ପେଗାସସ୍ ଗୁଇନ୍ଦାଗିରିକୁ ନେଇ ଥମୁନି ବିବାଦ । କେନ୍ଦ୍ର ଆଇଟି ମନ୍ତ୍ରୀଙ୍କ ହାତରୁ କାଗଜ ଛଡେଇ ଚିରିବା ଘଟଣାରେ ହେଲା କାର୍ଯ୍ୟାନୁଷ୍ଠାନ ।

207

କନକ ବ୍ୟୁରୋ: କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଠାରୁ କାଗଜ ଛଡ଼ାଇବା ଘଟଣାରେ ଟିଏମସି ସାଂସଦ ଶାନ୍ତନୁ ସେନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ସଂସଦର ମୌସୁମୀ ଅଧିବେଶନର ଅବଶିଷ୍ଟ କାର୍ଯ୍ୟକାଳରେ ସେ ଯୋଗଦେଇ ପାରିବେ ନାହିଁ । ଚଳିତ ଅଧିବେଶନ ଶେଷ ପର୍ଯ୍ୟନ୍ତ ତାଙ୍କୁ ନିଲମ୍ବନ କରାଯାଇଛି । ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ଏହି ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ଶାନ୍ତନୁଙ୍କୁ ନିଲମ୍ବନ କରିଛନ୍ତି । ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟିଏମସି ଉପରେ ବର୍ଷିଛନ୍ତି ।

ଅନ୍ୟପଟେ ପେଗାସସ୍ ସ୍ପାଏ-ଓୟାର’ ବା ମୋବାଇଲ ଗୁପ୍ତଚରୀକୁ ନେଇ ମୁହଁ ଖୋଲିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି । ସେ କହିଛନ୍ତି, ତାଙ୍କୁ ଫୋନକୁ ଟ୍ୟାପ କରାଯାଇଛି । ଏହାଦ୍ୱାରା କେବଳ ତାଙ୍କର ନୁହେଁ, ବରଂ ଲୋକଙ୍କ ସ୍ୱର ଉପରେ ଆକ୍ରମଣ ହୋଇଛି । ଘଟଣାରେ ରାହୁଲ ଗାନ୍ଧି ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିଛନ୍ତି ଓ ନ୍ୟାୟିକ ତଦନ୍ତ ପାଇଁ ଦାବି କରିଛନ୍ତି । ରାହୁଲ କହିଛନ୍ତି, ପେଗାସସକୁ ଭାରତର ବିଭିନ୍ନ ସଂସ୍ଥା ଓ ଲୋକତନ୍ତ୍ରକୁ ହତ୍ୟା କରିବା ପାଇଁ ପ୍ରୟୋଗ କରାଯାଇଛି । ତେବେ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ରାଜ୍ୟସଭାରେ ପକ୍ଷ ରଖୁଥିବା ବେଳେ ଟିଏମସି ସାଂସଦ ଶାନ୍ତନୁ ସେନ ତାଙ୍କ ଠାରୁ କାଗଜ ଛଡାଇ ନେଇ ଚିରି ଦେଇଥିଲେ ।