କନକ ବ୍ୟୁରୋ : ଚିନ୍ତାରେ ପଡିଛି ଚାଷୀକୁଳ । ପ୍ରତିବର୍ଷ କ୍ଷତି ସହୁଥିବା ବେଳେ ଚଳିତ ଥର ମଧ୍ୟ ଚାଷରେ କ୍ଷତି ଯୋଗୁ ବଢିଛି ଚିନ୍ତା । କଣାସ ବ୍ଲକର ତ୍ରିଲୋଚନପୁର ପଂଚାୟତ ହଳଦି ପଦର ଗାଁର ପ୍ରାୟ ଲୋକ ବାଦାମ ଚାଷ କରି ଭରଣ ପୋଷଣ କରୁଛନ୍ତି । ଅନ୍ୟ ଚାଷ ଅପେକ୍ଷା ଗାଁର ଲୋକମାନେ ପ୍ରାୟତଃ ବାଦାମ ଚାଷ କରିଥାନ୍ତି । ଏକର ଏକର ଜମିରେ ବାଦାମ ଚାଷ କରି ସେଥିରୁ ଯାହା ଲାଭ ମିଳୁଛି ସେଥିରେ ଚଳିଥାଏ ପରିବାର । ହେଲେ ଚଳିତଥର ସଠିକ୍ ସମୟରେ ବର୍ଷା ହୋଇନଥିବା ବେଳେ ସଠିକ୍ ସମୟରେ ମିଳିନଥିଲା ବିହନ ମଂଜି । ଏପରିକି ପ୍ରଶାସନ ପକ୍ଷରୁ ନିମ୍ନ ମାନର ବିହନ ଯୋଗାଯାଇଥିବାରୁ ଆଶା ଅନୁସାରେ ଫସଲ ହୋଇନଥିଲା । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ବାଦାମ ଚାଷ ପାଇଁ ଚାଷୀ ବିଭିନ୍ନ ସ୍ଥାନରୁ ଧାର କରଜ କରି ଫସଲ କରିଥିଲା । ନିମ୍ନାମନର ବାଦାମ ବିହନ ଯୋଗାଯାଇଥିବା ବେଳେ ଚାଷ ଭଲ ହୋଇନାହିଁ । ତାସାଙ୍ଗକୁ ବର୍ଷା ଭଲ ନଥିବାରୁ ଅଧିକରୁ ଅଧିକ ଫସଲ ନଷ୍ଟ ହୋଇଯାଇଛି । ଯେଉଁ ଅନୁସାରେ ଚାଷରେ ଚାଷୀ ଖର୍ଚ୍ଚ କରିଥିଲା ତାଠୁ ଅଧିକ କ୍ଷତିରେ ପଡିଛି ଚାଷୀ କୁଳ । ଏନେଇ ବିଭିନ୍ନ ସ୍ଥାନରେ ଜଣାଇଥିଲେ ବି ଚାଷୀଙ୍କ ସମସ୍ୟା ଶୁଣିବାକୁ ଯେମିତି କେହି ନାହିଁ ।

ଚିନ୍ତାରେ ପଡିଥିବା ଏହି ବାଦାମ ଚାଷୀଙ୍କ ପାଇଁ କିଛି ସହାୟତା ଯୋଗାଯାଇପାରିଲେ ଚାଷୀ ମାନେ ଉପକୃତ ହୋଇପାରିବେ ।