ମୁକ୍ତା ଚାଷ ଦେଇଛି ସ୍ୱତନ୍ତ୍ର ପରିଚୟ । ୧୫ ବର୍ଷ ଧରି ଛତୁ ଚାଷ ପରେ ଏବେ ମୁକ୍ତା ଚାଷରେ ହୋଇଛନ୍ତି ସଫଳ ।

182

କନକ ବ୍ୟୁରୋ: ସଫଳ ଚାଷୀ ସାରଦା ପ୍ରସାଦ ରାୟ । ଘର ଜଗତସିଂହପୁର ବ୍ଲକ୍ ଯଁକୋଟି ପଂଚାୟତ ବିରିବାଟି ଗାଁରେ । ଦୀର୍ଘ ୧୫ ବର୍ଷ ଧରି ସଫଳତାର ସହ ଛତୁ ଚାଷ ପରେ ଏବେ ମୁକ୍ତା ଚାଷ କରିବାକୁ ମନୋବଳାଇଛନ୍ତି । ନିଜ ବାରି ପୋଖରୀରେ ମୁକ୍ତା ଚାଷ କରୁଛନ୍ତି । ଦୀର୍ଘ ୧୫ ବର୍ଷ ହେବ ବ୍ରବସାୟ ଭିତ୍ତିରେ ସେ ଛତୁ ଚାଷ କରି ଆସୁଛନ୍ତି ।

ଜଗତସିଂହପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ମୁକ୍ତା ଚାଷ ଆରମ୍ଭ କରିଛନ୍ତି ସାରଦା ପ୍ରସାଦ ରାୟ । ପ୍ରଥମେ ଦୁଇ ହଜାର ଶାମୁକା ଆଣି ସେଥିରେ ନିୟୁକ୍ଲିୟସ୍ ରଖି ମୁକ୍ତା ଚାଷ ଆରମ୍ଭ କରିଛନ୍ତି । କୋଲାପୁରରୁ ନିୟୁକ୍ଲିୟସ୍ ଅଣାଯାଉଛି । ଶାମୁକାକୁ ଅପରେସନ କରି ଡିଜାଇନ୍ ଦିଆଯାଉଛି । ଶାମୁକାକୁ ଆଂଟିବାୟୋଟିକ୍ ଦିଆଯାଇ ଗୋଟେ ଶାମୁକାକୁ ଗୋଟେ ଲିଟର ପାଣିରେ ରଖାଯାଏ । ୮ ଦିନ ନୀରିକ୍ଷଣରେ ରଖାଯିବା ପରେ ପୋଖରୀରେ ନେଟ୍ ସାହାଯ୍ୟରେ ଝୁଲାଇ ରଖାଯାଉଛି । ଦେଢ଼ ବର୍ଷରୁ ଅଠର ମାସ ଭିତରେ ମୁକ୍ତା ପ୍ରସ୍ତୁତ ହୋଇ ଯାଉଛି ।

ଏହାର ବଜାର ଚାହିଦା ମଧ୍ୟ ବେଶ୍ ଲାଭ ଦାୟକ । ଇରାକ୍, ଇରାନ୍, ଥାଇଲାଣ୍ଡ ପଠା ଯାଉଛି । ମୁକ୍ତା ବିନା ପଲିସ୍ରେ ଗୋଟେକୁ ଶହେରୁ ଦେଢ଼ ଶହ ଟଙ୍କା ବିକ୍ରି ହେଉଛି । ଓଡ଼ିଶାରେ ପଲିସ କରିବାର ସୁବିଧା ନାହିଁ । ତେଣୁ ପଲିସ୍ କୋଲକତା ଓ ହାଇଦ୍ରାବାଦରେ କରାଯାଉଛି । ଏହାପରେ ଗୋଟେ ମୁକ୍ତାକୁ ୫ ଶହରୁ ଏକ ହଜାର ବିକ୍ରି କରାଯାଉଛି ।

ବ୍ରହ୍ମପୁରର ଜଣେ ବନ୍ଧ ଛତୁ ଚାଷୀଙ୍କ ଠାରୁ ମୁକ୍ତା ଚାଷ ସମ୍ପର୍କରେ ଜାଣି ଶାରଦା ଏଥିପାଇଁ ମନବଳାଇଥିଲେ । ଛତୁ ଓ ମୁକ୍ତା ଚାଷ ସହ ଘରକୁ ଲାଗିଥିବା ପାଖା ପାଖି ସାଢ଼େ ପାଚଂ ଏକର ସ୍ଥାନରେ ଭଳିକି ଭଳି ଚାଷ କରିଛନ୍ତି । ଆମ୍ବ, ନଡିଆ, ଗୁଆ, ବରକୋଳି, ଥାଇଲାଣ୍ଡ ବରକୋଳି, ସପୁରୀ ଭଳି ଫଳ ଜାତୀୟ ଚାଷ ମଧ୍ୟ କରିଛନ୍ତି ।