୧୫ଦିନରେ ଚାଷୀ ଆନ୍ଦୋଳନ : ଚାଷୀ ଜିଦରେ ଅଟଳ…ଏବେ କ’ଣ କରିବେ ସରକାର ?

143

କନକ ବ୍ୟୁରୋ : କ୍ରମାଗତ ୧୫ ଦିନରେ ପହଁଚିଲା ଦିଲ୍ଲୀରେ ଚାଷୀ ସଂଗଠନ ଆନ୍ଦୋଳନ । ରାଜପଥ ଉପରେ ହଜାର ହଜାର ଚାଷୀ ଦିନ ରାତି ଏକାଠି ବସି ରହିଛନ୍ତି । ମୋଦି ସରକାରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରି ନୂଆ କୃଷି ଆଇନ ପ୍ରତ୍ୟାହାର ସହ ଏମଏସପି ଦାବିରେ ଅଟଳ ଅଛନ୍ତି ଚାଷୀ । ଗତକାଲି ମୋଦି ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଦେଇଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଜାରି ରଖିବା ପାଇଁ ସରକାର ଲିଖିତ ଗ୍ୟାରେଂଟି ଦେବେ ବୋଲି ଜଣାଇବା ପରେ ମଧ୍ୟ ଚାଷୀ ଏହାକୁ ଗ୍ରହଣ କରି ନାହାନ୍ତି ।

ଆନ୍ଦୋଳନ ଆହୁରୀ ଜୋରଦାର କରିବା ପାଇଁ ସେମାନେ ଘୋଷଣା କରିଛନ୍ତି । ଦିଲ୍ଲୀକୁ ସମସ୍ତ ରାସ୍ତା ଗୋଟିଏ ପରେ ଗୋଟିଏ ବନ୍ଦ କରିବା ପାଇଁ ଚେତାବନୀ ଦେଇଛନ୍ତି । ଡିସେମ୍ବର ୧୪ ତାରିଖରେ ସାରା ଦେଶରେ ପ୍ରତିବାଦ କରିବା ପାଇଁ ଆହ୍ୱାନ ଦେଇଛନ୍ତି ଚାଷୀ । ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ପଂଜାବରେ ଆଗକୁ ଏହି ଧାରଣା ପ୍ରତିବାଦ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ନେତା । ସରକାର ଦେଇଥିବା ପ୍ରସ୍ତାବରେ ପରିବର୍ତନ ସହ ଆଇନ ପ୍ରତ୍ୟାହାର ନେଇ ସହମତ ନହେବା ଯାଏଁ ଆନ୍ଦୋଳନରୁ ଚାଷୀ ହଟିବେ ନାହିଁ କି ସରକାରଙ୍କ ସହ କୌଣସି ଆଲୋଚନା ହେବନି ବୋଲି ସ୍ପଷ୍ଟ କରିଛନ୍ତି ।

ସେପଟେ ସିଂଘୁ ସୀମାରେ ଅଧିକ ସୁରକ୍ଷା ବଳ ମୁତୟନ କରାଯାଇଛି । ୧୨ ତାରିଖରେ ଦିଲ୍ଲୀକୁ ଯୋଡୁଥିବା ସମସ୍ତ ଜାତୀୟ ରାଜପଥ ଅବରୋଧ କରିବେ ଚାଷୀ । ଏହା ପରେ ୧୪ରେ ଦେଶବ୍ୟାପୀ ବିକ୍ଷୋଭ ସମାବେଶ କରାଯିବ ବୋଲି ଚେତାଇ ଦେଇଛନ୍ତି ଚାଷୀ ସଂଗଠନ । ଆନ୍ଦୋଳନକୁ ୧୮ରୁ ଅଧିକ ରାଜନୈତିକ ଦଳ ଏବଂ ୩୦ରୁ ଅଧିକ ଚାଷୀ ସଂଗଠନ ସମର୍ଥନ ଦେଇଥିବାରୁ ମୋଦି ସରକାରଙ୍କ ଅଡୁଆ ବଢି ଯାଇଛି ।