ଚିନ୍ତାରେ ମାଲକାନଗିରି ଜିଲ୍ଲାର ଚିନାବାଦାମ ଚାଷୀ । ବିକ୍ରି ହୋଇପାରୁନି ଫସଲ, ମୁଣ୍ଡରେ ହାତ ଦେଉଛି ଚାଷୀ ।

117

କନକ ବ୍ୟୁରୋ: କଥା ରେ ଅଛି ଚାଷ କାମ ଜାହାର, କେଡେ ସୁଖ ତାହାର । ତେବେ ଆଜିକା ଦିନରେ ଚାଷୀଙ୍କ କିନ୍ତୁ ଦୁଖର ଅନ୍ତ ନାହିଁ । ସେ ଧାନ ହୋଉ ବା ଚିନା ବାଦାମ । ମଣ୍ଡି ରେ କଷ୍ଟ ଉପାର୍ଜିତ ଫସଲ ନେଇ ହଟହଟା ହବା କିନ୍ତୁ ସୁନିଶ୍ଚିତ । ମାଲକାନଗିରି ଜିଲ୍ଲାରେ ହଜାର ହଜାର ଚାଷୀ, ଚିନା ବାଦାମ ଉପାର୍ଜନ କରି ବେଶ ଦୁଇ ପଇସା ରୋଜଗାର କରନ୍ତି । ତେବେ ମଣ୍ଡି ର କଟକଣା ଆଗରେ କିନ୍ତୁ ହାର ମାନି ଯାନ୍ତି ଚାଷୀ । ଆଉ ଖୋଲା ବଜାର ରେ ଜାହା ଦର ମିଳେ, ସେଥିରେ ଚାଷୀ ଙ୍କ ମୁଳ ପଇସା ଉଠିବା କଷ୍ଟକର । ଏପରି ସ୍ଥିତିରେ ସରକାରୀ ବ୍ୟବସ୍ଥା ଉପରେ ମୁହଁ ଫେରେଇବା ଆରମ୍ଭ କରିଛନ୍ତି ଅନ୍ନଦାତା ।

ଏ ଚିତ୍ର ଆସିଛି ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରୁ । ବିଲରେ ଫଳିଛି ସୁନାର ଫସଲ । ଭଲ ଅମଳ ହୋଇଛି ଚିନା ବାଦାମ । ପ୍ରତି ବର୍ଷ ରବି ରୁତୁରେ ଚିନା ବାଦାମ ଚାଷ କରନ୍ତି ମାଲକାନଗିରି ଜିଲ୍ଲାର ହଜାର ହଜାର ଚାଷୀ । ଆଉ ରବି ରୁତୁରେ ବେଶ ଦୁଇ ପଇସା ରୋଜଗାର କରିବାର ଆଶା ରଖନ୍ତି ଚାଷୀ କୁଳ । ଆମ ରାଜ୍ୟରେ ଧାନ କିମ୍ବା ଯେ କୌଣସି ଫସଲ ମଣ୍ଡିରେ ଚାଷୀ ହଟହଟା ହବା କଥା କିଛି ନୁଆ ନୁହଁ । ଆଉ ଚିନା ବାଦାମ କ୍ଷେତ୍ରରେ ମଧ୍ୟ ବେଶ ସେଇୟା ହିଁ ଦେଖିବାକୁ ମିଳୁଛି । ସରକାରଙ୍କ ଏଫଏକ୍ୟୁ କଟକଣା ଏତେ ଯେ, ଅଧିକାଂଶ ଚାଷୀଙ୍କ ଚିନା ବାଦାମ ଏଫଏକ୍ୟୁ ମାନକୁ ଛୁଇଁବା କଷ୍ଟକର । ତା ସାଙ୍ଗକୁ ଅଖା ନାହିଁ, ବସ୍ତା ନାହିଁ, ଟାରଗେଟ ନାହିଁ, ଅଧିକାରୀ ନାହାନ୍ତି ଏମିତି ଅନେକ କଛି ସହିଲା ବେଳକୁ ମଣ୍ଡିରେ ହିଁ ଫସଲ ନଷ୍ଟ ହବା ଆରମ୍ଭ ହୋଇ ଯାଉଛି ।

ମଲାକନଗିରି ଜିଲ୍ଲା ଗୋରାଖୁନ୍ଟା ଗ୍ରାମ ପଂଚାୟତ ଅନ୍ତର୍ଗତ ପୋନାରଗୁଡା ଗାଁ ର ଯୁବ ଚାଷୀ ନିତ୍ୟାନନ୍ଦ ମାଡକାମୀ (ପର୍ପଲ କଲର ଟି ଶାର୍ଟ, ବ୍ଲୁ ମାସ୍କ) ଅଢେଇ ଏକର ଜମିରୁ ୧୬ କୁଇଂଟାଲ ବାଦାମ ଅମଳ କରି ମଣ୍ଡିକୁ ଆଣି ଥିବା ବେଳେ ଦିର୍ଘ ଦିନ ଧରି ମଣ୍ଡିରୁ ଚିନା ବାଦାମ ଉଠି ପାରୁ ନ ଥିବାରୁ ଏବେ ବର୍ଷା ଦାଉରୁ ତାହା ରକ୍ଷା କରିବା କଷ୍ଟକର । ସେହି ପରି କୁର୍ଷିଓାଡା ଗାଁର ମହିଳା ଚାଷୀ ମଧ୍ୟ ୨୫ କୁଇଂଟାଲ ବାଦାମ ମଣ୍ଡିକୁ ଆଣି ଥିବାବେଳେ ତାହା ଏଫଏକ୍ୟୁ ମାନ ର ହୋଇ ପାରୁ ନାହିଁ ।

