ଭାରତ-ପାକିସ୍ତାନ ସୀମାରେ ଫେରିବ ଶାନ୍ତି । ସୀମାପାର ଗୁଳି ଚାଳନା ବନ୍ଦ କରିବାକୁ ଉଭୟ ଦେଶର ଡିଜିଏମଓ ଆଲୋଚନାରେ ନିଷ୍ପତି ।

140

କନକ ବ୍ୟୁରୋ: ଦୀର୍ଘ ସମୟ ଧରି ନିୟମ ଉଲଂଘନ କରି ଭାରତ ସୀମା ଆରପଟୁ ଗୁଳି ମାଡ କରି ଆସୁଥିଲେ ପାକିସ୍ତାନୀ ସେନା । ହେଲେ, ଏଥିରେ ଏବେ ଲାଗିବ ବ୍ରେକ୍ । ଭାରତ ଓ ପାକିସ୍ତାନ ଦୁଇ ଦେଶର ସାମରିକ ଅପରେସନ ମୁଖ୍ୟ ବା ଡିଜିଏମଓ ହଟଲାଇନରେ କଥାବାର୍ତା କରିବା ପରେ ଏହି ନିଷ୍ପତି ନିଆଯାଇଛି । ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ଉଭୟ ପକ୍ଷ ସହମତ ହୋଇଛନ୍ତି । ନିୟନ୍ତ୍ରଣ ରେଖାର ବର୍ତମାନ ସ୍ଥିତିର ସମୀକ୍ଷା କରିବା ପରେ ଦୁଇ ଦେଶର ସେନାର ସମସ୍ତ ଚୁକ୍ତି ଓ ଯୁଦ୍ଧ ବିରତିକୁ ମାନିବାକୁ ରାଜି ହୋଇଛନ୍ତି ଦୁଇ ଦେଶର ଡିଜିଏମଓ । ଏନେଇ ଦୁଇ ଦେଶ ପକ୍ଷରୁ ଜାରି କରାଯାଇଛି ମିଳିତ ବିବୃତି ।

ଲାଇନ ଅଫ୍ କଂଟ୍ରୋଲ ବା ଏଲଏସି ଓ ଅନ୍ୟ ସେକ୍ଟରରେ ଅସ୍ତ୍ର ବିରତି ପାଇଁ ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି ଓ ବୁଝାମଣାକୁ ସଶକ୍ତ ଭାବରେ ପାଳନ କରାଯିବ । ଫେବ୍ରୁଆରୀ ୨୪-୨୫ ତାରିଖ ମଧ୍ୟରାତ୍ରରୁ ଏହା ଲାଗୁ ହୋଇଛି । ଏଥିସହ ଯଦି କୌଣସି ଅପ୍ରତ୍ୟାଶିତ ପରିସ୍ଥିତି ଉପୁଜେ ବା ଭୁଲ ବୁଝାବଣା ହୁଏ, ତେବେ ହଟଲାଇନ ବା ବର୍ଡର ଫ୍ଲାଗ ମିଟିଂ ଜରିଆରେ ଉଭୟ ପକ୍ଷ କଥାବାର୍ତା କରି ସମସ୍ୟାର ସମାଧାନ କରିବାକୁ ରାଜି ହୋଇଛନ୍ତି ଦୁଇ ଦେଶର ଡିଜିଏମଓ ।

୨୦୧୩ ମସିହାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଇନ୍ ଅଫ୍ କଂଟ୍ରୋଲ ବା ଏଲଓସିରେ ଅସ୍ତ୍ରବିରତି ଚୁକ୍ତି ସ୍ୱାକ୍ଷର ହୋଇଛି । ହେଲେ, ଏହାକୁ ପାକିସ୍ତାନ ନିୟମିତ ଭାବେ ଉଲଂଘନ କରି ଆସୁଥିଲା । ଏବେ ଡିଜିଏମଓ ସ୍ତରୀୟ ଆଲୋଚନାରେ ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ନିଷ୍ପତି ନେଇଛନ୍ତି ।

ହେଲେ, ପାକିସ୍ତାନକୁ ବିଶ୍ୱାସ କରିବା କଷ୍ଟକର ବ୍ୟାପାର । କାରଣ କଥା ଦେଇ କଥା ନରଖିବା ଓ ବିଶ୍ୱାସଘାତକତା କରିବା ପାକିସ୍ତାନର ପୁରୁଣା ଅଭ୍ୟାସ । ଏସବୁକୁ ଦୃଷ୍ଟିରେ ସୀମାରେ ଭାରତକୁ ସବୁବେଳେ ସତର୍କ ରହିବାକୁ ପଡିବ । ଆଉ ଦେଖିବାକୁ ପଡିବ ସୀମା ଆରପଟୁ ଗୁଳି ଚାଳନା କରୁଛି କି ନାହିଁ ? ଭାରତ ଭିତରକୁ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଉଛି କି ନାହିଁ? ପାକିସ୍ତାନର ପରବର୍ତି କାର୍ଯ୍ୟ ଉପରେ ନିର୍ଭର କରୁଛି ସୀମାର ଶାନ୍ତି?

ଏହା ପୂର୍ବରୁ ଶ୍ରୀଲଙ୍କା ଗସ୍ତରେ ଥିବାବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ କହିଥିଲେ, ଭାରତ ଓ ପାକିସ୍ତାନ ମଧ୍ୟରେ କାଶ୍ମୀର ହିଁ ଏକମାତ୍ର ବିବାଦୀୟ ପ୍ରସଙ୍ଗ । ଯାହାକୁ ଦୁଇ ଦେଶ କଥାବାର୍ତାରେ ସମାଧାନ କରିପାରିବେ । ଇମ୍ରାନ ଆହୁରି କହିଥିଲେ ଆମେ ଦୁଇ କଦମ ଆଗକୁ ବଢ଼ିବାକୁ ପ୍ରସ୍ତୁତ, ଭାରତ ବି ସେହି ଲକ୍ଷ୍ୟରେ ଆଗକୁ ବଢ଼ିବା ଆବଶ୍ୟକ ।