୁରୀ ଓ ଶିବସେନାର ପ୍ରିୟଙ୍କା ଚର୍ତୁବେଦୀ ସାମିଲ ଥିଲେ ।
କହିରଖୁ କି ଅର୍ନ୍ତରାଷ୍ଟ୍ରୀୟ ଗଣମାଧ୍ୟମ ଦ୍ୱାରା ପେଗାସସ୍ ମାମଲାର ଖୁଲାସା କରାଯାଇଥିଲା । ଯେଉଁଥିରେ ଦାବି କରାଯାଇଥିଲା କି ପେଗାସସ୍ ସଫ୍ଟୱେୟାରର ବ୍ୟବହାର କରି ଭାରତର ଅନେକ ନେତା, ସାମ୍ବାଦିକ, ଜଜ୍ ଓ ଅନ୍ୟ ବରିଷ୍ଠ ବ୍ୟକ୍ତିମାନଙ୍କର ଫୋନ ଟ୍ୟାପିଂ କରାଯାଇଛି ।