ମଣ୍ଡିରେ ହନ୍ତସନ୍ତ ହେବା ସହ ବିଳମ୍ବରେ ପାଉଣା ମିଳୁ ଥିବାରୁ ଅଧିକାଂଶ ଚାଷୀ, ଖୋଲା ବଜାରରେ ଚିନା ବାଦାମ ବିକ୍ରି କରନ୍ତି । ତେବେ ସେଠାରେ ମଧ୍ୟ ଉଚିତ ମୁଲ୍ୟ ତ ଦୁରେ ଥାଉ, ଚୁକ୍ତି କରୁଥିବା ଦରରେ ମଧ୍ୟ ସ୍ଥାନୀୟ ବ୍ୟବସାୟୀ ଅର୍ଥ ପୈଠ କରୁ ନଥିବା ଅଭିଯୋଗ ହୋଇଛି । ମାଲାକନଗିରି ଏମଭି ୭ ଗାଁ ର ମୋହନ ବିଶ୍ୱାସ (ନ୍ୟାଭି ବ୍ଲୁ ଟିଶାର୍ଟ ପିନ୍ଧିଛନ୍ତି, ବିନା ମାସ୍କ) ସାଢେ ଚାରି ବିଘାରୁ ଅମଳ ହୋଇ ଥିବା ୧୦ କୁଇଂଟାଲ ଚିନା ବାଦାମକୁ କୁଇଂଟାଲ ପିଛା ୪ ହଜାର ଟଙ୍କାରେ ଚୁକ୍ତି କରିଥିଲେ । ହେଲେ ଏବେ ୩୫୦୦ ଟଙ୍କା କହି ଘରୁ ବାଦାମ ଉଠାଉ ନାହାନ୍ତି ବ୍ୟବସାୟୀ । ଆଗକୁ ଆହୁରି ୮ ବିଘାରେ ଅମଳ ଜାରି ରହିଛି । ଯେଉଁଠି ୩୦ ରୁ ୫୦ ହଜାର ଟଙ୍କା ରୋଜଗାର କରି ଥାନ୍ତେ, ସେଠାରେ ଏବେ ମୁଳ ଧନ ଉଠିିବା କଷ୍ଟକର ହୋଇପଡ଼ିଛି ।

ଚଳିତ ବର୍ଷ ଏଫଏକ୍ୟୁ ମାନର ଗିନି ଓ ବୋଲ୍ଡ କିସମର ଚିନା ବାଦାମର କୁଇଂଟାଲ ପିଛା ଦର ରହିଛି ୫ ହଜାର ୨୭୫ ଟଙ୍କା । ଏଥରୁ ଜଳିଅ ଅଂଶ ୮ ପ୍ରତିଶତ, ଅପମିଶ୍ରିତ ସାମଗ୍ରୀ ୪ ପ୍ରତିଶତ, ଗୋଡି ମାଟି ୨ ପ୍ରତିଶତରୁ କମ ଥାଇ ୬୮ ରୁ ୭୦ ପ୍ରତିଶତ ବିକ୍ରି ଯୋଗ୍ୟ ବାଦାମ ହବାର ନିୟମ ରହିଛି । ତେବେ ଏହି କଟକଣାକୁ ଅଧିକାଂଶ ଚାଷୀ ପାର କରି ନ ପାରି ୩୨୦୦ ରୁ ୪୦୦୦ ଟଙ୍କା ପ୍ରତି କୁଇଂଟାଲ ଦରରେ ବାହାର ବ୍ୟବସାୟୀଙ୍କୁ ବିକିବାକୁ ବାଧ୍ୟ ହୋଇ କ୍ଷତି ସହୁଛନ୍ତି ଚାଷୀ । ତେବେ ମଣ୍ଡି ବ୍ୟବସ୍ଥାକୁ ଆହୁରି କୋହଳ କରିବା ଲାଗି ଦାବି କରିଛନ୍ତି ସ୍ଥାନୀୟ ଜନ ପ୍ରତିନିଧୀ ।

ମାଲକାନଗିରି ଜିଲ୍ଲାର ଗତବର୍ଷ ମାର୍କଫେଡ ଜରିଆରେ ୧୮ ହଜାର ୮୯୫ କୁଇଂଟାଲ ବାଦମ କ୍ରୟ କରାଯାଇ ଥିବା ବେଳେ ଚଳିତ ବର୍ଷ ୩ ହଜାର ୩୬୨ ପଂଜୀକୃତ ଚାଷୀଙ୍କ ଠାରୁ ୨୦ ହଜାର କୁଇଂଟାଲ କିଣିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ତେବେ ଚଳିତବର୍ଷ ଏଯାଏଁ ୩ ଶହ ଚାଷୀଙ୍କ ଠାରୁ କେବଳ ୫ ହଜାର କୁଇଂଟାଲ ଚିନାବାଦାମ କିଣା ହୋଇଛି ।